ବାନ୍ଧବୀଙ୍କୁ ହତ୍ୟା ମାମଲା: ଏତେ ତରବର କାହିଁକି?

ମୁହଁ ଖୋଲିଲେ ଅଭିଯୁକ୍ତଙ୍କ ସାବତ ମା’, ରିମାଣ୍ଡରେ ଆସିବେନି ଅଭିଯୁକ୍ତ: ଡିସିପି

ଭୁବନେଶ୍ୱର: ବାନ୍ଧବୀକୁ ଛୁରି ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ଅନିଷା ମିତ୍ରକୁ ଗିରଫ କରି କୋର୍ଟଚାଲାଣରେ ହିଁ ପୁଲିସର ଯେମିତି ତଦନ୍ତ ସରି ଯାଇଛି। ଅଭିଯୁକ୍ତ, ତଥ୍ୟ-ପ୍ରମାଣ ଓ ସ୍ୱୀକାରୋକ୍ତି; ସବୁ ମିଳି ଯାଇଥିବାରୁ ପୁଲିସ ଆଉ ସମ୍ଭବତଃ ଏଥିରେ ବେଶି ଘାଣ୍ଟି ଚକଟି ହେବାକୁ ଚାହୁନାହିଁ। ଖାସ୍‌ ଏଇଥିପାଇଁ ବୋଧେ ଅନିଷାଙ୍କୁ ରିମ‌ାଣ୍ଡରେ ଆଣିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡିସିପି ଅନୁପ ସାହୁ ଗଣମାଧ୍ୟମକୁ କହିଛନ୍ତି। ସଡନ୍‌ ପ୍ରଭୋକେସନ୍‌(ହଠାତ୍‌ ରାଗିଯିବା)ରୁ ଏହି ଆପରାଧିକ ଘଟଣା ଘଟିଥିବା କହି ପୁଲିସ ଚୁପ୍‌ ବସି ପଡ଼ିଛି। ତେବେ ପାଖାପାଖି ୧୦ବର୍ଷ ଧରି ଏକାଠି ରହି ଆସୁଥିବା ୨ ବାନ୍ଧବୀଙ୍କ ମଧ୍ୟରେ ହଠାତ୍‌ ଏମିତି କ’ଣ ଶତ୍ରୁତା ହୋଇଗଲା ଯେ ଅଳକାଙ୍କ ଜୀବନ ଯିବା ପର୍ଯ୍ୟନ୍ତ ଅନିଷ‌‌ା ତାଙ୍କୁ ଛୁରି ଭୁସି ଚାଲିଲେ, ତାହା ଜାଣିବାକୁ ପୁଲିସ ଚେଷ୍ଟା ବି କରୁନାହିଁ। ମୃତ ଅଳକା କିମ୍ବା ଅଭିଯୁକ୍ତ ଅନିଷାଙ୍କ ପରିବାରଲୋକଙ୍କୁ ବି ଏ ସଂପର୍କରେ କିଛି ପଚରାଉଚରା କରିନାହିଁ। ଉଭୟଙ୍କ ସଂପର୍କ କିପରି ଥିଲା, ଦୁହେଁ କେତେ ନିକଟତର ଥିଲେ, ତାହା ମଧ୍ୟ ପୁଲିସ ଜାଣିବାକୁ ଚେଷ୍ଟା କରିନାହିଁ। ସେହିପରି ଏହି ଘଟଣାର ଏକମାତ୍ର ସାକ୍ଷୀ ଘରମାଲିକଙ୍କୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିବାକୁ ଉଚିତ୍‌ ମନେ କରୁନାହିଁ। ଅପରପକ୍ଷେ ଘଟଣାସ୍ଥଳରୁ ମିଳିଥିବା ଅଳକାଙ୍କ ଡାଏରି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବ ବୋଲି ଗତକାଲି ପୁଲିସ କହିଥିଲେ ହେଁ କିଛି ପଇସାପତ୍ର ହିସାବ ବ୍ୟତୀତ ପୁଲିସକୁ ଆଉ କିଛି ମିଳିନଥିବା ଜଣାଯାଇଛି। ଉପଯୁକ୍ତ ତଦନ୍ତ ନ କରି ତରବରିଆ ଭାବେ ମାତ୍ର ୪୮ ଘଣ୍ଟା ଭିତରେ ପୁଲିସ ଏକ ନିଷ୍କର୍ସରେ ପହଞ୍ଚିଯିବା ଘଟଣା ନାନା କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। କୌଣସି ଚାପରେ ପଡ଼ି ପୁଲିସ ଘଟଣାକୁ ଅଧିକ ଫେଣେଇବାକୁ ଉଚିତ୍‌ ମନେ କରୁନାହିଁ ନା ଏହାର ଅନ୍ୟ କିଛି କାରଣ ଅଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ଅଳକାଙ୍କ ମୃତ୍ୟୁ ପରେ ତାଙ୍କ ସାନ ଭଉଣୀ ମଧୁଛନ୍ଦାଙ୍କ ଦୁଇ ଧାଡ଼ି ବୟାନ ବ୍ୟତୀତ ପରିବାର ସଦସ୍ୟ ମୁହଁ ନ ଖୋଲିବା ମଧ୍ୟ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି। ବାନ୍ଧବୀକୁ ଛୁରି ଭୁସି ହତ୍ୟା କରିବା ଘଟଣାରେ ପୁଲିସ ଅଭିଯୁକ୍ତ ଅନିଷା ମିତ୍ରଙ୍କୁ ଗିରଫ କରିଥିଲେ ହେଁ ଏପର୍ଯ୍ୟନ୍ତ ହତ୍ୟାର କାରଣ ସଂପର୍କରେ ଜାଣି ପାରିନାହିଁ। ପାଖାପାଖି ୧୦ବର୍ଷ ଧରି ଏକାଠି ରହୁଥିବା ୨ ବାନ୍ଧବୀଙ୍କ ମଧ୍ୟରେ ହଠାତ୍‌ ଏମିତି କ’ଣ ଘଟିଗଲା ଯେ ଅଳକାଙ୍କ ଜୀବନ ଯିବା ପର୍ଯ୍ୟନ୍ତ ଅନିଷ‌‌ା ତାଙ୍କୁ ଛୁରି ଭୁସିଲେ; ତାହା ଏବେ ବି ରହସ୍ୟ ଘେରରେ ରହିଛି। ତଥ୍ୟ, ପ୍ରମାଣ ଓ ଅଭିଯୁକ୍ତ ମିଳି ଯାଇଥିବା ଭାବି ପୁଲିସ ଏହି ମାମଲାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ଟାଣି ଦେଇଛି। ତେଣୁ ଅନିଷାଙ୍କୁ ରିମାଣ୍ଡରେ ଆଣି ହତ୍ୟାର କାରଣ ଜାଣିବା ସମୟ ନଷ୍ଟ ବୋଲି ପୁଲିସ ଭାବୁଛି। କିନ୍ତୁ ଏହି ଘଟଣାରେ ଆଜି ଅନିଷାଙ୍କ ମା’ ‘ସମ୍ବାଦ’କୁ ଦେଇଥିବା ମନ୍ତବ୍ୟ ଏହି ପ୍ରସଙ୍ଗକୁ ଜୀବନ୍ତ ରଖିବା ସହ ଅନେକ କଳ୍ପନାଜଳନ୍ପନାକୁ ଜନ୍ମ ଦେଇଛି।

ନିଜ ଘରେ ରହୁ ନଥିଲେ ଅନିଷା
ଅଳକା ହତ୍ୟା ଘଟଣାର ଏକମାତ୍ର ଅଭିଯୁକ୍ତ ଅନିଷା ନିଜ ଘରେ ରହୁନଥିଲେ। ରାଜଧାନୀ ଛାତି ଉପରେ (ଝାରପଡ଼ା)ରେ ତାଙ୍କ ସ୍ୱର୍ଗତ ବାପାଙ୍କ ୨ମହଲା କୋଠାଘର ଥିଲେ ହେଁ ସେ ଦୀର୍ଘ ୩ବର୍ଷ ହେଲା ଭଡ଼ାଘରେ ରହି ଆସୁଥିଲେ। ବାପାଙ୍କ ମୃତ୍ୟୁ ପରେ ଅନିଷା ବାହାରକୁ ଗୋଡ଼ କାଢ଼ିଥିଲେ। ଚାକିରି ପାଇଁ ସେ କୋରାପୁଟ, କେଉଁଝର, ନିମାପଡ଼ା ଆଦି ଅଞ୍ଚଳରେ ୭ବର୍ଷ ରହିଥିଲେ। ଗୋଟିଏ ସଂସ୍ଥାରେ କାମ କରିବା ବେଳେ ଅଳକାଙ୍କ ସହ ବନ୍ଧୁତା ହୋଇଥିଲା। ୩ବର୍ଷ ତଳେ ଉଭୟ ରାଜଧାନୀକୁ ଫେରିଥ‌ିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଭୁବନେଶ୍ୱରରେ ଅନିଷା ନିଜ ଘରେ ନ ରହି ପୁରୁଣା ଭୁବନେଶ୍ୱର‌ରେ ଅଳକାଙ୍କ ସହ ଭଡ଼ାଘରେ ରହୁଥିଲେ। ଅନିଷାଙ୍କ ସାବତ ମା’ ଆଜି ‘ସମ୍ବାଦ’କୁ ଏହି ତଥ୍ୟ ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ଅନିଷା ଅଲଗା ରହୁଥିଲେ, ପ୍ରଶ୍ନ କରିବାରୁ, ସେ ତାହାକୁ ଏଡ଼ାଇ ଯିବା ସହ ବିରକ୍ତିଭାବ ପ୍ରକାଶ କରିଥିଲେ। ଏ ପ୍ରସଙ୍ଗରେ କିଛି କହିବା ପାଇଁ ଚାହୁଁନାହିଁ କିମ୍ବା ମୋ’ ନାଁ ମଧ୍ୟ ଖବର କାଗଜରେ ଛାପ ନାହିଁ ବୋଲି ସେ ରୋକଠୋକ୍‌ କହିଥିଲେ।

