ବାଣୀବିହାରରେ ବୁଲିଲା ଖଣ୍ଡା, ପ୍ରେମ ନିବେଦନକୁ ନେଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

୨ ଆହତ, ଗାଡ଼ି ଭଙ୍ଗାରୁଜା, ୪ ଅଟକ

ଭୁବନେଶ୍ବର: ପ୍ରେମ ନିବେଦନକୁ କେନ୍ଦ୍ର କରି ଅଶାନ୍ତ ହୋଇପଡ଼ିଛି ବାଣୀବିହାର କ୍ୟାମ୍ପସ। ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ହାତାହାତି ହେବା ସହ ଗୋଟିଏ ଗୋଷ୍ଠୀର ଛାତ୍ର କିଛି ଅଣଛାତ୍ରଙ୍କୁ ନେଇ କ୍ୟାମ୍ପସରେ ଆତଙ୍କ ଖେଳାଇଛନ୍ତି। ହାତରେ ଖଣ୍ଡା, ଭୁଜାଲି ଧରି ଉକ୍ତ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ର କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଭୟଭିତ କରାଇଛନ୍ତି। ଦୁଇ ଜଣ ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୩ରୁ ଅଧିକ ଗାଡ଼ି ବାଡ଼େଇ ଭାଙ୍ଗିଛନ୍ତି। ସେପଟେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଅନ୍ୟ ଗୋଷ୍ଠୀର ଛାତ୍ରମାନେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ରାତି ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ଅନୁଯାୟୀ ପୂର୍ବାହ୍ନରେ ଆଇଏମବିଏ ବିଭାଗ ନିକଟରେ ସମ୍ପୃକ୍ତ ବିଭାଗର ଜଣେ ଛାତ୍ରୀ ଛିଡ଼ା ହୋଇଥିଲେ। ସେହି ସମୟରେ ଜଣେ ଛାତ୍ର ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ। ଏଣୁତେଣୁ କଥା କହି ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଯେଉଁଥିରେ ସମ୍ପୃକ୍ତ ଛାତ୍ରୀ ଜଣକ ରାଗିଯାଇ ଗାଳିଗୁଲଜ କରିବା ସହ ଏସମ୍ପର୍କରେ ନିଜ ପୁରୁଷ ବନ୍ଧୁଙ୍କୁ ଜଣାଇଥିଲେ। ଛାତ୍ରୀଙ୍କ ବନ୍ଧୁ ତାଙ୍କ ସାଙ୍ଗସାଥୀଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ସୁରକ୍ଷା ଦେଇଥିଲେ। ଏହି ସମୟରେ ପ୍ରେମ ନିବେଦନ କରିଥିବା ଛାତ୍ର ଜଣଙ୍କ ଭିଏସ୍‌ଏସ୍‌ ନଗର ଅଞ୍ଚଳର କିଛି ଅଣଛାତ୍ରଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ଧରି ଉତ୍ତେଜନା ଲାଗିରହିବା ପରେ ଉଭୟ ପରସ୍ପର ବାଟରେ ଚାଲିଯାଇଥିଲେ।

ସନ୍ଧ୍ୟାରେ କ୍ୟାମ୍ପସରେ ଥିବା ଅହିଂସ‌ା ସ୍ଥଳରେ ଏକ ଶୋକସଭା ଚାଲିଥିବା ବେଳେ ପ୍ରେମ ନିବେଦନ କରିଥିବା ଛାତ୍ରଙ୍କ ସମେତ ଆଉ କିଛି ଛାତ୍ର ଓ ଅଣଛାତ୍ର ମିଶି କ୍ୟାମ୍ପସରେ ଆତଙ୍କ ଖେଳାଇଥିଲେ। ୪ରୁ ୫ଟି ବାଇକରେ ୧୦ ଜଣ ଛାତ୍ର ଓ ଅଣଛାତ୍ର ଖଣ୍ଡା, ଭୁଜାଲି ପରି ମାରଣାସ୍ତ୍ର ଧରି କ୍ୟାମ୍ପସରେ ଆତଙ୍କ ଖେଳାଇଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଆଗରେ ଯିଏ ପଡ଼ିଲା ତାଙ୍କୁ ବାଡ଼େଇଲେ। ହାଣିବାକୁ ଗୋଡାଇଥିଲେ। ଜୀବନ ବଞ୍ଚାଇବାକୁ ଦୌଡ଼ିବା ସମୟରେ ତଳେ ପଡ଼ି ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ଏହା ଦେଖିରେ ରାସ୍ତାରେ ଯାଉଥିବା ଛାତ୍ରଛାତ୍ରୀ ବି ଭୟରେ ଏଣେତେଣେ ଦୌଡ଼ିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ପ୍ରେମ ନିବେଦନ କରିଥିବା ଛାତ୍ରଙ୍କ ସହଯୋଗମାନେ ସେଠାରୁ ଦୌଡ଼ି ପଳାଇଥିଲେ।

ଅନ୍ୟପକ୍ଷରେ ଆକ୍ରମଣ ପ୍ରତିବାଦରେ ଅନ୍ୟ ଗୋଷ୍ଠୀର ଶତାଧିକ ଛାତ୍ର ସନ୍ଧ୍ୟାରେ କ୍ୟାମ୍ପସ ସମ୍ମୁଖରେ ଧାରଣା ଦେବା ସହ ଥାନାରେ ଏତଲା ଦେଇଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ପଢ଼ୁଥିବା ଜଣେ କର୍ପୋରେଟରଙ୍କ ପୁଅଙ୍କ ସମେତ ରାଜଧାନୀର ବିଭିନ୍ନ କଲେଜରେ ପଢ଼ୁଥିବା ଛାତ୍ର ଓ କିଛି ଅଣଛାତ୍ର କ୍ୟାମ୍ପସରେ ଏଭଳି କାଣ୍ଡ ଘଟାଇଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ଏତଲା ଗ୍ରହଣ କରିବା ସହ ପୁଲିସ ଘଟଣାର ତଦନ୍ତ ଚଲାଇଛନ୍ତି। ରାତି ସୁଦ୍ଧା ୪ ଜଣଙ୍କୁ ଅଟକ ରଖାଯାଇଛି। ସକାଳେ ପ୍ରେମ ନିବେଦନକୁ ନେଇ କ୍ୟାମ୍ପସରେ ଯେଉଁ ଗଣ୍ଡଗୋଳ ହୋଇଥିଲା ଅପରାହ୍ଣରେ ତାହା ଉଗ୍ରରୂପ ନେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର