ପରାକ୍ରମୀ ସିପାହୀଙ୍କ ଗାଁ ‘ବମିଖାଲ’

ଗଙ୍ଗବଂଶ ଶାସନ ସମୟରେ ଓଡ଼ିଶାକୁ ବାହ୍ୟଶତ୍ରୁଙ୍କଠାରୁ ଏତେ ବିପତ୍ତି ନଥିଲା, ଯେତିକି ଗଜପତି ଶାସନ କାଳରେ ହେଲା। ସେତେବେଳକୁ ମୋଗଲମାନେ ଦିଲ୍ଲୀ ରାଜଗାଦି ଅଧିକାର କରି ସୀମା ବିସ୍ତାରରେ ଲାଗି ପଡ଼ିଥା’ନ୍ତି। ପଡ଼ୋଶୀ ରାଜାମାନେ ବି ଅନ୍ୟ ରାଜ୍ୟର ଦୋଷ ଦୁର୍ବଳତାର ଫାଇଦା ନେବାର ସୁଯୋଗ ଖୋଜୁଥା’ନ୍ତି। ତେଣୁ ବିଭବଶାଳୀ ଓଡ଼ିଶା ବା ସେମାନଙ୍କ ନଜରରୁ ବାଦ୍‌ ପଡ଼ିଥା’ନ୍ତା କିପରି! କପିଳେନ୍ଦ୍ରଦେବଙ୍କ ଶାସନ ସମୟରେ ଉତ୍ତରରେ ଗଙ୍ଗାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ଥିବା ସୀମା ବି ସେତେବେଳକୁ ସଂକୁଚିତ ହୋଇଆସିଥାଏ।

ତେଣୁ ଓଡ଼ିଶା ଦଖଲ ପାଇଁ ବାହ୍ୟଶତ୍ରୁମାନଙ୍କୁ ଏକ ବଡ଼ ସୁଯୋଗ ମିଳି ଯାଇଥାଏ। କିନ୍ତୁ ସେ ସମୟ‌‌ରେ ୧୮ଟି କ୍ଷତ୍ରିୟ ସିପାହୀ ପରିବାରକୁ ନେଇ ଗଢ଼ି ଉଠିଥିବା ଏକ ଛୋଟିଆ ଗାଁ ମୋଗଲ ସୈନ୍ୟଙ୍କ ସହ ଅନ୍ୟ ବାହ୍ୟଶତ୍ରୁମାନଙ୍କୁ ନାକରେ ପାଣି ପିଆଇ ଦେଉଥିଲା। ଗାଁର ପାଇକମାନେ ଆଗ୍ନେୟାସ୍ତ୍ର (ବୋମା ଜାତୀୟ ଅସ୍ତ୍ର) ତିଆରି ଓ ବ୍ୟବହାରରେ ଏତେ ସିଦ୍ଧହସ୍ତ ଥିଲେ ଯେ ତା’ରି ବଳରେ ସେମାନେ ଶତ୍ରୁକୁ ସୀମାଠାରୁ କୋଶ ଦୂରରେ ରଖିବାରେ ସମର୍ଥ ହୋଇପାରୁଥିଲେ। ଦୟାୱେଷ୍ଟ କେନାଲର ଅପରପାର୍ଶ୍ବ‌ରେ ଥିବା ସେଦିନର ସେ ପାଇକ ଗାଁ ଆଜିର ବମିଖାଲ। ଗାଁର ଉତ୍ପତ୍ତିକୁ ନେଇ ଯଦିଓ ଇତିହାସରେ ବର୍ଷ, ମାସ, ତାରିଖର କୌଣସି ଉଲ୍ଲେଖ ନାହିଁ, କିନ୍ତୁ ଐତିହାସିକମାନେ ଗାଁର ଏହି ଇତିହାସକୁ ସମର୍ଥନ କରନ୍ତି।

