ଚୀନ୍‌କୁ ହରାଇବାର ବଡ଼ ଅସ୍ତ୍ର ସାମଗ୍ରୀ ବର୍ଜନ

ଘରେ ଘରେ ଚାଇନା ମାଲ୍‌

ଭୁବନେଶ୍ବର : ଆପଣ ସକାଳୁ ଉଠି ଅଣ୍ଡାଳୁଥିବା ମୋବାଇଲ୍‌ ଓ ସେଥିରେ ବ୍ୟବହାର କରୁଥିବା ଆପ୍‌ ଚାଇନାର ନୁହେଁ ତ? ଘରେ କି ଅଫିସ୍‌ରେ କାମ କରୁଥିବା ଚେୟାର, ଲାପଟପ୍‌ କି କମ୍ପ୍ୟୁଟର୍‌ ଚାଇନାର କି? ମ‌ନୋରଂଜନର ମାଧ୍ୟମ ଭାବେ ବାଛିଥିବା ଆପଣଙ୍କ ଟିଭି ଚାଇନା ଉତ୍ପାଦ ନୁହେଁ ତ? ଯଦି ବାସ୍ତବରେ ଆମେ ଚୀନ୍‌କୁ ପାନେ ଦେବାକୁ ଚାହୁଁଛେ, ସବୁଠୁ ବଡ଼ ଅସ୍ତ୍ର ହେଲା ତାକୁ ଆର୍ଥିକସ୍ତରରେ କ୍ଷତି ପହଞ୍ଚାଇବା। ଭାରତବାସୀ ବର୍ଷକୁ ୫ ଲକ୍ଷ କୋଟି ଟଙ୍କାର ଚୀନ୍‌ ଜିନିଷ ବ୍ୟବହାର କରୁଥିବା ବେଳେ ଏହାକୁ ନିତିଦିନିଆ ଜୀବନରୁ ବାଦ୍‌ ଦେବା ପାଇଁ ଆମେମାନେ ମାନସିକସ୍ତରରେ ପ୍ରସ୍ତୁତ କି ନାହିଁ ତାହା ହିଁ ପ୍ରଶ୍ନବାଚୀ। କିନ୍ତୁ ଯେଉଁଠି ଜାତୀୟତାର କଥା ଉଠିଛି, ସେଠି ଖାଲି ସୀମାନ୍ତରେ ଯୁଦ୍ଧ ନୁହେଁ, ବରଂ ଲୋକେ ଚୀନ୍ ସାମଗ୍ରୀ ଜୀବନଶୈଳୀରୁ ବାଦ୍‌ ଦେବାକୁ ଅଣ୍ଟା କଷିଛନ୍ତି। ତେବେ ଏମିତି ସ୍ବର ଆଜି ନୁହେଁ, ବାରମ୍ବାର ଉଠିଛି। ପୂର୍ବଭଳି ଏହି ସ୍ବର ଆଉ କିଛି ଦିନ ପରେ ମଉଳି ନଯାଉ, ତାହା ହିଁ ସଂକଳ୍ପ ହେଉ ବୋଲି ଅନେକ ପରାମର୍ଶ ଦେଉଛନ୍ତି।

ଚୀନ୍‌ ବିଶ୍ବବଜାର ଉପରେ କବ୍‌ଜା କରିବା ପାଇଁ ନିଜ ଦେଶର ଉତ୍ପାଦଗୁଡ଼ିକୁ ଶସ୍ତାରେ ବିକି ଚାଲିଛି। ଅନେକଙ୍କ ଧାରଣା ଯେ ଚୀନ୍‌ ଉତ୍ପାଦର ବିକଳ୍ପ ନାହିଁ। ମାତ୍ର ଅଧିକାଂଶ ସାମଗ୍ରୀର ବିକଳ୍ପ ଉପଲବ୍ଧ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚୀନ୍ ସାମଗ୍ରୀଗୁଡ଼ିକ ଆମ ସ୍ବଦେଶୀ ଓ ଅନ୍ୟ ଦେଶର ସାମଗ୍ରୀ ଭଳି ଦୀର୍ଘସ୍ଥାୟୀ ନୁହେଁ। ଅର୍ଥ ପରାମର୍ଶଦାତା କହିବା ମୁତାବକ, ଚାଇନା ଉତ୍ପାଦ ଛାଡ଼ିଦେଲେ ଆମ ଜୀବନଶୈଳୀ ବହୁ ପରିମାଣରେ ପ୍ରଭାବିତ ହେବ ବୋଲି ଯେଉଁମାନେ ଭାବୁଛନ୍ତି, ତାହା ଠିକ୍‌ ନୁହେଁ। ଏହାଦ୍ବାରା ଭାରତ ଅପେକ୍ଷା ଚୀନ୍‌ ଅଧିକ କ୍ଷତି ସହିବ। ଚୀନ୍‌ ଭାରତ ଭଳି ବଡ଼ ବଜାର କେଉଁଠାରେ ପାଇବ ନାହିଁ। ଯଦି ଆମେ ଜାତୀୟତାବୋଧ ଦୃଷ୍ଟିରୁ ସ୍ବୟଂ ଏ ବାବଦରେ ବ୍ୟକ୍ତିଗତ ଭାବେ ଦୃଢ଼ ନିଷ୍ପତ୍ତି ନେ‌ବା। ତେବେ ଏହା ଚୀନ୍‌ ଉପରେ ପ୍ରଭାବ ପକାଇବା ପାଇଁ ସବୁଠୁ ବଡ଼ ଅସ୍ତ୍ର ପାଲଟିବ ବୋଲି ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ କହିଛନ୍ତି।

