ଭୁବନେଶ୍ବର: କ୍ରାଇମ ବ୍ରାଞ୍ଚ ଏସ୍ଟିଏଫ୍ର ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ରାଣୀ ମହୁମାଛି ଅଞ୍ଜଳି ଓ ସେକ୍ ଇବ୍ରାହିମ୍ର ରିମାଣ୍ଡ ଅବଧି ଶେଷ ହୋଇଛି। ଦୀର୍ଘ ଦୁଇଦିନର ମାରାଥନ୍ ଜେରାରେ ଏସ୍ଟିଏଫ୍ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ସାରା ରାଜ୍ୟରେ ଏମାନଙ୍କର ନେଟ୍ୱର୍କ ରହିଛି। ପୁରୀ ସମେତ ଅନ୍ୟ ବଡ଼ ବଡ଼ ସହରରେ ଏଭଳି ବ୍ୟବସାୟ କରୁଥିବା ମଧ୍ୟ ଖବର ମିଳିଛି। ଏପରି ଧରପଗଡ଼ ଦେଖି ରାଜଧାନୀରେ ଥିବା କେତେକ ବାଂଲା ରୂପଜୀବୀ କୋଲାକାତା ଫେରି ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ମଧ୍ୟ ଯୋଜନା ହେଉଛି। ସେହିଭଳି ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିବା ଦଲାଲମାନଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଯୋଜନା ହେଉଛି।
ଅଞ୍ଜଳିର ଥିବା ଭାରତୀୟ ପାସପୋର୍ଟକୁ ନେଇ ତନାଘନା କରିଛି ଏସ୍ଟିଏଫ୍। ବାଂଲାଦେଶୀମାନଙ୍କର ଏଭଳି ଭାରତୀୟ ପରିଚୟ ପତ୍ର କିପରି ପ୍ରସ୍ତୁତ ହେଉଛି ତାହାକୁ ନେଇ ଏସ୍ଟିଏଫ୍ ଖୋଳତାଡ଼ କରିଛି। ଖୋଳତାଡ଼ ବେଳେ ଏସ୍ଟିଏଫ୍ କେତେକ ଦଲାଲଙ୍କୁ ଚିହ୍ନଟ କରିଛି। ଏହି ଦଲାଲମାନଙ୍କୁ କୋଲକାତାରୁ ଉଠାଇ ଅଣାଯିବକୁ ଯୋଜନା ହୋଇଛି। ଏଭଳି ନକଲି ପରିଚୟପତ୍ର ଧରି ରାଜ୍ୟରେ ଆଉ କେଉଁଠି କେଉଁଠି ବାଂଲାଦେଶୀ ରହିଛନ୍ତି ତାହାର ମଧ୍ୟ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଉପରେ ନଜର ରଖାଯାଇଛି। କ୍ରମାନ୍ବୟରେ ଚଢ଼ାଉ କରାଯିବ। ବାଂଲାଦେଶୀ କେଉଁ ରାସ୍ତା ଦେଇ ଭାରତ ଆସୁଛନ୍ତି ତାହାର ମଧ୍ୟ ସୁରାକ ମିଳିଛି।