ବନମାଳିପୁର ନିଧି ହତ୍ୟା ମାମଲା: ଦରପୋଡ଼ା ଶବରେ ଫିନାଇଲ୍‌ ଢାଳୁଥିଲା ସ୍ତ୍ରୀ

ହେମଦସ୍ତା ପୁଆ ଜବତ

ବାଲିପାଟଣା: ବନମାଳିପୁର ନିଧିରାମ ଗିରି ହତ୍ୟା ମାମଲାରେ ଗିରଫ ହୋଇଥିବା ସ୍ତ୍ରୀ ଲିଲିଙ୍କୁ ଧରି ଆଜି ଦିମ ତମାମ୍‌ ବାଲିପାଟଣା ଥାନା ପୁଲିସ ଖୋଳତାଡ୍‌ ଜାରି ରଖିଥିଲା। ନିଧିଙ୍କୁ ହତ୍ୟା କରିଛି ବୋଲି ଗତକାଲି ଲିଲି ନିଜ ମୁହଁରେ ଗାଁ ଲୋକଙ୍କ ଆଗରେ ସ୍ୱୀକାର କରିଥିଲେ ମଧ୍ୟ ପୁଲିସ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟ‌ରେ ତଦନ୍ତ ଚଳାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତ ନିଧିଙ୍କ ଅର୍ଦ୍ଧଦଗ୍‌ଧ ଶରୀରର ବିଭିନ୍ନ ଅଂଶ ଜବତ କରାଯାଇଥିଲା। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ବିଭତ୍ସ ହତ୍ୟାକାଣ୍ଡରେ ଲିଲି ସହ ଅନ୍ୟ କେହି ସାମିଲ୍ ଥିବା ସନ୍ଦେହ କରି ଗ୍ରାମବାସୀମାନେ ପୁଲିସକୁ ଅଧିକ ତଦନ୍ତ କରିବାକୁ ଦାବି କରିଛନ୍ତି।

ଗତକାଲି ରାତିରେ ହଠାତ୍ ପଡ଼ୋଶୀମାନଙ୍କୁ ଦେଇଥିବା ବୟାନ୍‌କୁ ଆଜି ଲିଲି ପୁଲିସ ସମ୍ମୁଖରେ ଦୋହରାଇଥିଲେ। ଘଟଣା ଦିନ ରାତିରେ ନିଧି ସହ ଝଗଡ଼ା ଲାଗିବାରୁ ଲିଲି ରାଗରେ ଏକ ହେମଦସ୍ତା ପୁଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ନିଧି ସେହିଠାରେ ହିଁ ଟଳିପଡ଼ିଥିଲେ ଓ ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଘଟଣାକୁ ଲୁଚାଇବା ପାଇଁ ଲିଲି ନିଧିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ୨ ଦିନ କାଳ ଘରେ ରଖିଥିଲେ। କିନ୍ତୁ ଶବ ପଚିଗଲେ, କଥା ପ୍ରଘଟ ହୋଇଯିବ ବୋଲି ସେ ବାଡ଼ିରେ ଥିବା ବାଉଁଶ ବୁଦା ମୂଳେ ପୋଡ଼ି ଦେବା ପାଇଁ ସ୍ଥିର କରିଥିଲେ। ଏକାଥରକେ ପୋଡ଼ି ହେବ ନାହିଁ ବୋଲି ସେ ମୃତଦେହକୁ ଧୀରେ ଧୀରେ ପୋଡ଼ିଥିଲେ ଓ ବଳକା ଅଂଶକୁ ଡାଳପତ୍ରରେ ଘୋଡ଼ାଇ ରଖୁଥିଲେ। ପୁଣି ଗନ୍ଧ ନ ହେବା ପାଇଁ ସେ ଦରପୋଡ଼ା ଶବରେ ଫିନାଇଲ୍‌ ଢାଳି ଦେଉଥିଲେ। ଏମିତିରେ ୫ ଦିନ ପରେ ଶବର ଅଧିକାଂଶ ପୋଡ଼ି ଯାଇଥିଲା। ବାକି ଅଂଶକୁ ଲିଲି ସେମିତି ପୋତି ପକାଇଥିଲେ। ଆଜି ବାଲିପାଟଣା ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀ (ମାଜିଷ୍ଟ୍ରେଟ)ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍‌ ଉକ୍ତ ବାଉଁଶବୁଦା ମୂଳରୁ ନିଧିଙ୍କ ଖପୁରି, ହାତ ଏବଂ ଗୋଡ଼ର ୫ରୁ ଅଧିକ ଖଣ୍ଡ ହାଡ଼, ଅଣ୍ଟା ହାଡ଼, ପିଞ୍ଜରା ହାଡ଼, ଗଳା, ଅଖା, ଲୁଙ୍ଗି, ଫିନାଇଲ ବୋତଲ ପ୍ରଭୃତି ଜବତ କରିଛି। ସେହିଭଳି ଲିଲିଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହେମଦସ୍ତା ପୁଆକୁ ମଧ୍ୟ ବାଡ଼ି ଭିତରୁ ଜବତ କରାଯାଇଛି। ମୃତ ନିଧିରାମଙ୍କ ଜ୍ୱାଇଁ ପ୍ରତାପ କୁମାର ଦେବତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଲିପାଟଣା ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଲିଲିଙ୍କୁ ଗିରଫ କରିଛି।