ଝାରପଡ଼ାରୁ ସହିଦନଗର ଯାଏଁ ଲମ୍ବିଛି

ପଶ୍ଚିମ ଦିଗରେ ବର୍ତ୍ତମାନର ସହିଦନଗରଠାରୁ ପୂର୍ବରେ ଜଗନ୍ନାଥ ସଡ଼କ ଓ ଉତ୍ତରରେ ପଥରବନ୍ଧ ନାଳଠାରୁ ଦକ୍ଷିଣରେ ଏବେକାର ଝାରପଡ଼ା ଓଭରବ୍ରିଜ୍ ପର୍ଯ୍ୟନ୍ତ ଏହି ଗାଁର ସୀମା ବ୍ୟାପ୍ତ ଥିଲା। ଭୁବନେଶ୍ବରରେ ଥିବା ପୁରାତନ ଗାଁଗୁଡ଼ିକ ସବୁ ଦୟାୱେଷ୍ଟ୍ କେନାଲ୍ ପାର୍ଶ୍ବରେ ରହିଥିବା ବେଳେ ଏହି ଗାଁଟି ବିପରୀତ ଦିଗରେ ରହିଛି। ୧୮ଟି କ୍ଷତ୍ରିୟ ପରିବାରକୁ ନେଇ ଗଢ଼ି ଉଠିଥିବା ସେଦିନର ଏହି ଗାଁରେ ବର୍ତ୍ତମାନ ୨୫୦ ପରିବାରରେ ହଜାରେ ଲୋକ ବସବାସ କରୁଛନ୍ତି। ଗାଁରେ ୬ଟି ସାହି ଯଥା ପାତ୍ର, ପ୍ରଧାନ, ଜେନା, ପୁହାଣ, ଗୋପୀଜେନା ଓ ଭୋଇସାହି ରହିଛି। ଗାଁର ଚାଷଜମିରେ ବର୍ତ୍ତମାନର ଭୁବନେଶ୍ବରର ‘ହାର୍ଟ’ କୁହାଯାଉଥିବା ସହିଦନଗର ଛିଡ଼ା ହୋଇଛି। ଏଠି ଲୋକ ବାଇଗଣ, ଭେଣ୍ଡି, କଖାରୁ ଆଦି ବିଭିନ୍ନ ପନିପରିବା ଚାଷ କରୁଥିଲେ। ୧୯୬୦ରେ ସରକାର ଗାଁ ଲୋକଙ୍କଠୁ ଏ ଜମି ନେଇ ପ୍ଲଟିଂ କରି ବିକିଥିଲେ। ଏବେକାର ସତ୍ୟନଗର ଅଞ୍ଚଳକୁ ମଧ୍ୟ ସରକାର ଗ୍ରାମବାସୀଠାରୁ ନେଇଥିଲେ। ଗାଁ ପଛପଟେ, ଏବେ ଯେଉଁଠି ଶାନ୍ତପଲ୍ଲୀ ବସ୍ତି ରହିଛି, ସେଠି ପଥର ଖଣି ଥିଲା। ଭୁବନେଶ୍ବରରେ ଥିବା ଅନ୍ୟ ଖଣି ତୁଳନାରେ ଏହି ଖଣିର ପଥରଗୁଡ଼ିକ ଅପେକ୍ଷାକୃତ ଭଲ ଓ ଉନ୍ନତମାନର ଥିଲା। ଗାଁ ଲୋକ ଏହି ଖଣିରୁ ପଥର ଓ ମୋରମ୍‌ ତାଡ଼ି ବିକୁଥିଲେ। କଟକ ରୋଡ୍‌ରେ ତିଆରି ହୋଇଥିବା ଅନେକ ଆବାସିକ ଘର ଓ ଦୋକାନସବୁ ଏହି ପଥରରେ ତିଆରି ହୋଇଛି।

ବମିଖାଲ ବିଦ୍ୟାଳୟରୁ ଦେବରାଜ ବିଦ୍ୟାପୀଠ

୧୯୫୩ ମସିହାରେ ଗାଁରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ପିଲାମାନେ ସେଠି ପଞ୍ଚମ ପର୍ଯ୍ୟନ୍ତ ପଢ଼ି ରସୁଲଗଡ଼ ଆଶ୍ରମ ସ୍କୁଲକୁ ଯାଉଥିଲେ। ହାଇସ୍କୁଲ ଶିକ୍ଷା ପାଇଁ ସହିଦନଗର ସ୍କୁଲକୁ ଯାଉଥିଲେ। ୧୯୮୯ ମସିହାରେ ଦେବରାଜ ପାତ୍ରଙ୍କ ଉଦ୍ୟମରେ ଏଠି ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା। ସେଥିପାଇଁ ସ୍କୁଲର ନାମ ବମିଖାଲ ସ୍କୁଲ ପରିବର୍ତ୍ତେ ଦେବରାଜ ବିଦ୍ୟାପୀଠ ନାମରେ ନାମିତ ହୋଇଛି।

ଗୋବିନ୍ଦଙ୍କ ନାମରେ ଗୋବିନ୍ଦପ୍ରସାଦ

ଗାଁର ପୁରୁଖା ଲୋକଙ୍କ କହିବା କଥା, ଗଡ଼ ବାଲିଆମାଳରୁ ଜମିଦାର ଗୋବିନ୍ଦ ଛୁଆଳସିଂହ ଓ ଭାଇଗ ଛୁଆଳସିଂହ ନାମରେ ଦୁଇଭାଇ ଏହି ସ୍ଥାନକୁ ଶିକାର ପାଇଁ ଆସୁଥିଲେ। ସେତେବେଳେ ଏହି ଅଞ୍ଚଳଟି ଖାଲୁଆ ଥିଲା। ସେହି ଖାଲୁଆ ଅଞ୍ଚଳରେ ରହଣୀ ପାଇଁ ଘର ତୋଳିଥିଲେ। ପରେପରେ ଅନ୍ୟ ପରିବାରମାନେ ବସତି ସ୍ଥାପନ କରିଥିଲେ। ଗୋବିନ୍ଦଙ୍କ ନାମରେ ଗୋବିନ୍ଦପ୍ରସାଦ ମୌଜା ଏବେ ବି ଅଛି।

ମାଣ୍ଡିଆ କିଆରିରେ ଅଟ୍ଟାଳିକା

ଗାଁର ମୌଜାର ନାମ ଗୋବିନ୍ଦପ୍ରସାଦ ହୋଇଥିବାରୁ ଗାଁର ପୂର୍ବ ଦିଗରେ ଥିବା ଧାନ ଗହୀରରେ ୯୦ ଦଶକରେ ପ୍ରଥମେ ଗଢ଼ି ଉଠିଥିଲା ନ୍ୟୁ-ଗୋବିନ୍ଦପ୍ରସାଦ କଲୋନି। ପରବର୍ତ୍ତୀ ସମୟରେ ଗାଁର ମାଣ୍ଡିଆ କିଆରିରେ ଶ୍ରୀ ରେସିଡେନ୍ସ, ଦୟାନନ୍ଦ ନଗର, ସାଇ ବିହାର, ଗାୟତ୍ରୀନଗର ଆଦି ଗଢ଼ି ଉଠିଥିଲା।

ଶହେ ବର୍ଷ ହେଲା ଛିଡ଼ା ହୋଇଛି ବଉଳ ଗଛ

ଗାଁରେ ଝାମେଲା ହେଲେ ସେତେବେଳେ ଗାଁ ମୁଣ୍ଡରେ ଥିବା ବଉଳ ଗଛ ମୂଳେ ଗାଁର ଅଧିକାରୀ ଓ ମୁରବିମାନଙ୍କୁ ନେଇ ତା’ର ସମାଧାନ କରାଯାଉଥିଲା। ସେ ବଉଳ ଗଛ ଏବେ ବି ସେମିତି ଛିଡ଼ା ହୋଇଛି। ଫନି ବାତ୍ୟାରେ ବି ତା’ର କିଛି କ୍ଷତି ହୋଇନି। ଗ୍ରାମବାସୀମାନେ ସେହି ଗଛ ମୂଳେ ଏବେ ବି ବସି ତାସ୍ ଖେଳୁଛନ୍ତି।

ନାଲି ଗୋଡ଼ି ରାସ୍ତା ଥିଲା କଟକ ରୋଡ୍‌

କଟକ ରୋଡ୍‌ ସେତେବେଳେ ନାଲିଗୋଡ଼ି (ମୋରମ୍‌) ରାସ୍ତା ଥିଲା। ୧୯୯୦ ବେଳକୁ ରାସ୍ତା ପିଚୁ ହେଲା। ସେତେବେଳେ ଗାଡ଼ି ଶବ୍ଦ ଶୁଭିଲେ ପିଲାମାନେ ଗାଡ଼ି ଦେଖିବା ପାଇଁ ଦୌଡ଼ୁଥିଲେ। ବର୍ତ୍ତମାନର ବମିଖାଲ ଛକରେ ଥିବା ଚାର୍ଲି ହୋଟେଲ ସ୍ଥାନରେ ସେତେବେଳେ ସର୍ବେଶ୍ବର ସାମନ୍ତରାୟ ଏକ ଚାଳଘରେ ଜଳଖିଆ ଦୋକାନ କରିଥିଲେ। ସେଠି ଚା’ ସାଙ୍ଗକୁ ପକୁଡ଼ି ବିକୁଥିଲେ।

୬୧ବର୍ଷ ପୁରୁଣା ଦୁର୍ଗାପୂଜା

Facebook

କଟକ ଚୌଦ୍ବାରରୁ ଅନନ୍ତ ଚରଣ ସାହୁ ୧୯୫୦-୫୫ ମସିହାରେ ଆସି ଗାଁର ପୁହାଣ ସାହିରେ ରହୁଥିଲେ। ତାଙ୍କରି ଉଦ୍ୟମରେ ରାଜଧାନୀର ତୃତୀୟ ସର୍ବପୁରାତନ ଦୁର୍ଗାପୂଜା ୧୯୬୨ରେ ଆରମ୍ଭ ହୋଇଥିଲା। ବମିଖାଲ ଦୁର୍ଗାମଣ୍ଡପ ଥିବା ସ୍ଥାନଟିକୁ ସେତେବେଳେ ମଙ୍ଗଳା ତୋଟା ବୋଲି କୁହାଯାଉଥିଲା। ସେଠି ପ୍ରବଳ ଆମ୍ବଗଛ ଥିଲା। ତା’ରି ଭିତରେ ସେ ଛାମୁଣ୍ଡିଆ କରି ପୂଜା ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ଗାଁର ମୁରବି ଶ୍ରେଣୀୟ ଲୋକମାନେ ସହଯୋଗର ହାତ ବଢ଼ାଇବାରୁ ତିନିରାତି ଅପେରା ମଧ୍ୟ ହେଉଥିଲା। ବର୍ତ୍ତମାନ ଏହି ପୂଜାର କଳେବର ବହୁମାତ୍ରାରେ ବୃଦ୍ଧି ପାଇଛି। ପ୍ରତିବର୍ଷ ବହୁ ଆଡ଼ମ୍ବର ଓ ଜାକଜମକରେ ପୂଜା ହେଉଛି।

ଲିଙ୍ଗରାଜ ହାଟରେ ମିଳୁଥିଲା ଓଲି ପିଆଜ

ପୂର୍ବରୁ ଗାଁ ଲୋକଙ୍କ ବିଲବାଡ଼ିରେ ଭରପୂର ପରିବା ଚାଷ ହେଉଥିଲା। ବିଲରେ ଓ ପୋଖରୀରୁ ମାଛ ଧରା ହେଉଥିଲା। ବଜାରକୁ ବିଶେଷ ଯିବାକୁ ପଡ଼ୁନଥିଲା। କିନ୍ତୁ ବଡ଼ ପିଆଜ (ଓଲି) ସେମାନଙ୍କ ବାଡ଼ିରେ ଫଳୁନଥିଲା। ସେଥିପାଇଁ ସେମାନେ ଲିଙ୍ଗରାଜ ହାଟକୁ ଯାଉଥିଲେ। ସେହିଭଳି ଝାରପଡ଼ାରୁ ନାଗୁଆ ଭାବେ ମୂଷା ନାମରେ ଜଣେ ବ୍ୟକ୍ତି ଆସି ଭାଗ ହିସାବରେ ଛେଳି ମାଂସ ବିକ୍ରି କରି ଯାଉଥିଲା।

