ଭୁବନେଶ୍ବର : ସରକାର ନିୟମ କଲେ ଭୁବନେଶ୍ବର ସମେତ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ସହରରେ ପଲିଥିନ୍‌ ବ୍ୟବହାର ହେବନି। ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ପରେ ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଲା। ଜଙ୍ଗଲ ଓ ପରିବେଶ ବିଭାଗ ଏନେଇ ବିଜ୍ଞପ୍ତି ଜାରି କଲା। ବ୍ୟବସାୟୀମାନଙ୍କ ପାଖରେ ଆଗରୁ ଗଚ୍ଛିତ ଥିବା ପଲିଥିନ୍‌କୁ ସାରିବାକୁ ‌ଗୋଟିଏ ମାସ ସମୟ ବି ଦିଆଗଲା। ଲକ୍ଷ୍ୟ ଥିଲା, ମାସକ ଭିତରେ ପଲିଥିନ୍‌ର ବ୍ୟବହାର ନେଇ ଲୋକେ ସଚେତନ ହେବେ। ବ୍ୟବସାୟୀ ବି ପଲିଥିନ୍‌ ବ୍ୟବହାର କରିବେନି।

Advertisment

କିନ୍ତୁ ନିୟମକୁ କେହି ବି ମାନିବାକୁ ନାରାଜ। ଅନ୍ୟ ୫ଟି ସହର କଥା ଛାଡ଼ନ୍ତୁ, ଖୋଦ୍ ଭୁବନେଶ୍ବରରେ ଏବେ ବେଧଡ଼କ ପଲିଥିନ୍ ବ୍ୟବହାର ଚାଲିଛି। ଆମିଷ ବଜାରଠାରୁ ଆରମ୍ଭ କରି ପରିବା ହାଟ ପର୍ଯ୍ୟନ୍ତ, ସବୁଠି ପଲିଥିନ୍‌ମୟ। ରୋକ୍‌ ଲଗାଇବାକୁ ଜାନୁଆରି ମାସ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଥିଲା। ପଲିଥିନ୍‌ ଜବତ କରାଯିବା ସହ କିଛି ବ୍ୟବସାୟୀଙ୍କଠାରୁ ଫାଇନ୍‌ ଆଦାୟ ହୋଇଥିଲା। ତେବେ ୪ ମାସ ହେଲା ବିଏମ୍‌ସିର ଚଢ଼ଉ ବନ୍ଦ। ଗୋଟିଏ ପଟେ ବାତ୍ୟା‌ ଯୋଗୁଁ ସହର ସାରା ସବୁଜ ଅବର୍ଜନା ଗଦା ହୋଇଥିବା ବେଳେ ଅନ୍ୟପଟେ ସହର ସାରା ପଲିଥିନ୍‌ର ପାହାଡ଼। ସ୍ଥିତି ଏମିତି ହେଲାଣି ଯେ ପଲିଥିନ୍‌ ବନ୍ଦ କରିବାକୁ ଆହୁରି ବି ବର୍ଷାଧିକ ସମୟ ଲାଗିଯିବ।

publive-image

ସହରରେ ପଲିଥିନ୍‌ ବ୍ୟବହାରର ସ୍ଥିତିକୁ ଦେଖି ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ପଲିଥିନ୍‌ ବ୍ୟବହାର ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ମାଟିର ଉର୍ବରତା ନଷ୍ଟ ହେଉଛି। ଯାହାକି ଭବିଷ୍ୟତ ଲାଗି ବିପଦ ଆଣିବ। ଭୟଙ୍କର ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏବେଠାରୁ ସତର୍କ ହେବାକୁ ପଡ଼ିବ। ପଲିଥିନ୍ କଟକଣା ବାଟବଣା ହେବା ପଛରେ ଲୋକେ ଯେତିକି ଦାୟୀ, ସରକାର ତାହାଠାରୁ ଅଧିକ ଦାୟୀ। ୬ଟି ସହରରେ ପଲିଥିନ୍ ସିନା ନିଷେଧ କରାଗଲା ‌ହେଲେ ବଜାରରେ ଯେପରି ପଲିଥିନ୍‌ ନମିଳିବ ସେଦିଗରେ କିଛି ବି ପଦକ୍ଷେପ ନେଲେନି। ପଲିଥିନ୍ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ଉପରେ ବି ଚଢ଼ଉ କରାଗଲା ନାହିଁ। ଫଳ‌ରେ ବେଧଡ଼କ ପଲିଥିନ୍‌ ଉତ୍ପାଦନ ହେଉଛି। ବଜାରକୁ ବି ଛଡ଼ାଯାଉଛି। ତେଣୁ ବ୍ୟବହାର କରିବାରେ କିଛି ବି ଅସୁବିଧା ହେଉନି। ଯଦି ଏବେଠାରୁ କଠୋର ନିଷ୍ପତ୍ତି ନିଆ ନଯାଏ ‌ତେବେ ପଲିଥିନ୍‌ ବ୍ୟବହାର ଉପରେ ରୋକ ଲଗାଇବା ସମ୍ଭବପର ହେବ ନାହିଁ।

ସବୁଠାରୁ ବଡ଼ କଥା ହେଉଛି ଯେ ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟାବସାୟିକ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ପଲିଥିନ୍‌ର ବ୍ୟବହାର ବଢ଼ିଚାଲିଛି। ରାସ୍ତାପାର୍ଶ୍ବରେ ପଲିଥିନ୍‌ର ପାହାଡ଼ ଦେଖିବାକୁ ମିଳିଛି। ପଲିଥିନ୍‌ଗୁଡ଼ିକ ଡ୍ରେନ୍‌ ଭିତରେ ପଶିବାରୁ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ ପାଣି ରାସ୍ତାରେ ଭାସିଲାଣି। ଆଜି ରାତିରେ ଭୁବନେଶ୍ବରରେ ହୋଇଥିବା କାଳବୈଶାଖୀ ବର୍ଷାରେ କେତେକ ସ୍ଥାନରେ ଡ୍ରେନ୍‌ ପାଣି ଲହଡ଼ି ଭାଙ୍ଗିଛି। ଆଗକୁ ମୌସୁମୀ ଆସୁଥିବାରୁ ସ୍ଥିତି ସାଂଘାତିକ ହେବ। ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ଏକପ୍ରକାର ଥୟ।

ଚାରି ମାସ ହେଲା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ବନ୍ଦ ହେବା ନେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ କଟକଣା ଜାରି କରାଯାଇଥିବା ୬ଟି ସହରରେ ଖୁବ୍‌ଶୀଘ୍ର ପୁଣିଥରେ ଚଢ଼ଉ କରାଯିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ସମ୍ଭବ ହେଉ ନଥିଲା। ଏହାପରେ ବାତ୍ୟା ଫନି ଯୋଗୁଁ ମଧ୍ୟ ପଲିଥିନ୍‌ କଟକଣାର ତଦାରଖ କରାଯାଇ ପାରି ନଥିଲା। ପୁଣି ପଲିଥିନ୍‌ ଓ ପ୍ଲାଷ୍ଟିକ ବ୍ୟବହାର କରୁଥିବା ବ୍ୟବସାୟୀ ବା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।