ଲୋକେ ଚୀନ୍‌ ବାବଦରେ ଏଇ ଦୃଢ଼ ନିଷ୍ପତ୍ତି ନେଲେ, ଭାରତୀୟମାନେ ଅନେକ ଦୃଷ୍ଟିରୁ ଉପକୃତ ହେବେ। କିଛି ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ସରକାର ଡକାଇ ଏଠାରେ ଉତ୍ପାଦ ତିଆରି କରିପାରିବେ। ଏହାଦ୍ବାରା ଦେଶରେ ଥିବା ବେକାରୀ ସମସ୍ୟା ହ୍ରାସ ପାଇବ। ଲୋକେ କାମ ପାଇବେ। ଏହା ବ୍ୟତୀତ ବ୍ୟାବହାରିକ ଦୃଷ୍ଟିକୋଣରୁ ସ୍ବଦେଶୀ କମ୍ପାନି ମଧ୍ୟ ନିଜର ଉତ୍ପାଦ ପାଇଁ ସୁଯୋଗ ପାଇପାରିବେ।

ବ୍ୟବହୃତ ସାମଗ୍ରୀ
ମୋବାଇଲ୍
ସାଓମି, ଭିଭୋ, ଓପୋ, ଲେନୋଭୋ, ଅନର୍, ​ଵାନ୍‌ପ୍ଲସ୍, କୁଲ୍‌ପ୍ୟାଡ୍, ରିଅଲମି, ହ୍ୟୁଆଇ
ଆପ୍
ଟିକ୍‌ଟକ୍, ସେୟାର୍ ଇଟ୍, ଜେଣ୍ଡର୍, ଟ୍ରୁ କଲର୍, ବିୟୁଟି ପ୍ଲସ୍, ୟୁସି ବ୍ରାଉଜର୍, କ୍ଲବ୍ ଫ୍ୟାକ୍ଟ୍ରି, ଜୁମ୍, ପାରାଲେଲ୍ ସ୍ସେସ୍, ଜୁମ୍, ଡବ୍ଲୁପିଏସ୍ ଅଫିସ୍, ଇନ୍‌ସଟ୍, ପବ୍‌ଜି, ହେଲୋ, ଵି ଚାଟ୍, ବିଗୋ ଲାଇଭ୍, ଆଲିବାବା, ଆପ୍ ଲକ୍, ଟର୍ବୋ ଭିପିଏନ୍
ଅନ୍ୟାନ୍ୟ କମ୍ପାନିରେ ଚୀନ୍‌ର ଥିବ ଅଂଶଧନ
ପେଟିମ୍, ଫ୍ଲିପ୍‌କାର୍ଟ, ଜମାଟୋ

ଟିକ୍‌ଟକ୍‌ କେବେ ଇନଷ୍ଟଲ୍ କରିନି: ଅରୁଣ ବୋଥ୍ରା
ଲଦାଖରେ ଭାରତର ୨୦ଜଣ ଯବାନ ସହିଦ ହେବା ଘଟଣାରେ ଚୀନ୍‌ ସରକାର ଏହାର କମ୍ପାନିମାନଙ୍କ ବିରୋଧରେ ଦେଶରେ ଆନ୍ଦୋଳନ ତେଜିବାରେ ଲାଗିଛି। ଏହା ବିରୋଧରେ ସ୍ବର ଉଠାଇଛନ୍ତି ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା। ଟ୍ବିଟ୍ କରି ବୋଥ୍ରା ଚାଇନିଜ୍ ଆପ୍ ଟିକଟକ୍‌ର କୌଣସି ଭିଡିଓ ଅପଲୋଡ୍ ନ କରିବା ସହିତ ଏହି ଆପ୍‌କୁ କେବେ ମୋବାଇଲରେ ଇନଷ୍ଟଲ୍‌ କରି ନ ଥିବା କହିଛନ୍ତି। ସହିଦ ଯବାନମାନଙ୍କ ବଳିଦାନକୁ ଏ ଦେଶ କେବେ ଭୁଲିବନି କିମ୍ବା କ୍ଷମା କରିବନି ବୋଲି ବୋଥ୍ରା ଲେଖିଛନ୍ତି।

ସମ୍ବନ୍ଧିତ ଖବର