ବିଲରେ ପୂଜା ପାଉଥିଲେ ବିଲ ଭୁଆସୁଣୀ

ଗାଁର ଇଷ୍ଟଦେବ ଭଗବତ ବାସୁ‌ଦେବ, ଇଷ୍ଟଦେବୀ ମା’ ବରଡ଼େଇ ଓ ଗ୍ରାମଦେବତୀ ମା’ ଭୁଆସୁଣୀ। ମାଙ୍ଗଳିକ କାର୍ଯ୍ୟ ପାଇଁ ଭୁଆସୁଣୀଙ୍କ ପୀଠରେ ଦିଅଁ ମଙ୍ଗୁଳା କାର୍ଯ୍ୟ କରାଯାଇଥାଏ। ସହିଦନଗରରେ ଥିବା ମା’ ଖଣ୍ଡୁଆଳି ଓ ଦୁର୍ଗାମଣ୍ଡପ ପଛପଟେ ଥିବା ବିଲରେ ମା’ ଭୁଆସୁଣୀ ପୂଜା ପାଉଥିଲେ। ଏମାନେ ସବୁ ଗାଁର ପୁରାତନ ବିଗ୍ରହ। ପରବର୍ତ୍ତୀ ସମୟରେ ସନ୍ତୋଷୀ ମନ୍ଦିର, ଯଜ୍ଞେଶ୍ବର ମନ୍ଦିର, ହନୁମାନ ମନ୍ଦିର, ଶଙ୍କରେଶ୍ବର ଓ ମଙ୍ଗଳା ଆଦି ଏକାଧିକ ମନ୍ଦିର ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଛି।

ବହୁପୁରାତନ ମହିମା ଆଶ୍ରମ

ଯୋରନ୍ଦା ଗାଦିରୁ ସ୍ବର୍ଗତ ନିଶାକର, ଚକ୍ରଧର ଓ ବାନାବାବା ମହିମା ସନ୍ନ୍ୟାସୀମାନଙ୍କୁ ସାଙ୍ଗ‌ରେ ଆଣି ବହୁ ପୂର୍ବରୁ ଗାଁରେ ରହିଲେ। ଏଠି ମହିମା ଧର୍ମର ପ୍ରଚାରପ୍ରସାର କଲେ। ଗାଁରେ ପୂର୍ବତନ ରେଳବାଇ ଲେଭେଲ୍ କ୍ରସିଂ ନିକଟରେ ବାବାମାନଙ୍କ ପାଇଁ ମହିମା ଆଶ୍ରମ ପ୍ରତିଷ୍ଠା ହୋଇଥିଲା। ସେ ଆଶ୍ରମ ଏବେ ବି ସେଠି ଛିଡ଼ା ହୋଇଛି।

ଐତିହାସିକ ପୃଷ୍ଠଭୂମିକୁ ନେଇ ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମତ ରଖିଥିବା ବେଳେ ଗାଁର ଯୋଗଗୁରୁ ବିଶ୍ବନାଥ ଜେନା, ପ୍ରକାଶ ଚନ୍ଦ୍ର ଜେନା, ଅଜୟ ପ୍ରଧାନ, ବଣ୍ଟି ଜେନା, ଗଜେନ୍ଦ୍ର ଜେନା, ମ‌ନମୋହନ ସାମନ୍ତରାୟ, ଅଶୋକ ପୁହାଣ ପ୍ରମୁଖ ଗାଁର ଅତୀତ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର