ବନଦୁର୍ଗା ବସ୍ତି ଅଗ୍ନିକାଣ୍ଡ ଘଟଣା: ଖୋଲା ଆକାଶ ତଳେ ୨୫ ପରିବାର

ଭୁବନେଶ୍ୱର: ରସୁଲଗଡ଼ ବନଦୁର୍ଗା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୨୨ ପରିବାରର ୩୦ ବଘରା ଘର ଜଳି ପାଉଁଶ ପରେ ବସ୍ତିବାସିନ୍ଦା ଅସହାୟ ହୋଇପଡ଼ିଛନ୍ତି। ଯଦିଓ ଖାଇବା ପିଇବା ପଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଘର ତିଆରି ହୋଇପାରି ନାହିଁ। ଫଳରେ ଖୋଲା ଆକାଶ ତଳେ ୨୫ ପରିବାର ପିଲାଛୁଆଙ୍କୁ ଧରି ପଡ଼ିରହିଛନ୍ତି। ଏପେଟ କାକର ମାଡ଼କୁ ସେପଟେ ରାସ୍ତାର ଧୂଳି ଅଣନିଶ୍ୱାସୀ କରିଛି। ପୁଣି ସାପ ବେଙ୍ଗର ଭୟ। ଏଭଳି ଦୁର୍ଦଶା ମଧ୍ୟରେ ଦିନ କାଟୁଛନ୍ତି ୨୫ ପରିବାର। ତେବେ ୩ ଦିନ ମଧ୍ୟରେ ଘର ନିର୍ମାଣ କରାଯିବ ବୋଲି ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦୁଇ ଦିନ ବିିତିଯାଇ ଥିଲେ ମଧ୍ୟ ସେମାନଙ୍କୁ ସେଠାରେ ଘର ନିର୍ମାଣ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। କେବଳ ସମସ୍ତ ଘରକୁ ଜରିପାଲ ଯୋଗାଇଦିଆ ଯାଇଛି। ଅନ୍ୟପଟେ ବସ୍ତିବାସିନ୍ଦା କହିଛନ୍ତି ଯେ, ଆମକୁ ଠିକ୍‌ ଠାକ ଖାଇବାକୁ ଦିଆଯାଉଛି। ସକାଳୁ ବ୍ରେଡ୍‌, ମଧ୍ୟାହ୍ନ ଭୋଜନ ପାଇଁ ଭାତ, ଡ଼ାଲମା ଓ ଖଟା, ରାତି ପାଇଁ ମଧ୍ୟ ସମାନ ଖାଦ୍ୟ ଦିଆଯାଉଛି। ହେଲେ ଘର ନିର୍ମାଣ ନେଇ ଆମେ ଆଶଙ୍କାରେ ଅଛୁ। କାରଣ ମଙ୍ଗଳବାର ସକାଳେ ଘର ନିର୍ମାଣ ପାଇଁ ବାଉଁଶ ଓ କାଠ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ସକାଳ ସମୟରେ କେବଳ ଜରିପାଲ ଦିଆଯାଇଥିଲା। ହେଲେ କାଠ କି ବାଉଁଶ ଦିଆଯାଇ ନଥିଲା। ଆଉ ସେଠାରୁ ବସ୍ତିକୁ ଉଠାଇବା ପାଇଁ ସ୍ଥାନୀୟ ନେତା ଆମକୁ କହିଥିଲେ। ନିକଟରେ ଥିବା ଆଉ ଏକ ସ୍ଥାନକୁ ସଫା କରି ସେଠାରେ ଘର କରିବା ପାଇଁ କହିଥିଲେ। ହେଲେ ଆମେ ଏଠାରେ ୨୦ ବର୍ଷ ହେବ ରହିଲୁଣି ସେଠାକୁ କାହିଁକି ଯିବୁ ବୋଲି ସ୍ଥାନୀୟ ନେତାଙ୍କୁ ପଚାରିବାରୁ ସେ ରାଗି ଚାଲିଯାଇଥିଲେ। ଠିକ୍‌ ଏହାର ୨ ଘଣ୍ଟା ପରେ ସ୍ଥାନର ସର୍ଭେ ପାଇଁ ଜଣେ ମହିଳା ଆସି ପହଞ୍ଚି ଥିଲେ। ଆଉ ଘଟଣା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ କେହିଜଣେ ବସ୍ତିବାସିନ୍ଦା ବସ୍ତି ସ୍ଥାନାନ୍ତର କଥା ଭଦ୍ରମହିଳାଙ୍କୁ କହିପକାଇଥିଲା। ହେଲେ ଏଠାରୁ ନଯିବା ପାଇଁ ଭଦ୍ର ମହିଳାଜଣଙ୍କ ବସ୍ତିବାସିନ୍ଦାଙ୍କୁ କହିଥିଲେ। ନଚେତ ଘର ମିଳିବ ନାହିଁ ବୋଲି ସେ କହିଥିଲେ। ଏପଟେ ସ୍ଥାନୀୟ ନେତା ଓ ସେପଟେ ସର୍ଭେରେ ଆସିଥିବା ଭଦ୍ର ମହିଳାଙ୍କ କଥା ଘର ନିର୍ମାଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେ ସେଠାରେ ରହିବେ ନା ସଫା କରାଯାଇଥିବା ସ୍ଥାନକୁ ଯିବେ ନେଇ ବାସିନ୍ଦା ଦ୍ୱନ୍ଦରେ ପଡ଼ିଛନ୍ତି।

ଘର ନେଇ ଆଶଙ୍କାରେ ବସ୍ତି ବାସିନ୍ଦା

ପୁଅ ପରୀକ୍ଷା ଦେବ କେମିତି?
ଚାରି ପୁଅ ସ୍ୱାମୀଙ୍କୁ ନେଇ ତାଙ୍କ ପରିବାର। ଘରେ କେହି ନଥିବା ବେଳେ ନିଆଁ ଲାଗି ଘରର ସବୁକିଛି ଜଳିଗଲା। ଏମିତିକି ପିଲାମାନଙ୍କର ବହିପତ୍ର ଓ ବ୍ୟାଗ ବସ୍ତାନି ମଧ୍ୟ ଜଳିଗଲା। ନିଆାଁର ସବୁ କିଛି ଜଳିଗଲା ଏମିତିକି ଖାଇବାକୁ ବାସନ ଖଣ୍ଡେ ମଧ୍ୟ ନାହିଁ। ଏମିତିରେ ନିଜ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏପ୍ରିଲ ମାସରେ ପରିକ୍ଷା ହୋଇଥିବାରୁ ପିଲାମାନଙ୍କ ଭବିଷ୍ୟତ ଏବେ ଏ ନିଆଁ ପାଇଁ ଧୂଳିସାତ ହେବାକୁ ଯାଉଛି ବୋଲି କହିଥିଲେ ଦିପାରାଣୀ ଦାସ।

ନିଆଁ ଦାଉରୁ ଭୋକ ଦାଉ ଅଧିକ
ରାତି ପାହିଲେ ଯାଇଥାନ୍ତେ ଦୋଳ ଯାତ୍ରାରେ ଖେଲଣା ବିକି। ସେଥି ପାଇଁ ଆଗରୁ ବେପାର କରି ରଖିଥିବା ସବୁତକ ଧନରେ କିଣି ଆଣିଥିଲି ଖେଳନା। ଏହିଠାରୁ ଯାହା ଲାଭ ହୋଇଥାନ୍ତା ସେଥିରେ ପିଲାମାନଙ୍କ ପାଇଁ ନୂଆ କପଡ଼ା ଓ ରଙ୍ଗ କିଣିଥାନ୍ତି। ହୁଏତ ଭଗବାନଙ୍କୁ ଏହା ପସନ୍ଦ ନଥିଲା। ଆଗରୁ ମୁଣ୍ଡ ଉପରେ ଛାତ ଥିଲା ବୋଲି ଅଧା ପେଟରେ ମଧ୍ୟ ରହିଯାଉଥିଲୁ କିନ୍ତୁ ଏବେ ସେତକ ମଧ୍ୟ ରହିଲା ନାହିଁ। ତେଣୁ ଏଥର ହୋଲି ମୋ ପାଇଁ କିଛି ମାଇନେ ରଖେନି ବାବୁ ବୋଲି କୋହ ଭରା ସ୍ୱରରେ କହିଥିଲେ ଅବଦୁଲ କୁଦୁସ।

ସମ୍ବନ୍ଧିତ ଖବର