ରାଜଧାନୀରେ ମାଡ଼ିଗଲେଣି ବାଂଲାଦେଶୀ

ଡକାୟତ ଗ୍ୟାଙ୍ଗ୍‌ରୁ ସେକ୍ସ ର‍୍ୟାକେଟ୍‌, ସୀମାରେ ନକଲି ପାସପୋର୍ଟ ଦେଖାଇ ପଶୁଛନ୍ତି

ଚିନ୍ତାରେ କ୍ରାଇମବ୍ରାଞ୍ଚ, କମିସନରେଟ୍‌ ପୁଲିସ
ଗତବର୍ଷ ୨ଟି ବଡ଼ଧରଣର ସଶସ୍ତ୍ର ଡକାୟତି କରିଥି‌ଲେ
ମାଳିସାହିରେ ବି ସକ୍ରିୟ

ଭୁବନେଶ୍ୱର : ବାଂଲା ରୂପଜୀବୀ ଧରାପଡ଼ିବା ପରେ ଏବେ ରାଜଧାନୀରେ ବାଂଲାଦେଶୀମାନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା। ବ୍ରାଉନସୁଗାର କାରବାରଠାରୁ ଆରମ୍ଭ କରି ଡକାୟତି, ଜାଲନୋଟ୍‌ କାରବାର ଓ ସେକ୍ସ ରୢାକେଟ୍‌ ଚଳାଇବା ଭଳି ସଂଘାତିକ ଅପରାଧରେ ସେମାନେ ସଂପୃକ୍ତ ରହୁଛନ୍ତି। ଯାହା ଏବେ କମିସନରେଟ୍‌ ପୁଲିସଠାରୁ ଆରମ୍ଭ କରି କ୍ରାଇମ ବ୍ରାଞ୍ଚର ଅଧିକାରୀମାନଙ୍କୁ ଚିନ୍ତାରେ ପକାଇଛି। ଆଗାମୀ ଦିନରେ ଏହିମାନେ ରାଜଧାନୀରେ ବଡ଼ ଧରଣର ଅଘଟଣ ଘଟାଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ ବୋଲି ପୁଲିସ ଆଶଙ୍କା କରୁଛି।

କମିସନରେଟ୍‌ ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଗତବର୍ଷ ଜାନୁଆରି ଓ ଫେବ୍ରୁଆରିରେ ଇନ୍‌ଫୋସିଟି ଥାନା ଅଧୀନ ଲକ୍ଷ୍ମୀବିହାର ଓ ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନ ବିହାର ଫେଜ୍‌-୧ରେ ଦୁଇଟି ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଦୁଇଜଣ ଅବସରପ୍ରାପ୍ତ ସୈନିକ ସୁଧାକର ଦାସ ଓ ନରେଶ ପଣ୍ଡାଙ୍କ ଘରେ ପଶି ଡକାୟତମାନେ ପରିବାରଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ପାଖାପାଖି ୪୦ ଲକ୍ଷ ଟଙ୍କା ଡକାୟତି କରିଥିଲେ।

ଏହି ଦୁଇଟି ଡକାୟତି ଘଟଣାରେ କମିସନରେଟ୍‌ ପୁଲିସ ଯେତେ ସବୁ ବୈଷୟିକ ସହଯୋଗ ନେଇଥିଲେ ମଧ୍ୟ କୌଣସି ସୁରାକ୍‌ ମଧ୍ୟ ପାଇ ନ ଥିଲା। ସିସିଟିଭି ଫୁଟେଜ୍‌ରେ ମଧ୍ୟ ରାଜ୍ୟରେ ଏଭଳି କୌଣସି ଲୁଟେରା ନ ଥିଲେ। ପୁଲିସ ପ୍ରଥମେ ପ୍ରଥମେ ଭାବିଥିଲା, ରାଜ୍ୟ ବାହାରୁ ଡକାୟତମାନେ ଆସି ଏଭଳି କାଣ୍ଡ ଘଟାଇଛନ୍ତି ବୋଲି। ପରେ କମିସନରେଟ୍‌ ପୁଲିସ ପକ୍ଷରୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ପୁଲିସକୁ ସିସିଟିଭି ଫଟୋ ପଠାଇଥିଲା ଚିହ୍ନଟ କରିବାକୁ। କିନ୍ତୁ କୌଣସି ରାଜ୍ୟ ପୁଲିସ ସେମାନଙ୍କୁ ଚିହ୍ନଟ କରି ପାରି ନ ଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ଏକ ଡକାୟତି ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କୁ ପଚରାଉଚରା କରିବା ବେଳେ ସେମାନେ ଭୁବନେଶ୍ୱରରେ ଡକାୟତି କରିଥିବା ଦିଲ୍ଲୀ ପୁଲିସ ନିକଟରେ ମାନି ଯାଇଥିଲେ। ଖବର ପାଇ କମିସନରେଟ ପୁଲିସ ଦୁଇଜଣ ବାଂଲାଦେଶୀ ଡକାୟତ ସେକ୍ ନଜରୁଲ ଓ ସେକ୍ ସାଇଦୁଲଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ଏବେ ଏହି ଦୁଇ ଡକାୟତ ଝାରପଡ଼ା ଜେଲ୍‌‌‌‌ରେ। ସେମାନଙ୍କର ଆଉ ଜଣେ ସହଯୋଗୀ କେସ୍ କମରୁଲ ଦିଲ୍ଲୀ ଜେଲ୍‌‌ରେ।

