ଭୁବନେଶ୍ବର : ଖୋଲିବ ବାଣୀକଣ୍ଠଙ୍କ ଡାଏରି। ଉପଲବ୍ଧ ହେବ ତାଙ୍କ ହାତଲେଖା ଗୁରୁତ୍ବପୂର୍ଣ୍ଣ ଚିଠି। ଅଲ୍‌ ଇଣ୍ଡିଆ ରେଡିଓ ସହ ସେ କରିଥିବା ଅନୁବନ୍ଧଠୁ ନେଇ ଏଚ୍‌ଏମ୍‌ଭିରେ ଗୀତ ଗାଇବା ପାଇଁ ସେ କରିଥିବା ଚୁକ୍ତି। ସବୁକିଛି ଏବେ ବାଣୀକଣ୍ଠଙ୍କ ନାଁରେ ପ୍ରସ୍ତୁତ ହୋଇଥିବା banikantha.comରେ ଉପଲବ୍ଧ ହେବ। ବାଣୀକଣ୍ଠଙ୍କ ପରିବାର ପକ୍ଷରୁ ଆଡ୍‌ଭୋକେଟ୍‌ ପ୍ରଣୟ ହରିଚନ୍ଦନଙ୍କ ଉଦ୍ୟମରେ ୯ ମାସ ମଧ୍ୟରେ ଏହି ସ୍ବତନ୍ତ୍ର ୱେବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ବାରା ଭଂଜ କଳାମଣ୍ଡପରେ ଆୟୋଜିତ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ସ୍ମୃତି ସନ୍ଧ୍ୟାରେ ଆଜି ଏଇ ୱେବ୍‌ସାଇଟ୍‌କୁ ଲୋକାର୍ପଣ କରାଯାଇଛି।

Advertisment

ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ରାମକୃଷ୍ଣ ସାହୁ, ଅବସରପ୍ରାପ୍ତ ପ୍ରଶାସକ ଦୁର୍ଗାଚରଣ ସାହୁ, କବି ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଣୟ ହରିଚନ୍ଦନଙ୍କ ସମେତ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଏହି ୱେବ୍‌ସାଇଟ୍‌ର ଲୋକାର୍ପଣ କରିଥିଲେ। ପ୍ରଣୟ କହିଛନ୍ତି ଯେ, ଲୋକାର୍ପିତ ୱେବ୍‌ସାଇଟ୍‌ ଜରିଆରେ ବାଣୀକଣ୍ଠଙ୍କ ବାଲ୍ୟଜୀବନ, ଏଚ୍‌ଏମ୍‌ଭିରେ ଗାଇବାର ସୁଯୋଗ, ଅଲ୍‌ ଇଣ୍ଡିଆ ରେଡିଓରେ ଗାଇବା, ବାଣୀକଣ୍ଠଙ୍କ ସମ୍ପର୍କିତ ପୁସ୍ତକ ଓ ସ୍ମରଣିକା, ସିଡି, ଅଡିଓ, ରାଜସ୍ଥାନର ଯୋଧପୁରରୁ ଆଜି ପର୍ଯ୍ୟନ୍ତ ତାଙ୍କର ପାରିବାରିକ ସମ୍ପର୍କ, କୀର୍ତନ ଓ ଛାନ୍ଦରେ ସେ ପାଇଥିବା ମେଡାଲ୍‌, ଗୀତ ବୋଲିବା ବାବଦରେ ସେ ପାଉଥିବା ପାଉଣା, ଭିଡିଓ, ମ୍ୟୁଜିକ୍‌, ଫଟୋ ଆଦି ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌ ଏବେ ବି ପୂର୍ଣ୍ଣାଙ୍ଗ ହୋଇନଥିବା ବେଳେ ଆହୁରି କିଛି ସଂଯୋଗ କରାଯାଇ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ ବୋଲି ପ୍ରଣୟ କହିଥିଲେ। ଏହି ଅବସରରେ ଶରତ ଚନ୍ଦ୍ର ବାରିକ ଓ ସହଯୋଗୀ ଶିଳ୍ପୀଙ୍କ ଦ୍ବାରା ବାଣୀକଣ୍ଠ ଗାଇଥିବା କାଳଜୟୀ ଗୀତ ପରିବେଷଣ କରାଯାଇଥିଲା। ସୁନିତା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।