ଭୁବନେଶ୍ବର: ଚଳିତ ବର୍ଷ ପୁରୁଣା ଷ୍ଟେସନ ବଜାରରେ ଝଲମଲ କରିବ ବାରଣାସୀ ଗଙ୍ଗାଘାଟ। ପ୍ରବାହମାନ ଗଙ୍ଗା ନଦୀକୂଳର ଘାଟ, ଡଙ୍ଗା, କୋଠାବାଡ଼ି, ମଠ, ମନ୍ଦିର, ଧ୍ୟାନରତ ସାଧୁସନ୍ଥଙ୍କ ନକଲ ସତ ଭଳି ପ୍ରତୀୟମାନ ହେବ। ବଡ଼ କଥା ହେଉଛି, ଗଙ୍ଗାଘାଟର ଅବିକଳ ନକଲ ପ୍ରସ୍ତୁତ କରୁଛନ୍ତି ଓଡ଼ିଆ କାରିଗର। ଓଡ଼ିଆ ଶିଳ୍ପୀମାନଙ୍କ ହାତର ଯାଦୁ ଏବର୍ଷ ପବିତ୍ର ଗଙ୍ଗାଘାଟ ବାରଣାସୀକୁ ଭୁବନେଶ୍ବର ନେଇ ଆସିବ। କେବଳ ସେତିକି ନୁହେଁ, ମଣ୍ଡପ ଭିତରେ ଶିହରଣ ଖେଳାଇବ ପ୍ରସିଦ୍ଧ ବିକ୍ରମ ବେତାଳ କାହାଣୀର ଭୟଙ୍କର ଦୃଶ୍ୟ। ଘଞ୍ଚ ଜଙ୍ଗଲରେ ରାଜା ବିକ୍ରମାଦିତ୍ୟ ବେତାଳକୁ କାନ୍ଧରେ ନେଇ ଯାଉଥିବେ। ରାଜା ମା’ ଦୁର୍ଗାଙ୍କୁ ପୂଜା କରୁଥିବେ। ବେତାଳର କିଳିକିଳା ରଡ଼ି ଶୁଭୁଥିବ। ରାଜା ବିକ୍ରମାଦିତ୍ୟଙ୍କ କାନ୍ଧରୁ ଓହ୍ଲାଇ ବେତାଳ ପୁଣି ଗଛକୁ ଉଡ଼ି ଯାଉଥିବ। ଏସବୁ ଦୃଶ୍ୟ ବିଦ୍ୟୁତ୍‌ଚାଳିତ ଯନ୍ତ୍ର ବା ଉପକରଣ ଦ୍ବାରା ପରିବେଷଣ କରାଯିବ। ମହାଷ୍ଟମୀ ତିଥି ପୂଜାଠାରୁ ବିସର୍ଜନ ପର୍ଯ୍ୟନ୍ତ ଏହି ଦୃଶ୍ୟ ପ୍ରଦର୍ଶନ କରାଯିବ ଏବଂ ଏହା ପ୍ରତ୍ୟହ ୨୪ଘଣ୍ଟା ଧରି ଚାଲିବ।

Advertisment

୧୯୫୫ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୬୭ ବର୍ଷରେ ପହଞ୍ଚିଛି। ଏବର୍ଷ ମା’ଙ୍କର ୧୬ ଫୁଟ୍‌ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯିବ। ରାଜଧାନୀର ପ୍ରଥମ ଚାନ୍ଦି ମେଢ଼ ପ୍ରସ୍ତୁତ କରିଥିବା ଏହି ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ଅନ୍ୟ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ସୁନା ଓ ରୁପା ଅଳଙ୍କାରରେ ଭୂଷିତ କରାଯିବ। ଅଷ୍ଟମୀ ପୂଜାଠାରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ଅନ୍ନପ୍ରସାଦ ଲାଗି ହେବ ଓ ଲୋକଙ୍କୁ ବଣ୍ଟନ କରାଯିବ। ବିଶେଷକରି ଅଷ୍ଟମୀ ଦିନ ମା’ଙ୍କ ପାଖରେ ଦହି ପଖାଳ ଭୋଗ ଲାଗି କରାଯିବ। ପ୍ରତିବର୍ଷ ରାତି ୨ଟାରେ ସାର୍ବଜନୀନ ଦର୍ଶନ ବନ୍ଦ ହେଉଥିବା ବେଳେ ଏଥର କିନ୍ତୁ ୨୪ ଘଣ୍ଟିଆ ଦର୍ଶନର ବ୍ୟବସ୍ଥା କରାଯିବ। ମୀନାବଜାର ଓ ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେ‌ବ।

୬୦ ଲକ୍ଷ ଟଙ୍କାର ବ୍ୟୟବରାଦ

publive-image

୬୭ ବର୍ଷ ତଳେ ୧୪ ଟଙ୍କାରୁ ଆରମ୍ଭ ହୋଇଥିବା ମା’ଙ୍କ ପୂଜା ପାଇଁ ଚଳିତ ବର୍ଷ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗଙ୍ଗାଘାଟ ଭଳି ୨ହଜାର ବର୍ଷ ତଳର ପ୍ରାଚୀନ ଦୃଶ୍ୟ ପରିକଳ୍ପନା ହୋଇଥିବାରୁ ଶ୍ରଦ୍ଧାଳୁଙ୍କର ଭିଡ଼ ହେବ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ସ୍ବତନ୍ତ୍ର ଭାବେ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ପ୍ରତିବର୍ଷ ଭଳି ଏଥର ବି ଆମେ କେବଳ ଓଡ଼ିଆ କାରିଗରମାନଙ୍କୁ ସୁଯୋଗ ଦେଇଥିବାରୁ ବେଶ୍ ଗର୍ବିତ।
ଦୀପକ କୁମାର ଜେନା, ସଂପାଦକ

୨୪ ଘଣ୍ଟିଆ ଦର୍ଶନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

publive-image

କରୋନା ମହାମାରୀ ଯୋଗୁଁ ୨ ବର୍ଷ ହେଲା ଲୋକମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ତେଣୁ ସ୍ବାଭାବିକ ଭାବେ ଏବର୍ଷ ଅଧିକ ଗହଳି ହେବ। ଚଳିତ ବର୍ଷ ଆମେ ୨୪ ଘଣ୍ଟିଆ ଦର୍ଶନ ବ୍ୟବସ୍ଥା କରିଛୁ। ଫଳରେ ଉଭୟ ରାଜଧାନୀବାସୀ ଓ ରାଜଧାନୀ ବାହାରର ଲୋକେ ଭଲରେ ମା’ଙ୍କ ଦର୍ଶନ କରି କୃପାଲାଭ କରିବେ। ଏଥିପାଇଁ କମିଟିକୁ କଷ୍ଟ କରିବାକୁ ପଡ଼ିବ। ତଥାପି କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।
ଗଣେଶ ପ୍ରସାଦ ସାହୁ, ସଭାପତି