କମିସନରେଟ୍‌ ପୁଲିସ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ ସେମାନେ ପୁଲିସ ନିକଟରେ ସ୍ୱୀକାର କରିଥିଲେ, ୨୦ଜଣ ବାଂଲାଦେଶୀ ଯୁବକ ଏକାଠି ହୋଇ ସୀମାରେ ନକଲି ପାସପୋର୍ଟ ଦେଖାଇ ଗଙ୍ଗାନଦୀ ବେଲାରପୁର ଦେଇ ଭାରତକୁ ପ୍ରବେଶ କରିଥିଲେ। ପରେ ସେମାନେ ଭାଗଭାଗ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରେ ସଶସ୍ତ୍ର ଡକାୟତି କରିଥିଲେ।

କେବଳ ଏହି ଡକାୟତି ଘଟଣା କାହିଁକି, ବାଂଲାଦେଶୀମାନେ ପୂର୍ବରୁ ନକଲି ନୋଟ୍‌ କାରବାର କରି ରାଜଧାନୀରେ ବିଭିନ୍ନ ସମୟରେ ଗିରଫ ହୋଇଛନ୍ତି। ସେହିପରି ବ୍ରାଉନସୁଗାର କାରବାର ଓ ସେକ୍ସ ରୢାକେଟ୍‌ରେ ସେମାନେ ମଧ୍ୟ ସଂପୃକ୍ତ ଥିବା ସ୍ପଷ୍ଟ ହୋଇଛି। ନକଲି ପାସ୍‌ପୋର୍ଟ, ନକଲି ଆଧାରକାର୍ଡ, ନକଲି ଫଟୋ ପରିଚୟପତ୍ର ଦେଖାଇ ଏଠାରେ ରହିବା ସହ ବିଭିନ୍ନ ପ୍ରକାରର ଅପରାଧରେ ସଂପୃକ୍ତ ରହୁଛନ୍ତି। କ୍ରାଇମ ବ୍ରାଞ୍ଚର ଏସ୍‌ଟିଏଫ୍ ବାଂଲାଦେଶୀ ରାଣୀ ମହୁମାଛି ଅଞ୍ଜଳି ଦିଦିକୁ ଗିରଫ ଓ ୬ ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିବା ପରେ ଏବେ ରାଜଧାନୀରେ ବାଂଲାଦେଶୀମାନେ ବେଶ୍ ସକ୍ରିୟ ଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ଖାରବେଳନଗର ଥାନା ଅଧୀନ ମାଳିସାହିରେ ଜଣେ ବାଂଲାଦେଶୀ ଦେହଜୀବୀ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ମଧ୍ୟ ନକଲି ଆଧାର କାର୍ଡ ଜବତ କରିଥିଲା। କମିସନରେଟ୍‌ ପୁଲିସ୍‌ ବାଂଲାଦେଶ ଦୂତାବାସକୁ ଖବର ଦେଇଥିଲା, କିନ୍ତୁ ସେମାନେ ଦେହଜୀବୀଙ୍କୁ ଚିହ୍ନଟ କରିବାକୁ ମନା କରି ଦେଇଥିଲେ।

ଏ ସମ୍ପର୍କରେ ଅତିରିକ୍ତ ପୁଲିସ କମିସନର୍‌ ଅନୁପ ସାହୁ କହିଛନ୍ତି, କୌଣସି ବାଂଲାଦେଶୀ ଅପରାଧରେ ସଂପୃକ୍ତ ଥିଲେ, ସେମାନେ ଆଇନ ଅନୁଯାୟୀ ଜେଲ୍‌ ଯିବେ। ଜେଲ୍‌ରୁ ବାହାରିବା ପରେ ଆମେ ସେମାନଙ୍କ ଦୂତାବାସ ଓ ବିଦେଶ ମନ୍ତ୍ରାଳୟକୁ ଏ ନେଇ ଅବଗତ କରାଇଥାଉ। ଏହା ପରେ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଥାଏ।
ଏ ସମ୍ପର୍କରେ କ୍ରାଇମ ବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି, ଆମେ ଏହି ବାଂଲାଦେଶୀ ରୢାକେଟ୍‌ର ପୂରା ମୂଳକୁ ଯିବୁ। କେମିତି ସେମାନେ ସୀମା ପାର୍‌ ହୋଇ ଦେଶ ଭିତରକୁ ଆସୁଛନ୍ତି। କିଏ ସେମାନଙ୍କୁ ସହଯୋଗ କରୁଛି। ଏଠାରେ ସେମାନେ କେମିତି ନକଲି ଆଧାରକାର୍ଡ ପ୍ରସ୍ତୁତ କରୁଛନ୍ତି। କିଏ ସେମାନଙ୍କୁ ଏହା ଯୋଗାଉଛି, ତା’ର ତଦନ୍ତ କରିବ ଏସ୍‌ଟିଏଫ୍। ଆବଶ୍ୟକ ହେଲେ, ତଦନ୍ତକାରୀ ଅଫିସର୍‌ ବାଂଲାଦେଶ ଯିବ ବୋଲି ଏସ୍‌ଟିଏଫ୍ ଡିଆଇଜି ଶ୍ରୀ ପଙ୍କଜ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର