ଭୁବନେଶ୍ବର : ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ। କିଛି ମୁନାଫାଖୋର୍ ବ୍ୟବସାୟୀ ଅଧିକ ଲାଭ ଆଶାରେ ମଣିଷ ଜୀବନକୁ ବିଷାକ୍ତ କରି ପକାଉଛନ୍ତି। ବ୍ୟସ୍ତବହୁଳ ଜୀବନ ଭିତରେ କେହି ବି କିଛି ଯାଞ୍ଚ କରିବାକୁ ସମୟ ପାଉ ନାହାନ୍ତି। ଯେଉଁଠି ଯାହା ମିଳିଲା, କିଣି ନେଉଛନ୍ତି। ଉପରକୁ ତଟକା ଓ ତାଜା ଦେଖାଯାଉଥିବା ଖାଦ୍ୟ ପଦାର୍ଥ ପ୍ରକୃତରେ ଯେ କେତେ ମାରାତ୍ମକ, ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ। ଆମେ ପ୍ରତିଦିନ ଖାଉଥିବା ପନିପରିବାଠାରୁ ଆରମ୍ଭ କରି ଚାଉଳ, ଡାଲି, ତେଲ, ମିଠା, ଥଣ୍ଡା ପାନୀୟ, ଫଳ ଆଦି ଖାଦ୍ୟ ସାମଗ୍ରୀରେ କିଛି ନା କିଛି ରାସାୟନିକ ଉପାଦାନ ରହିଛି। ମାତ୍ର ଏଗୁଡ଼ିକ ତତ୍କ୍ଷଣାତ ଶରୀର ଉପରେ ପ୍ରଭାବ ପକାଉ ନଥିବାରୁ ଆମେ ଏହାର କୁ-ପ୍ରଭାବକୁ ଅଣଦେଖା କରିଦେଇଥାଉ। ଫଳରେ ଧୀରେଧୀରେ ଏଗୁଡ଼ିକ ଆମକୁ ମୃତ୍ୟୁ ମୁଖକୁ ଟାଣି ନେବାର ଯଥେଷ୍ଟ ସମ୍ଭାବନା ରହିଛି।
କିଛି ଦିନ ତଳେ ଲିଚିରେ ରସାୟନ ଦିଆଯାଉଥିବା ନେଇ ଚର୍ଚ୍ଚା ହେବା ପରେ ଏବେ ପାଚିଲା କଦଳୀକୁ ନେଇ ଗ୍ରାହକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କଦଳୀରେ ରସାୟନ ଦିଆଯାଉଛି କି? ଏହାକୁ ଖାଇବା କେତେ ନିରାପଦ? ସେ ନେଇ ‘ସମ୍ବାଦ’ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଯାହା ତଥ୍ୟ ମିଳିଛି, ତାହା ଚମକାଇଦେବା ଭଳି। ଏଥିଲାଗି ଆମେ ଯାଇ ପହଞ୍ଚିଥିଲୁ ଭୁବନେଶ୍ବରର ସବୁଠାରୁ ବଡ଼ କଦଳୀ ଗୋଦାମ କଳ୍ପନାସ୍ଥିତ ‘କଦଳୀ ଗୋଦାମ ବସ୍ତି’ରେ। କଦଳୀ ଭର୍ତି ବଡ଼ ବଡ଼ ଟ୍ରକ୍ ଲାଗିଥିଲା ବସ୍ତିରେ। ଜଣେ ଦୋକାନୀଙ୍କୁ ପାଚିଲା କଦଳୀ ମାଗିଲୁ। ସେ କହିଲେ, ପାଚିଲା କଦଳୀ ହେବନି, ମାଲ୍ ଏବେ ଆସୁଛି। ଖରା ବେଳେ କିମ୍ବା ସଂଧ୍ୟା ବେଳକୁ ଆସ। ସମ୍ପୂର୍ଣ୍ଣ ନୀଳ ଦେଖା ଯାଉଥିବା କଦଳୀ କ’ଣ ସଂଧ୍ୟା ବେଳକୁ ପାଚିଯିବ ବୋଲି ଆମେ ପ୍ରଶ୍ନ କରିଥିଲୁ। ଉତ୍ତର ମିଳିଲା, ସ୍ପ୍ରେ’ ଦେଇ ପଚାଯିବ। ତେବେ ଦେହ ପାଇଁ ତାହା ଖରାପ ନୁହଁ ବୋଲି ପଚାରିବାରୁ ଦୋକାନୀଜଣଙ୍କ ରାଗି ଯାଇ କୌଣସି ଉତ୍ତର ଦେଇନଥିଲେ।
ବଜାରରେ ସବୁବେଳେ କଦଳୀର ଚାହିଦା ଦେଖି ବେପାରୀମାନେ ଅଳ୍ପ ସମୟ ଭିତରେ ଅଧିକ ବେପାର କରିବାକୁ ଏହି ଉପାୟ ଅବଲମ୍ବନ କରୁଛନ୍ତି। ହେଲେ ଏହି ରସାୟନ ଯେ ମଣିଷ ଶରୀର ପାଇଁ କେତେ କ୍ଷତିକାରକ, ସେଥିପ୍ରତି କାହାର ନିଘା ନାହିଁ। ଅସମୟରେ ଓ ଅପରିପକ୍ବ ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଇଥାଏ। ଏହା ଶରୀର ପାଇଁ ହାନିକାରକ ହୋଇଥିବାରୁ ଭାରତରେ ‘ଖାଦ୍ୟ ଅପମିଶ୍ରଣ ନିବାରଣ ଆଇନ୍ ଧାରା ୪୪(କକ)’ ଅନୁଯାୟୀ ଏହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହା ସତ୍ତ୍ବେ ସରକାରଙ୍କ ଅପାରଗତା ଯୋଗୁଁ ଏହି ଆଇନ ଏ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ ହୋଇପାରିନାହିଁ।
ଖାଲି କଦଳୀ ନୁହେଁ; ଆମ୍ବ, ଆତ ଓ ପଣସ ଆଦି ଫଳ ମଧ୍ୟ ଏହି ଭଳି ଉପାୟରେ ପଚା ଯାଉଛି। କାର୍ବାଇଡ୍ରେ ପ୍ରଚୁର ପରିମାଣର ଫସ୍ଫରସ୍ ଓ ଆର୍ସେନିକ୍ ରହିଛି। ଯାହାକି ତାପମାତ୍ରା ବୃଦ୍ଧିରେ ସାହାଯ୍ୟ କରିବା ସହ ଅପରିପକ୍ବ ଫଳଗୁଡ଼ିକ ହଳଦିଆ ଓ କମଳା ରଙ୍ଗର ହୋଇ ପାଚିବାକୁ ଆରମ୍ଭ କରେ। ଏହି ଉପାୟରେ ଆମ୍ବ, କଦଳୀ, କମଳା ଓ ତରଭୁଜ ଆଦିକୁ ପଚା ଯାଇଥାଏ। କାର୍ବାଇଡ୍ରେ ବିଷାକ୍ତ ପଦାର୍ଥ ବହୁ ପରିମାଣରେ ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏସିଟିଲିନ୍ ଗ୍ୟାସ୍ କାର୍ବାଇଡ୍ର ଏକ ଉତ୍ପାଦ, ଯାହାକି ଉତ୍ତାପ ଉତ୍ପନ୍ନ କରିଥାଏ। ଏହାକୁ ଖାଇବା ଦ୍ବାରା ସ୍ନାୟୁଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ। କାର୍ବାଇଡ୍ରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ଥିବାରୁ ଏହା ଖାଇବା ଦ୍ବାରା ଅଚେତ ହୋଇଯିବା, ହାତ, ଗୋଡ଼ ଓ ଶରୀର ଦୁର୍ବଳ ହେବା, ଚର୍ମ ଖରାପ ହେବା ଓ ନିମ୍ନ ରକ୍ତଚାପ ଆଦି ସମସ୍ୟା ଦେଖା ଦେଇଥାଏ।
ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଫଳ ବ୍ୟବସାୟୀମାନେ କାର୍ବାଇଡ୍ ବା ଏଥିଲିନ୍ ଗ୍ୟାସ୍ ଦ୍ବାରା ଫଳ ପଚାଉଥିବା ଦେଖିବାକୁ ମିଳୁଥିଲା। ଏନେଇ ବହୁ ଥର ଚଢ଼ଉ ହେବା ସହ ନମୁନା ଯାଞ୍ଚ କରାଯାଉଛି। ଏହା ଛଡ଼ା ବର୍ତ୍ତମାନ ଏକ ରସାୟନର ଗୁଣ୍ଡ ବ୍ୟବହାର କରାଯାଉଥିବା ଦେଖାଯାଉଛି। ଏହା କ’ଣ? ଏହା ଶରୀର ପାଇଁ କେତେ ଲାଭକାରୀ ବା ହାନିକାରକ ସେ ନେଇ କିଛି ତଥ୍ୟ ମିଳିପାରିନାହିଁ। ଏନେଇ ଖୁବ୍ ଶୀଘ୍ର ଚଢ଼ଉ ହେବା ସହ ଗ୍ରାହକଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।
ଘାତକ କାର୍ବାଇଡ୍
କୃଷି ବିଶେଷଜ୍ଞ ଡ. ଶଶିକଳା ବେଉରା କୁହନ୍ତି, ବର୍ତ୍ତମାନ ଆମେ ଫଳ ପଚାଇବାରେ ପ୍ରାକୃତିକ ଉପାୟ ଅବଲମ୍ବନ ନ କରି ରସାୟନର ବ୍ୟବହାର କରି ଫଳ ପଚାଉଛେ। ଫଳରେ ଏହା ଆମ ହୃତ୍ପିଣ୍ଡ ଓ କିଡ୍ନି ଉପରେ ଅନେକ ସମୟରେ ଖରାପ ପ୍ରଭାବ ପକାଇଥାଏ। ଆଗରୁ କଦଳୀ ପାଚିବା ପାଇଁ ଏହାକୁ ଗାତ ଭିତରେ ରଖି ନଚେତ୍ ଧୂଆଁ ଦେଇ ପଚାଉଥିଲେ। କିନ୍ତୁ ଏବେ କାର୍ବାଇଡ୍ ଦେଇ ପଚା ଯାଉଛି, ଯାହାକି ଶରୀର ପାଇଁ କ୍ଷତିକାରକ। କଦଳୀ ପଚାଇବା ପାଇଁ ଆମେ ‘ଏଥିଲିନ୍ ଗ୍ୟାସ୍’ ମଧ୍ୟ ବ୍ୟବହାର କରିପାରିବା। କଦଳୀରେ ଏଥିଲିନ୍ ଗ୍ୟାସ୍ ଟିକେ ବାଜିଲେ ଆପେ ଆପେ କଦଳୀରୁ ଏଥିଲିନ୍ ଗ୍ୟାସ୍ ନିର୍ଗତ ହୁଏ ଓ ତାହା ପାଚିଯାଏ। ଏହି ପାଚିଲା କାନ୍ଦିକୁ କଞ୍ଚା କଦଳୀ କାନ୍ଧି ପାଖରେ ରଖିଲେ ସେଥିରୁ ନିର୍ଗତ ଏଥିଲିନ୍ ଗ୍ୟାସ ପ୍ରଭାବରେ କଦଳୀ ପାଚେ। କିନ୍ତୁ ଏହି ଏଥିଲିନ୍ ଗ୍ୟାସ୍ ବହୁ କମ୍ ପରିମାଣରେ ବ୍ୟବହାର କରିବା କଥା। ଏଥିପାଇଁ ୧୦୦ ପିପିଏମ୍ ଏଥିଲିନ୍ର ବ୍ୟବହାର ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ୧ ଲିଟର ପାଣିରେ ଗୋଟିଏ ମିଲିଗ୍ରାମ୍ ଏଥିଲିନ୍ ଢାଳି ଏହାକୁ ସିଞ୍ଚନ କରିବା ଦ୍ବାରା କଦଳୀ ଏହା ପରଦିନ ହଳଦିଆ ହେବା ସହ ତା’ ପର ଦିନ ପାଚିଯାଏ। ଏହା ହେଉଛି ୪୮ ଘଣ୍ଟିଆ ପ୍ରକ୍ରିୟା। କିନ୍ତୁ ଜଲ୍ଦି କଦଳୀ ପଚାଇବା ଉଦ୍ଦେଶ୍ୟରେ ବ୍ୟବସାୟୀମାନେ ଏହାକୁ ମାତ୍ରାଧିକ ବ୍ୟବହାର କରୁଥିବା ଦେଖାଯାଉଛି, ଯାହାକି ଶରୀର ପାଇଁ ହାନିକାରକ।
ଅତ୍ୟଧିକ ରସାୟନିକ ଦ୍ରବ୍ୟ ପେଟ ଅଲ୍ସରର କାରଣ
କର୍କଟ ରୋଗ ବିଶେଷଜ୍ଞ ତଥା ସମ୍ ହସ୍ପିଟାଲ୍ର କର୍କଟ ବିଭାଗ ମୁଖ୍ୟ ଡାକ୍ତର ଅମିତାଭ ଜେନା କୁହନ୍ତି, କୃତ୍ରିମ ଉପାୟରେ ଫଳ ପଚାଇବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍, ଏଥିଲିନ୍ ଓ ଏଥିଫନ୍ ଆଦି ରସାୟନର ବ୍ୟବହାର କରାଯାଏ। ଏହା ମଧ୍ୟରୁ କ୍ୟାଲ୍ସିୟମ୍ କାର୍ବାଇଡ୍ ଶରୀର ପାଇଁ ହାନିକାରକ ହୋଇଥିବାରୁ ଏହାକୁ ଭାରତ ସମେତ ବହୁ ଦେଶରେ ନିଷେଧ କରାଯାଇଛି। ଅନ୍ୟପଟେ ଏଥିଲିନ୍ ରସାୟନର ବ୍ୟବହାର ନିରାପଦ ଥିବା ବେଳେ ଏହାକୁ ଗ୍ୟାସ୍ ଅପେକ୍ଷା ତରଳ ଅବସ୍ଥାରେ ଓ ଦିଆଯାଇଥିବା ଉପଦେଶ ଅନୁସାରେ ବ୍ୟବହାର କରିବା ଭଲ। ଅତ୍ୟଧିକ ରସାୟନର ବ୍ୟବହାର ଫଳରେ ପେଟରେ ଅଲ୍ସର୍ ହେବାର ଆଶଙ୍କା ଥାଏ। କାରବାଇଡ୍ରେ ପ୍ରଚୁର ପରିମାଣର ଫସ୍ଫରସ୍ ଓ ଆର୍ସେନିକ୍ ରହିଛି। ଯାହାକି କର୍କଟ ରୋଗର ପ୍ରମୁଖ କାରଣ, ଯକୃତ ଖରାପ ମଧ୍ୟ ହୋଇଥାଏ। ଯଦି ଫଳ ଚାରିଆଡ଼େ ସମାନ ରଙ୍ଗର ହୋଇଛି ତେବେ ତାହା ରସାୟନ ଦେଇ ପଚା ଯାଇଥିବା ଜଣାପଡ଼େ। ସେହିପରି ଫଳ ଯଦି ଛିଟ ପଡ଼ିଲା ଭଳି ଦାଗ ଦାଗ ହୋଇ ପାଚିଥାଏ ତେବେ ତାହା ପ୍ରାକୃତିକ ଉପାୟରେ ପାଚିଥିବା ଜଣାପଡ଼େ। ରସାୟନ ବ୍ୟବହାରର କୁପ୍ରଭାବ ବିଷୟରେ ଗ୍ରାହକ ଓ ବ୍ୟବସାୟୀଙ୍କୁ ସଚେତନ କରିବା ଦ୍ବାରା ଏହା କମିପାରିବ ବୋଲି ଡାକ୍ତର ଜେନା କହିଛନ୍ତି।