ବନମାଳିପୁର ବିସ୍ଫୋରଣ ଘଟଣା, କୁଆଡ଼େ ଗଲେ ଜ୍ଞାନେନ୍ଦ୍ର? ଫିଟୁନି ରହସ୍ୟ

ଭୁବନେଶ୍ବର: ବାଲିପାଟଣା ଥାନା ଅଧୀନ ବନମାଳିପୁର ନୂଆସାହି ବେଆଇନ ବାଣ କାରଖାନାରେ ଘଟିଥିବା ବିସ୍ଫୋରଣକୁ ୨୦ ଦିନ ବିତିଗଲା। କିନ୍ତୁ ରହସ୍ୟମୟ ଭାବେ ଘଟଣାସ୍ଥଳରୁ ଗାଏବ ହୋଇଯାଇଥିବା ମୃତ ଲକ୍ଷ୍ମୀପ୍ରିୟାଙ୍କ ପତି ଜ୍ଞାନେନ୍ଦ୍ର ମିଶ୍ରଙ୍କ ପତ୍ତା ପାଉନାହିଁ ପୁଲିସ। ଘଟଣା ଥମିଯିବା ପରେ ପୁଲିସ ମଧ୍ୟ ଚୁପ୍ ହୋଇ ବସି ପଡ଼ିଛି। ଫଳରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଯେଉଁଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ତାହା କେବଳ କାଗଜ କଲମରେ ହିଁ ରହିଯାଇଛି। ବାଲିପାଟଣା ଥାନା ପୁଲିସ ତଦନ୍ତରୁ ଜାଣି ପାରିଥିଲା କି, ଜ୍ଞାନେନ୍ଦ୍ର ମିଶ୍ର ଯୋଜନାବଦ୍ଧ ଭାବେ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ପୁଲିସ ଜ୍ଞାନେନ୍ଦ୍ରଙ୍କ ବିରୋଧରେ ପ୍ରମାଣ ନ ପାଇବାରୁ କେସ ନମ୍ବର ୨୦୧/୧୮, ଦଫା ୩୦୪(ଏ) (ମୃତ୍ୟୁ ପାଇଁ ଦାୟୀ)ରେ ମାମଲା ରୁଜୁ କରିଛି। ଜ୍ଞାନେନ୍ଦ୍ର ଗିରଫ ହେବା ପରେ ସେ ହିଁ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇପାରିବେ। ସେହି ଆଧାରରେ ହତ୍ୟା ମାମଲା ରୁଜୁ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବି‌ସ୍ଫୋରଣ ବେଳେ ଘର ଭିତରେ ଉଭୟ ସ୍ବାମୀ-ସ୍ତ୍ରୀ ଥିଲେ ବୋଲି ସ୍ଥାନୀୟ ଲୋକ କହିଥିଲେ। ଏହି ଆଧାରରେ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା। ମୃତ ଶରୀରର ବିଭିନ୍ନ ଅଂଶ ଖିନ୍‌ଭିନ୍ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିଲା। ପୁଲିସ ପ୍ରଥମେ ଦମ୍ପତିଙ୍କ ମୃତ୍ୟୁ ଘଟିଛି ବୋଲି ଧରିନେଇଥିଲା। କିନ୍ତୁ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ସହଯୋଗରେ ମୃତଦେହ ଖୋଜାଖୋଜି କରିବା‌ ବେଳେ ପୁଲିସକୁ ଗୋଟିଏ ମୃତଦେହ ମିଳିଥିଲା। ସନ୍ଦେହ ହେବାରୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ କରି ଘଟଣାସ୍ଥଳରୁ ମାଂସ, ହାଡ଼ ଆଦି ସଂଗ୍ରହ କରିଥିଲା। ସେ ସବୁକୁ ପରୀକ୍ଷାନିରୀକ୍ଷା କରାଯିବା ପରେ ତାହା ଜଣେ ମହିଳାଙ୍କ ବୋଲି ଜଣାପଡ଼ିଥିଲା। ଏଥିରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଘଟଣା ଦିନ କେବଳ ଲକ୍ଷ୍ମୀପ୍ରିୟାଙ୍କ ହିଁ ମୃତ୍ୟୁ ଘଟିଛି।

ଜ୍ଞାନେନ୍ଦ୍ରଙ୍କ ଘରକୁ ବାଣ ଭିଡ଼ିବାକୁ ଦୁଇ ଜଣ ଶ୍ରମିକ ଆସିଥାନ୍ତି। କିନ୍ତୁ ଘଟଣା ଦିନ ଶ୍ରିମକଦ୍ବୟ ଆସି ନ ଥିଲେ। ବି‌ସ୍ଫୋରଣରେ କେବଳ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ଦୁଇ ଝିଅ ପୂଜା, ଫୁଲ, ବାପା ନୃସିଂହ ମିଶ୍ର ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଏହି ଅଘଟଣ ଘଟିବା ସମୟରେ ସମସ୍ତେ ଅନୁପସ୍ଥିତ ରହିବା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ସେହିପରି ଲକ୍ଷ୍ମୀପ୍ରିୟା କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରତ୍ୟେକ ମାସରେ ତାଙ୍କ ପିଛା ପାଖାପାଖି ୩୦ ହଜାର ଟଙ୍କା ଖର୍ଚ ହେଉଥିଲା। ତେଣୁ ଲକ୍ଷ୍ମୀପ୍ରିୟାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରି ଜ୍ଞାନେନ୍ଦ୍ର ଏଭଳି ବିସ୍ଫୋରଣ କରାଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଜୋନାଲ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଜ୍ଞାନେନ୍ଦ୍ର ଗିରଫ ହେବା ପରେ ହିଁ ଘଟଣା ଉପରୁ ରହସ୍ୟ ଉଠିବ। ତାକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ସମ୍ବନ୍ଧିତ ଖବର