ରିମାଣ୍ଡର ଆବଶ୍ୟକତା ନାହିଁ: ଡିସିପି
ତଥ୍ୟ, ପ୍ରମାଣ ଓ ଅଭିଯୁକ୍ତ ମିଳି ଯାଇଥିବାରୁ ଅନିଷାଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡିସିପି ଅନୁପ ସାହୁ। ଘଟଣାସ୍ଥଳରେ ଥିବା ସମସ୍ତ ପ୍ରମାଣ ସହ ଅଭିଯୁକ୍ତଙ୍କ ବୟାନ ଯଥେଷ୍ଟ।

ଅଭିଯୁକ୍ତକୁ ରିମାଣ୍ଡରେ ନେବା ଜରୁରୀ: ବରିଷ୍ଠ ଆଇନଜୀବୀ
ଅଭିଯୁକ୍ତକୁ ରିମାଣ୍ଡରେ ନେବା ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି କମିସନରେଟ୍‌ ପୁଲିସ। ଘଟଣାସ୍ଥଳରୁ ଉପଯୁକ୍ତ ପ୍ରମାଣ ସହ ପାରିପାର୍ଶିକ ପରିସ୍ଥିତି ଓ ଅଭିଯୁକ୍ତଙ୍କ ବୟାନ ଯଥେଷ୍ଟ ବୋଲି ପୁଲିସ କହିଛି। କିନ୍ତୁ ସବୁଠାରୁ ଭଲ ବନ୍ଧୁ ଏଭଳି ହତ୍ୟା କରିବା ପଛରେ କେବଳ ସଡନ ପ୍ରୋଭୋକେସନ ନାହିଁ ବରଂ ଆଉ କିଛି ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି। କେବଳ ପଇସା କିମ୍ବା ବାହାଘର କାରଣ ନୁହେଁ, ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପୂର୍ବରୁ ଏଥିପାଇଁ ଅଭିଯୁକ୍ତ ଯୋଜନା କରିଛି। ଏହାର ମୂଳ କାରଣ ଖୋଜିବା ଆବଶ୍ୟକତା ରହିଛି। ଏଣୁ ପୁଲିସ ରିମାଣ୍ଡରେ ନେଉ ବୋଲି ସେ କହିଛନ୍ତି।

‘ବାହାଘର ପାଇଁ ବିବାଦ ନାହିଁ’
ସେ ଆହୁରି ମଧ୍ୟ କହିଛନ୍ତି, ଅନିଷା ଓ ଅଳକା ମଝିରେ ମଝିରେ ତାଙ୍କ ଘରକୁ ବୁଲି ଆସନ୍ତି। ସେହି ସମୟରେ ବାହାଘର କଥା ଉଠିଲେ, ଅନିଷା କହନ୍ତି, ତାଙ୍କ ବାପା ନାହାନ୍ତି; ପଇସା କେଉଁଠୁ ଆସିବ ଯେ ବାହାଘର ହେବ? ଅଳକାର ସମସ୍ତେ ଅଛନ୍ତି ସେ ବାହା ହେଉ। ଅଳକାଙ୍କ ବାହାଘରକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିବା ପୁଲିସ କହୁଥିବା ବେଳେ ସାବତ ମା’ଙ୍କ ଏତାଦୃଶ ବୟାନ ଏବେ ମାମଲାକୁ ଅଧିକ ସନ୍ଦେହଜନକ କରିଦେଇଛି।

ଜାମିନ୍‌ ଆବଦେନ କଲେନି ସାବତ ମା’
ହତ୍ୟା ଅଭିଯୋଗରେ ଝିଅ ଗିରଫ ହୋଇଥିବା ଖବର ପାଇ ମଧ୍ୟ ସାବତ ମା’ ଅନିଷାଙ୍କ ଜାମିନ୍‌ ଆବେଦନ କରିବାକୁ ଚେଷ୍ଟା କରିନାହାନ୍ତି। ଖାଲି ସେତିକି ନୁହେଁ, ଜେଲ୍‌ ଯାଉଥିବା ଖବର ଜାଣି ମଧ୍ୟ ତାଙ୍କୁ ଥରୁଟିଏ ବି ଦେଖା କରିବା ପାଇଁ ଥାନା କିମ୍ବା କୋର୍ଟକୁ ଯାଇନାହାନ୍ତି। ତେବେ ଏ ସଂପର୍କରେ ସେ କହିଛନ୍ତି ଯେ ସେ ଏ ଘଟଣା ସଂପର୍କରେ ଜାଣିନଥିଲେ। ସେ ତାଙ୍କ ଘର ଭଦ୍ରକ ଯାଇଥିଲେ। ପରେ ଏ କଥା ଜାଣିବାକୁ ପାଇଥିଲେ।

‌ବେସାହାରା ଅନୁଭବ କରୁଥିଲେ ଅନିଷା!
ରାଜଧାନୀରେ ଘର ଥିଲେ ହେଁ ୩ବର୍ଷ ହେଲା ଅଳକାଙ୍କ ସହ ଭଡ଼ାରେ ରହୁଥିଲେ ଅନିଷା। କାହିଁକି ସେ ଘରେ ରହୁ ନଥିଲେ, ସାବତ ମା’ ମୁହଁ ଖୋଲୁନଥିବାରୁ ମା’-ଝିଅଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ଅପରପକ୍ଷେ ବାପା ମରିଯିବା ପରଠାରୁ ଏକୁଟଆ ହୋଇଯାଇଥିଲେ ଅନିଷା। ଏକମାତ୍ର ସାହାରା ଥିଲେ ଅଳକା। କିନ୍ତୁ ତାଙ୍କ ବିବାହ ଠିକ୍‌ ହୋଇଯିବାରୁ ଅନିଷା ଏକପ୍ରକାର ଅସହାୟ ହୋଇପଡ଼ିଥିଲେ। ନିଜକୁ ବେସାହାରା ବୋଲି ମନେ କରୁଥିଲେ। ତେଣୁ ସେ ଅଳକାଙ୍କୁ ବିବାହ ନ କରିବାକୁ ବୁଝାସୁଝା କରୁଥିଲେ ବୋଲି ଅଳକାଙ୍କ ସାନ ଭଉଣୀ ମଧୁଛନ୍ଦା କହି ସାରିଛନ୍ତି।

ଆଶା ଭାଙ୍ଗିଦେଲା ଡାଏରି
ହତ୍ୟାସ୍ଥଳରୁ ପୁଲିସ ମୃତ ଅଳକାଙ୍କ ଡାଏରି ଜବତ କରିଥିଲା। ଏହି ଡାଏରିରୁ ତାଙ୍କ ହତ୍ୟା ସହ ଜଡ଼ିତ କିଛି ତଥ୍ୟ ମିଳିବ ବୋଲି ପୁଲିସ ଆଶା ବାନ୍ଧି ବସିଥିଲା। କିନ୍ତୁ ପୁଲିସର ଆଶା କେବଳ ଆଶାରେ ହିଁ ରହି ଯାଇଛି। କେବଳ ପଇସାପତ୍ର ହିସାବ ଛଡ଼ା ସେଥିରୁ ପୁଲିସକୁ ଆଉ କିଛି ମିଳି ନାହିଁ। ତେବେ ପଇସାପତ୍ର ହିସାବ କିତାବରେ କେତେକ ତଥ୍ୟ ପୁଲିସ ପାଇଛି। ଅଳକା ଅନିଷାଙ୍କୁ ପଇସା ଦେଇଥିବା ଏଥିରେ ପ୍ରମାଣ ରହିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅନିଷା ଘରକୁ ଆସୁ ନଥିଲେ, ଏଣେ ଅଳକା ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଥିଲେ। ଏଣୁ ଅଳକାଙ୍କୁ ହତ୍ୟା କରିବା ପଛରେ ଅର୍ଥ ଅନ୍ୟତମ କାରଣ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର