ସଚିବାଳୟକୁ ଆସି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ପୂର୍ବାହ୍ନରେ ନିମନ୍ତ୍ରଣ, ସନ୍ଧ୍ୟାରେ କରାଗଲା ମନା

ଭୁବନେଶ୍ବର: କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପାଇଁ ମୁଖ୍ୟମନ୍ତ୍ରୀ କହିବା ପରେ ଏହାକୁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥିପାଇଁ ସୂଚନା ଓ ଲେକାସମ୍ପର୍କ ବିଭାଗ ପକ୍ଷରୁ ସୁବାସ ଦାସ ଓ ତୃପ୍ତି ଦାସଙ୍କ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗୀତର ରେକର୍ଡିଂ ମଧ୍ୟ କରାଯାଇଛି। ତେବେ ସଂସ୍କୃତି ଜଗତର କିଛି ବରେଣ୍ୟ ବ୍ୟକ୍ତିଙ୍କୁ ଏହି ଗୀତ ଗାଇବାକୁ ସଚିବ‌ାଳୟ ଡକାଯାଇଥିଲେ ହେଁ ପରବର୍ତୀ ସମୟରେ ମନା କରି ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ଏହି ରାଜ୍ୟ ସଂଗୀତ ଗାନ ପାଇଁ ସାହିତ୍ୟିକ ହରପ୍ରସାଦ ଦାସ, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଚିତ୍ରଶିଳ୍ପୀ ରାମହରି ଜେନା, ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ, ଗାନ୍ଧୀବାଦୀ ପ୍ରହ୍ଲାଦ ସିହ୍ନାଙ୍କ ସମେତ ମୋଟ ୧୦ଜଣଙ୍କୁ ସଚିବାଳୟକୁ ଡକାଯାଇଥିଲା। ମାତ୍ର ସନ୍ଧ୍ୟାରେ ପୁଣି ସେମାନଙ୍କୁ ଫୋନ୍‌ ଯୋଗେ ମନା କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ବରିଷ୍ଠତା ଦୃଷ୍ଟିରୁ ଶେଷରେ ସେମାନଙ୍କୁ ମନା କରି ଦିଆଯାଇଛି। ଏଥିସହ ସଚିବାଳୟ ମଧ୍ୟକୁ ଏତେ ସଂଖ୍ୟାରେ ଗାଡ଼ି ପ୍ରବେଶ କରାଇବା ସମ୍ଭବ ନଥିବାରୁ ସମ୍ପୃକ୍ତ ବିଶିଷ୍ଟ ବ୍ୟକ୍ତିମାନେ ଚାଲିଚାଲି ଯିବା ସମ୍ଭବ ହୋଇ ନଥାଆନ୍ତା। ତେଣୁ ଶେଷ ମୁହୂର୍ତରେ ସେମାନଙ୍କୁ ମନା କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର