ଏତେ ହେୟଜ୍ଞାନ… ଭୁଶୁଡ଼ିଲେ ଚେତିବେ!

ବିପଦରେ ବାଣୀବିହାର ଛାତ୍ରଛାତ୍ରୀ ମରାମତିରେ ୧୮ କୋଟି ସ୍ବାହା

ଭୁବନେଶ୍ବର: କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ଛାତରୁ ପାଣି ଗଳୁଛି। ପୁଣି କେଉଁଠୁ ଛାତରୁ ଫଲ୍‌ସ ଖସି ପିଲାଙ୍କ ଉପରେ ପଡ଼ୁଛି। ଗ୍ରିଲ୍‌ ଭାଙ୍ଗି ଝୁଲି ରହିଛି। କବାଟ ଝରକା ବି ଭାଙ୍ଗି ନଷ୍ଟ ହୋଇଗଲାଣି। କେତେବେଳେ ଯେ ଭୁଶୁଡ଼ିବ, କେହି କେହିପାରିବେ ନାହିଁ।

ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟରେ ଥିବା ୧୪ଟି ହଷ୍ଟେଲ୍‌ ମଧ୍ୟରୁ ପାଖାପାଖି ୧୧ଟି ହଷ୍ଟେଲ୍‌ର ଅବସ୍ଥା ଏଭଳି ଦୟନୀୟ। ବିଶେଷକରି ଗୋପବନ୍ଧୁ, ମଧୁସୂଦନ, ଫକୀରମୋହନ, ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଛାତ୍ରାବାସ ସମେତ କୁନ୍ତଳା କୁମାରୀ, ରମାଦେବୀ, ଶରଳା ଦେବୀ, ମାଳତି ଦେବୀ ଓ ୫ ନମ୍ବର ଛାତ୍ରୀନିବାସ ଅବସ୍ଥା ସାଂଘାତିକ ରହିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରୀନିବାସ ପରି ଏଠାରେ କେତେବବେ‌ଳେ ଯେ କି’ ପ୍ରକାର ଅଘଟଣ ଘଟିବ, କେହି କହିପାରିବେନି। କାରଣ କେଉଁ ହଷ୍ଟେଲ୍‌ ୧୯୬୪ରେ ତ କେଉଁଟା ୧୯୭୫ରେ ପ୍ରତିଷ୍ଠା ହୋଇଛି। ଇତିମଧ୍ୟରେ ହଷ୍ଟେଲ୍‌ଗୁଡ଼ିକ ୪୦ରୁ ୫୦ବର୍ଷ ଅତିକ୍ରମ କରିଗଲାଣି। ଠିକ୍‌ ଭାବେ ରକ୍ଷଣାବେକ୍ଷଣ ନ ହେବାରୁ ଭିତ୍ତିଭୂମି ବି ଦୁର୍ବଳ ହୋଇପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହଷ୍ଟେଲ୍‌ଗୁଡ଼ିକର ଚଟାଣ ଏବେ ନଷ୍ଟ ହୋଇଯାଇଛି। ଫାଟି ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ହଷ୍ଟେଲ୍‌ ଭିତର ରୁମ୍‌ଗୁଡ଼ିକରେ ବିଦ୍ୟୁତ୍‌ ତାରଗୁଡ଼ିକ ବାହାରକୁ ବାହାରି ବିପଦ ସୃଷ୍ଟି କରିଛି। ହଷ୍ଟେଲ୍‌ଗୁଡ଼ିକର ବାହାର ପାର୍ଶ୍ବ କାନ୍ଥ କଥା ନ କହିବା ଭଲ। କାନ୍ଥରେ ବଡ଼ ବଡ଼ ଗଛ ଉଠିଲାଣି। ଯେଉଁଥିପାଇଁ କାନ୍ଥ ଫାଟି ଆଁ କରିଛି। ପରିମଳ ବ୍ୟବସ୍ଥା ବି ନ କହିବା ଭଲ। ଅଧିକାଂଶ ହଷ୍ଟେଲ୍‌‌ର ବାଥ୍‌ରୁମ୍‌, ଟଏଲେଟ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି। କେତେକ ବାଥରୁମ୍‌ ଓ ଟଏଲେଟ୍‌ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କବାଟ ଓ ବେସିନ୍‌ ଭାଙ୍ଗି ତଳେ ପଡ଼ିଛି। ଟ୍ୟାପଗୁଡ଼ିକ ନଷ୍ଟ ଯୋଗୁଁ ଅନବରତ ପାଣି ଚାଲୁଛି। ଭିତର ପାଇପ୍‌ ଫାଟିବା ଯୋଗୁଁ କେତେକ କାନ୍ଥରେ ପାଣି ଜକାଇ କାନ୍ଥ ନଷ୍ଟ ହେଲାଣି।

ବଡ଼ କଥା ହେଉଛି ଯେ ବିଶ୍ବବିଦ୍ୟାଳୟରେ ଥିବା ୧୨ଟି ହଷ୍ଟେଲ ମରାମତି ପାଇଁ ତିନି ବର୍ଷ ତଳେ ୧୮ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ପ୍ରତି ହ‌ଷ୍ଟେଲର ମରାମତି ପାଇଁ ପ୍ରାୟ ଦେଢ଼ କୋଟି ଖର୍ଚ୍ଚ କରାଯାଇଥିଲା। ତେବେ ନିମ୍ନମାନର ମରାମତି କାମ ଯୋଗୁଁ ମାସକ ମଧ୍ୟରେ ସବୁ କିଛି ନଷ୍ଟ ହୋଇଯାଇଥିଲା। ସେବେଠାରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ହଷ୍ଟେଲ ମରାମତି ଦିଗରେ ଆଉ ଧ୍ୟାନ ଦେଇନାହାନ୍ତି। ଛାତ୍ରଛାତ୍ରୀ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରହୁଥିଲେ ସୁଦ୍ଧା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି। ହଷ୍ଟେଲ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ ‌ୱାଡେନ୍‌ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ କହିଲେ, ହଷ୍ଟେଲଗୁଡ଼ିକର ମରାମତି ନେଇ କୁଳପତିଙ୍କ ସହ ବୈଠକ ସରିଛି। ଖୁବ୍‌ଶୀଘ୍ର ମରାମତି କାମ ଆରମ୍ଭ ହେବ।

ସାପ, ମା‌ଙ୍କଡ଼ଙ୍କ ବାସସ୍ଥାନ
ଦୀର୍ଘଦିନ ଧରି ହଷ୍ଟେଲ୍‌ ଭିତରେ ଅଳିଆ, ବଳକା ଖାଦ୍ୟ ପଦାର୍ଥ ପଡ଼ି ରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ହଷ୍ଟେଲ୍‌ ଭିତର ପାର୍କ ନଷ୍ଟ ହୋଇ ସେଠାରେ ଆଣ୍ଠୁଏ ଉଚ୍ଚର ଘାସ ବୁଦା ଉଠିଛି। ଫଳରେ ହଷ୍ଟେଲ୍‌ ଭିତରେ ବିଷଧର ସାପ ଚଳପ୍ରଚଳ କରୁଥିବା ଛାତ୍ରଛାତ୍ରୀ କହିଛନ୍ତି। ସେହିପରି ହଷ୍ଟେଲଗୁଡ଼ିକର କେତେକ ରୁମ୍‌ର କବାଟ ଝରକା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଭିତରକୁ ମାଙ୍କଡ଼ ପଶି ଯାଉଛନ୍ତି। କିଛିଦିନ ତଳେ ମାଙ୍କଡ଼ କାମୁଡ଼ା ଯୋଗୁଁ ତିନିଜଣ ଛାତ୍ର ଆହତ ମଧ୍ୟ ହୋଇଥିଲେ। ଏଭଳି ପରିବେଶରେ ଜୀବନକୁ ବାଜି ଲଗାଇ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ।

ଭୂତକୋଠି ୭ ନମ୍ବର ‌ହଷ୍ଟେଲ
ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନଥିବା ୭ ନମ୍ବର ଛାତ୍ରାବାସ ଏବେ ଭୂତକୋଠି ପାଲଟିଛି। ଅଣଛାତ୍ରଙ୍କୁ ବିଦା କରିବାର ୪ ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ହଷ୍ଟେଲରେ ଏବେ ବି ତାଲା ପଡ଼ି ରହିଛି। ପିଲାଙ୍କୁ ରହିବା ପାଇଁ ଦିଆଯାଉ ନାହିଁ। ଫଳରେ ନା ସେଠାରେ ପିଲା ରହୁଛନ୍ତି ନା କର୍ତୃପକ୍ଷ ଟଙ୍କାଟିଏ ପାଉଛନ୍ତି। କ୍ୟାମ୍ପସରେ ୫ହଜାରରୁ ଅଧିକ ପିଲା ପଢ଼ୁଥିବା ବେଳେ ସେମାନଙ୍କ ରହିବା ପାଇଁ ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇପାରିନାହିଁ। ସେପଟେ କିଛି ଅଣଛାତ୍ର ଏବେ ବି ଛା‌ତ୍ରାବାସ ରୁମ୍‌ ମାଡ଼ି ବସିଛନ୍ତି। ସେମାନଙ୍କୁ କାଢ଼ିବା ଦିଗ‌ରେ ବି ପଦକ୍ଷେପ ନିଆଯାଉ ନାହିଁ।

ସମ୍ବନ୍ଧିତ ଖବର