ଭୁବନେଶ୍ବର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀ ଗିରଫ ହେବା ଘଟଣା ଏବେ ଆହୁରି ରୋଚକ ହୋଇ ପଡ଼ିଛି। ଝିଅକୁ ଖୋଜିଖୋଜି ବାପା ବାଂଲାଦେଶର ଧାନଗଞ୍ଜରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଝିଅକୁ ଦେଖିବାକୁ ସେ ଯେମିତି ପାଗଳ ପ୍ରାୟ ହୋଇ ଯାଇଛନ୍ତି। ଝାରପଡ଼ା ଜେଲ ଯାଇ ଝିଅକୁ ଭେଟିବାକୁ ଉଦ୍ୟମ କରିଛନ୍ତି। ସଂଧ୍ୟାରେ ଝିଅକୁ ମଧ୍ୟ ଝାରପଡ଼ା ଜେଲରେ ଭେଟିଛନ୍ତି। ଝିଅକୁ କେମିତି ଜେଲରୁ ବାହାର କରିବେ ସେ ନେଇ ଆଇନଜୀବୀଙ୍କ ପରାମର୍ଶ ଲୋଡିଛନ୍ତି। ଝିଅକୁ ଜେଲ ଭିତରେ ଦେଖିବା ପରେ ସେ ବିଶ୍ବାସ କରି ପାରୁ ନାହାନ୍ତି। କହିଛନ୍ତି ମୋ ଝିଅକୁ ଆଣି ଏଠାରେ ଫସାଇ ଦିଆଯାଇଛି।

Advertisment

ପ୍ରକାଶଥାଉକି, ଗତ ଡିସେମ୍ବର ମାସ ୨୫ ତାରିଖରେ ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନ ବଜାର‌ରେ ଥିବା ଆଶୀର୍ବାଦ ହୋଟେଲରେ ଏହି ବାଂଲାଦେଶୀ ରୂପଜୀବୀ ଅନୈତିକ କାର୍ଯ୍ୟ କରିବା ଓ ନକଲି ଆଧାର କାର୍ଡ ରଖିବା ଓ ବେଆଇନ ଭାବେ ସୀମା ପାର ହୋଇ ଦେଶ ଭିତରକୁ ପ୍ରବେଶ କରିବା ଭଳି ଅଭିଯୋଗରେ ଗିରଫ ପରେ ଜେଲ୍‌ରେ ରହିଛନ୍ତି। ରୂପଜୀବୀ ଜଣକ ଜେଲ ଯିବା ପରେ ତାଙ୍କର ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଶେଷରେ ବାଧ୍ୟ ହୋଇ ସେହି ରୂପଜୀବୀଙ୍କ ବାପା ବାଂଲାଦେଶରୁ ଆସି କୋଲକାତାରେ ପହଞ୍ଚିଥିଲେ। ଝିଅ ଭୁବନେଶ୍ବରର ଝାରପଡ଼ା ଜେଲରେ ଥିବା ଜାଣିବା ପରେ ଏଠାରେ ଆସି ପହଞ୍ଚିଛନ୍ତି।

ରୂପଜୀବୀଙ୍କ ବାପା କହିଛନ୍ତି, ଜଣେ ଦଲାଲ ଝିଅକୁ ଭାରତରେ ଚାକିରି ପ୍ରଲୋଭନ ଦେଖାଇ କୋଲକାତା ଆଣିବା ପରେ ତାଙ୍କୁ ଏଭଳି ଏକ କାମରେ ନିୟୋଜିତ କରାଇଛି। ସେ ଚେଷ୍ଟା କରି ବି ସେ ସେଥିରୁ ବାହାରି ପାରି ନ ଥିଲା। ଝିଅ ବିଷୟରେ ସମସ୍ତ ଖବର ଏକାଠି କରିବା ପରେ ଝିଅକୁ ଝାରପଡ଼ା ଜେଲରେ ଭେଟି ଥିଲେ। ଝିଅକୁ ଭେଟିବା ପରେ କେମିତି ତାକୁ ମୁକୁଳାଇବେ ସେ ନେଇ ବୃଦ୍ଧ ବାପା ଜଣେ ଆଇନଜୀବୀଙ୍କ ସହ ପରାମର୍ଶ କରିଥିବା ସୂଚନା ମିଳିଛି।