ଶିଶୁବିହାର ବିଡିଏ ପାର୍କ
ଶିଶୁବିହାର ବିଡିଏ ପାର୍କ ପରିସରରେ ୭୦ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟମକ୍ରମରେ ଚନ୍ଦକା ବନ୍ୟପ୍ରଣୀ ବନଖଣ୍ଡ ଅଧିକାରୀ କେଦାର କୁମାର ସ୍ବାଇଁ, ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ବେହେରା ଓ ହିମାଂଶୁ ଶେଖର ମହାନ୍ତି, ବିଏମ୍ସି ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଏବଂ ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଏଥିସହ ଶିଶୁ ବିହାରର ବରିଷ୍ଠ ନାଗରିକ ସଂଘ, ମହିଳା ସମିତି ଓ ଉଦ୍ଭିଦ ପ୍ରେମୀ ଉପସ୍ଥିତ ଥିଲେ।
ଓଡ଼ିଶା ପରିବେଶ ସମିତି
ଓଡ଼ିଶା ପରିବେଶ ସମିତି ଓ ଟ୍ରାଇଡେଣ୍ଟ୍ ଏକାଡେମି ଅଫ୍ ଟେକ୍ନୋଲୋଜିର ମିଳିତ ଆନୁକୂଲ୍ୟରେ ଆଜି ଏକାଡେମି ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଟ୍ରାଇଡେଣ୍ଟ ଅନୁଷ୍ଠାନ ସମୂହର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବିନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଜୟ କୁମାର ନାୟକ ଯୋଗ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ସୁନ୍ଦର ନାରାୟଣ ପାତ୍ର ଯୋଗ ଦେଇ କବିତା ମାଧ୍ୟମରେ ବୃକ୍ଷମାନେ ବହନ କରୁଥିବା ବିଶେଷ ଗୁଣଗୁଡ଼ିକୁ ବ୍ୟାଖ୍ୟାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ବାଇଁ ତାଙ୍କ ବକ୍ତବ୍ୟରେ ଜଙ୍ଗଲ ସଂରକ୍ଷଣର ଆବଶ୍ୟକତା ଓ ଜୈବ ବିବିଧତାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପ୍ରଫେସର ମାନସ ରଞ୍ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଟ୍ରାଇଡେଣ୍ଟ୍ ଏକାଡେମି ପରିସରରେ ବୃକ୍ଷରୋପଣ କରାଯାଇଥିଲା।
ରୋଟାରି କ୍ଲବ୍ ହେରିଟେଜ୍
ରୋଟାରି କ୍ଲବ୍ ହେରିଟେଜ୍ ପକ୍ଷରୁ କୋରଡ଼କଣ୍ଟା-କେସୁରାସ୍ଥିତ ରାୟାଲ ପବ୍ଲିକ୍ ସ୍କୁଲ୍ ପରିସର ଓ କୁଆଖାଇ ନଦୀବନ୍ଧ ପାର୍ଶ୍ବରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। ଭୁବନେଶ୍ବର ପ୍ଲାଣ୍ଟ୍ ଲଭର୍ସ ଆସୋସିଏସନ୍ର ଡ.ପି.ଶ୍ରୀନିବାସ, ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଯୁଗଳ କିଶୋର ସାହୁ, ରୟାଲ କଲେଜ୍ର ଚେୟାରମ୍ୟାନ୍ ବିଷ୍ଣୁମୋହନ ମହାନ୍ତି ପ୍ରମୁଖ ରୋଟାରି କ୍ଲବ୍ର ମିଳିତ ସହଯୋଗରେ ବୃକ୍ଷରୋପଣ କରିଥିଲେ। କ୍ଲବ୍ର ସଭାପତି ସାରଙ୍ଗଧର ସାମଲ ଏହାର ଶୁଭାରମ୍ଭ କରିଥିଲେ। ରୋଟାରିଆନ ବିନୋଦ କୁମାର, ବିଧୁଭୂଷଣ ସାମନ୍ତଙ୍କ ସମେତ କିଛି ବରିଷ୍ଠ ନାଗରିକ ଓ ସ୍କୁଲ୍ କର୍ମଚାରୀମାନେ ଅଂଶଗ୍ରହଣ କରି ଆମ୍ବ, ପଣସ, ଅଁଳା, ଜାମୁ ଓ ଅନ୍ୟ ବୃକ୍ଷମାନ ଲଗାଇଥିଲେ।
ଟିଏସ୍ଜି ଗୁରୁକୁଳ
ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଟିଏସ୍ଜି ଗୁରୁକୁଳ ପକ୍ଷରୁ ବ୍ୟାପକ ଚାରାରୋପଣ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସ୍କାଉଟ୍/ଗାଇଡ୍ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନିକଟସ୍ଥ ମଳିପଡ଼ା ଗ୍ରାମରେ ଏକ ହଜାରରୁ ଊର୍ଧ୍ବ ଚାରା ବଣ୍ଟନ କରାଯାଇଥିଲା। ‘ପ୍ରକୃତି ଆମର ବନ୍ଧୁ, ଗଛ ବଞ୍ଚିଲେ ଆମେ ବଞ୍ଚିବା’ ବାର୍ତ୍ତା ପ୍ରଚାର କରି ଛାତ୍ରଛାତ୍ରୀମାନେ ଗ୍ରାମବାସୀମାନଙ୍କୁ ବୃକ୍ଷର ଉପକାରିତା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଅପରପକ୍ଷେ ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ବାରା କୁଇଜ୍, ପ୍ରବନ୍ଧ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।