ଭୁବନେଶ୍ବର: ଚାକିରି କରାଇବା ବାହାନାରେ ବାଂଲାଦେଶୀ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିଥବା ୬ ଅଭିଯୁକ୍ତଙ୍କୁ କଟକ ମଧୁପାଟଣା ଥାନା ପୁଲିସ ଗିରଫ କରିଥିଲା। ଏବେ ଏହି ମାମଲାର ତଦନ୍ତ କରିବ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି(ଏନ୍‌ଆଇଏ)। ଏହି ସମ୍ବେଦନଶୀଳ ମାନବ ଚାଲାଣ ପ୍ରସଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁତ୍ବର ସହ ନେଇ ଏନ୍‌ଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। କେସ୍‌ ନମ୍ବର ଆର୍‌ସି-୬, ୨୦୨୫ରେ ଏନ୍‌ଆଇଏ ମାର୍ଚ୍ଚ ୨୧ରେ ମାମଲା ରୁଜୁ କରିଛି। ବାଂଲାଦେଶରୁ କୋଲକାତା ଦେଇ କିଭଳି ନାବାଳିକାଙ୍କୁ ଓଡ଼ିଶା ଅଣାଯାଇଥିଲା ଏବଂ ଏହି ଚାଲାଣ ପଛରେ ଥିବା ନେଟ୍‌ଵର୍କର ସମସ୍ତ ଦିଗକୁ ନେଇ ଏନ୍‌ଆଇଏ ତଦନ୍ତ କରିବ। ତେଣୁ ଏହି ମାମଲାରେ ଗିରଫ ହୋଇଥିବା ଦେହଜୀବୀ, ଦଲାଲ ଓ ମାଷ୍ଟରମାଇଣ୍ଡ୍‌ ସମେତ ୬ ଅଭିଯୁକ୍ତଙ୍କୁ ଏନ୍‌ଆଇଏର ନୋଡାଲ୍‌ କୋର୍ଟ ଭୁବନେଶ୍ବରସ୍ଥିତ ଖୋର୍ଦ୍ଧାଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଏହି ମାମଲା ଏଡିଜେ ତଥା ପୋକ୍‌ସୋ କୋର୍ଟରେ ରହିଛି। 

୧୦ରେ ଏନ୍‌ଆଇଏ କୋର୍ଟ ଯିବେ ୬ ଅଭିଯୁକ୍ତ

Advertisment

୨୦୨୪ ନଭେମ୍ବର ୨୧ରେ ବାଂଲାଦେଶୀ ନାବାଳିକା ଜଣକ ଦଲାଲଙ୍କ କବଳରୁ ଖସି ଆସିବା ପରେ ମଧୁପାଟଣା ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ନାବାଳିକାଜଣଙ୍କ ମଧୁପାଟଣା ଥାନାରେ ତାଙ୍କ କରୁଣ କାହାଣୀ ବଖାଣିଥିଲେ। ଚାକିରି ନାଁରେ ତାଙ୍କୁ କିପରି ବାଂଲାଦେଶରୁ କୋଲକାତା ଅଣାଯାଇଥିଲା ଏବଂ ପରେ ଓଡ଼ିଶା ପଠାଇ ଦିଆଯାଇଥିଲା, ସବୁ କଥା ପୁଲିସକୁ ଜଣାଇଥିଲେ। ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ସହରକୁ ନେଇ ତାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା ବୋଲି ସେ କହିଥିଲେ। ନାବାଳିକାଜଣଙ୍କ ଏକାଧିକ ଲୋକଙ୍କ ନାଁ ଉଠାଇଥିଲେ। ଲିଟନ୍‌ ଓ ମୌସୁମୀ ତାଙ୍କୁ ଚାକିରି ଲୋଭ ଦେଖାଇ ବାଂଲାଦେଶରୁ ଆଣିଥିଲେ। କୋଲକାତାରେ ରଖିବା ବେଳେ ହିଁ ଆରମ୍ଭ ହୋଇଥିଲା ତାଙ୍କ ଉପରେ ଯୌନ ନିର୍ଯାତନା। ସେଠାରେ ତାଙ୍କୁ ଜୋର୍‌ ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ଅଭିଯୁକ୍ତ ହାପି ଓ ଗୋପି ତାଙ୍କୁ ବାରିପଦା, ବ୍ରହ୍ମପୁର, କଟକ ଆଦି ସହରକୁ ନେଇ ଗ୍ରାହକମାନଙ୍କ ନିକଟରେ ଛାଡ଼ୁଥିଲେ। ଅଭିଯୁକ୍ତ ଗୋପୀ ଚୌଦ୍ବାରର ଜମି ଦଲାଲ ଜସ୍‌ମିନ୍‌ ଚୌଧୁରୀ ନିକଟରେ ନାବାଳିକାଙ୍କୁ ଛାଡ଼ିଥିଲା। ସେ ଥିଲା ଦେହ ବେପାର କା‌ରବାରର ଅସଲ କାର୍ପଟଦାର। ପୁଲିସ ଏହି ମାମଲାରେ ଜସ୍‌ମିନ୍‌ ଚୌଧୁରୀ, ଓମ୍ ପ୍ରକାଶ ଚୌଧୁରୀ, ଅବ୍‌ଦୁଲ ସଲିମ୍, ସୁନିତା ଦାସ,  ଡି. ଶିବ କୁମାର ଦୋରା, ରାଜେନ୍ଦ୍ର କୁମାର ବେହେରା ଓରଫ ଗୋପୀକୁ ଗିରଫ କରିଥିଲା।