ଗ୍ରାମବାସୀଙ୍କ ସୂଚନାନୁସାରେ ଲିଲି ପୂର୍ବରୁ ବଳଙ୍ଗା ଅଞ୍ଚଳର ଲକ୍ଷ୍ମୀଧର ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଲକ୍ଷ୍ମୀଧର ଜଣେ ବସ୍‌ କଣ୍ଡକ୍ଟର ଥିଲେ। ତାଙ୍କ ରହସ୍ୟମୟ ମୃତ୍ୟୁ ପରେ ଲିଲି ୨ ଝିଅଙ୍କୁ ସାଙ୍ଗରେ ଆଣି ନିଜ ଗାଁ ବନମାଳିପୁର ଚାଲି ଆସିଥିଲେ। ଗାଁରେ ଭଡ଼ାରେ ରହିବା ଭିତରେ ନିଧିରାମଙ୍କ ସହ ତାଙ୍କ ସମ୍ପର୍କ ଗଢ଼ି ଉଠିଥିଲା ଓ ପରେ ସେମାନେ ଏକାଠି ରହିଥିଲେ। ସେତେବେଳେ ନିଧି ଏକ ପାନ ଦୋକାନ କରିଥିଲେ, କିନ୍ତୁ ପରିବାର ବୋଝ ବଢ଼ିବାରୁ ସେ ଦୋକାନ ଭାଙ୍ଗି ଭୁବନେଶ୍ୱର ଚାଲି ଯାଇଥିଲେ। କ୍ୟାପିଟାଲ ହାଟରେ ସେଠାରେ ଫିନାଇଲ ବ୍ୟବସାୟ କଲେ। ସେହି ସ୍ବଳ୍ପ ଆୟରେ ବି ନିଧି ୪ ଝିଅ(ନିଜର ୨ ଓ ଲିଲି ପୂର୍ବ ସ୍ବାମୀଙ୍କ ୨) ବିବାହ ମଧ୍ୟ କରି ସାରିଥିଲେ। କିନ୍ତୁ ଲିଲି ପ୍ରତିଦିନ ନିଧିଠାରୁ ୧ ହଜାର ଟଙ୍କା ଦାବି କରି ଝଗଡ଼ା କରୁଥିଲେ ଓ ଅକଥନୀୟ ନିର୍ଯାତନା ଦେଉଥିଲେ। ଦିନେ ଦିନେ ତାଙ୍କୁ ଦାଣ୍ଡକୁ ତଡ଼ି କବାଟ କିଳି ଦେଉଥିଲେ। ତେଣୁ ବହୁ ସମୟରେ ନିଧି ଗାଁ ଦାଣ୍ଡରେ ବା ଠାକୁର ଘର ପିଣ୍ଡାରେ ଆଶ୍ରୟ ନେଉଥିଲେ। ଏ ନେଇ ନିଧି ଅନେକ ଥର ଗାଁ ମହିଳା ସମିତିରେ ଫେରାଦ ହୋଇଥିଲେ। ମହିଳା ସମିତିର ବାରମ୍ବାର ତାଗିଦ୍‌ ସତ୍ତ୍ବେ ଲିଲିଙ୍କ ଆଚରଣ ବଦଳିନଥିଲା। ତେବେ ହଠାତ୍ ଗତ ସେପ୍ଟେମ୍ବର ୧୨ରୁ ନିଧି ନିଖୋଜ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର