ବନମାଳୀପୁର ନିଧି ହତ୍ୟା ମାମଲା : ଦେହାବଶେଷର ହେଲା ଡିଏନଏ ପରୀକ୍ଷା

ଭୁବନେଶ୍ବର/ବାଲିପାଟଣା : ବାଲିପାଟଣା ଥାନା ବନମାଳୀପୁରର ବହୁଚର୍ଚ୍ଚିତ ନିଧିରାମ ଗିରି ହତ୍ୟା ମାମଲାରେ ଡିଏନ୍ଏ ପରୀକ୍ଷା କରାଯାଇଛି। ପ୍ରାୟ ତିନି ମାସ ପରେ ମିଳିଥିବା ଦେହାବଶେଷକୁ ଆଜି ଫରେନସିକ୍ ଲାବରେଟୋରିରେ ଡିଏନ୍ଏ ପରୀକ୍ଷା କରାଯାଇଛି। ଡିଏନ୍ଏ ପରୀକ୍ଷା ପାଇଁ ନିଧିଙ୍କ ବଡ଼ଭାଇ କ୍ଷେତ୍ରମୋହନ ଗିରିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଏହାକୁ ନିଧିରାମଙ୍କ ଦେହାବଶେଷ ସହ ମେଳ କରାଯିବ। କୋର୍ଟଙ୍କ ଅନୁମତି ମିଳିବା ପରେ ଏହି ପରୀକ୍ଷା କରାଯାଇଛି। ରିପୋର୍ଟ ଆସିବାକୁ ପ୍ରାୟ ୭୨ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି। ଯେହେତୁ ତିନି ମାସ ପରେ ନିଧିରାମଙ୍କ ଅର୍ଦ୍ଧଦଗ୍ଧ ଦେହାବଶେଷ ମିଳିଥିଲା ଓ ଅଭିଯୁକ୍ତ ପତ୍ନୀ ଲିଲି ହତ୍ୟା କରିଥିବା ସ୍ବୀକାର କରିଥିଲା। ତେବେ ଆଇନଗତ ଦୃଷ୍ଟିରୁ ଏହି ମୃତଦେହ ନିଧିରାମଙ୍କର ବୋଲି ପୁଲିସକୁ ପ୍ରମାଣ କରିବାକୁ ପଡ଼ିବ। ସେଥିପାଇଁ ଡିଏନଏ ଟେଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଏକ ନମ୍ବର ହାଟରେ ଫିନାଇଲ ବ୍ୟବସାୟ କରୁଥିବା ନିଧିରାମ ଗତ ସେପ୍ଟେମ୍ବର ୧୨ତାରିଖରେ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏ ନେଇ ବାଲିପାଟଣା ଥାନାରେ ନିଖୋଜ ଅଭିଯୋଗ ହୋଇଥିଲା। କିନ୍ତୁ ପତ୍ତା ପାଇ ନ ଥିଲା ପୁଲିସ୍‌। ଗତ ୨୨ତାରିଖରେ ନିଧିରାମଙ୍କ ପତ୍ନୀ ଲିଲି ନିଜେ ସ୍ବାମୀ ନିଖୋଜ ଘଟଣାର ଖୁଲାସା କରିଥିଲେ। ସ୍ବାମୀ ନିଧିରାମଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ପରେ ଦୁଇ ଦିନ ଧରି ଖଟ ତଳେ ମୃତଦେହକୁ ଲୁଚାଇ ରଖିଥିଲେ। ତୃତୀୟ ଦିନରେ ମୃତଦେହକୁ ବାଡ଼ି ପଛ ପଟେ ଥିବା ବାଉଁଶ ବୁଦା ନିକଟରେ ପୋଡ଼ି ଦେଇଥିଲେ। ସମ୍ପୂର୍ଣ୍ଣ ନ ପୋଡ଼ିବାରୁ ଡାଳପତ୍ର ଘୋଡ଼ାଇ ଲୁଚାଇ ଦେଇଥିଲେ। ପୁଲିସ ଦେହାବଶେଷ ଜବତ କରିବା ସହ ଲିଲିଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।

ସମ୍ବନ୍ଧିତ ଖବର