ବାଣୀବିହାରରେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ୍‌ ପ୍ରତିଷ୍ଠା ପ୍ରସଙ୍ଗ : ତେଜିଲା ବିରୋଧ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପ୍ରସ୍ତାବକୁ ଜୋରଦାର ବିରୋଧ କରାଯାଇଛି। ନିଷ୍ପତ୍ତିର ପ୍ରତ୍ୟାହାର ଲାଗି ୩ଟି ଯାକ ଛାତ୍ର ସଙ୍ଗଠନ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଯାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଫେସର, ଅଧ୍ୟାପକ, କର୍ମଚାରୀ ମିଳିତ ଭାବେ ପ୍ରସ୍ତାବର ବିରୋଧ କରି ବାଣୀବିହାରକୁ ଏକପ୍ରକାର ବନ୍ଦ କରିଦେଇଛନ୍ତି। ପାଠପଢ଼ା ଠପ୍‌ ହୋଇଯାଇଥିବାବେଳେ କର୍ମଚାରୀମାନେ ବି କାର୍ଯ୍ୟ ବନ୍ଦ କରିଛନ୍ତି। ଦଳମତ ନିର୍ବିଶେଷରେ ସମସ୍ତ ଛାତ୍ର ସଙ୍ଗଠନ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ୧୬କୁ ଅବରୋଧ କରିଥିଲେ। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ନେଇ ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟର ପୁରାତନ ଶିକ୍ଷାନୁଷ୍ଠାନ ଜମିର ସୁରକ୍ଷା ଲାଗି ପ୍ରଥମ ଥର ଲାଗି ବାଣୀବିହାର କ୍ୟାମ୍ପସର ୩ଟି ଯାକ ଛାତ୍ର ସଙ୍ଗଠନ(ଛାତ୍ର ବିଜେଡି, ଏବିଭିପି, ଛାତ୍ର କଂଗ୍ରେସ)ର ନେତା ଏକାଠି ହୋଇଥିଲେ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ପରିସରରେ ଶୋଭାଯାତ୍ରାରେ ଆସି କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବନ୍ଦ କରିଦେଇଥିଲେ। ଛାତ୍ରଙ୍କ ସହ ଛାତ୍ରୀମାନେ ମଧ୍ୟ ଆଜି ବିରୋଧରେ ସାମିଲ ହୋଇଥିଲେ। ଅଧ୍ୟାପକ, ପ୍ରଫେସର, କର୍ମଚାରୀମାନେ ମଧ୍ୟ ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ସ୍ୱତଃପ୍ରବୃତ ଭାବେ ସେମାନେ କାର୍ଯ୍ୟ ବନ୍ଦ କରି ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟ ଫାଟକରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲେ। ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଗୋଟିଏ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ କରି ଉଭୟ ଶିକ୍ଷାନୁଷ୍ଠାନକୁ ସଙ୍କୁଚିତ କରା ନ ଯାଉ ବୋଲି ବିଶ୍ୱବିଦ୍ୟାଳୟର ଶିକ୍ଷକ, ଟେକ୍ନିସିଆନ୍‌ ଓ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି। ଗତକାଲିଠାରୁ ଛାତ୍ର ସଙ୍ଗଠନଗୁଡ଼ିକ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୁଣିଥରେ କୁଳପତିଙ୍କୁ ଭେଟିବାକୁ ଯିବା ସମୟରେ ସେ ଦିଲ୍ଲୀ ଚାଲିଯାଇଥିବା ନେଇ ଛାତ୍ରଛାତ୍ରୀ ଜାଣିବାକୁ ପାଇଥିଲେ। ଏହାପରେ ଛାତ୍ରଛାତ୍ରୀ ଏକତ୍ର ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଦେଢ଼ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଉଚ୍ଚଶିକ୍ଷା ସଚିବ ଜିଭିଭି ଶର୍ମା ଓ କୁଳପତି ପ୍ରଫେସର ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି। ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ବାଣୀବିହାରରୁ ଇଞ୍ଚିଏ ବି ଜାଗା କାହାକୁ ଛାଡ଼ିବୁ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଦେଢ଼ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀଙ୍କର ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା ସଚିବ ଜିଭିଭି ଶର୍ମା ଓ ରାଜ୍ୟପାଳଙ୍କ ସଚିବଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ପୁନର୍ବିଚାର କରାଯିବା ନେଇ ପ୍ରତିଶ୍ରୁତି ମିଳିଥିବା ଛାତ୍ର ସଙ୍ଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି। ଯଦି ତୁରନ୍ତ ନିଷ୍ପତ୍ତିି ପ୍ରତ୍ୟାହାର କରା ନ ଯାଏ ତେବେ କ୍ୟାମ୍ପସରେ ନିଆଁ ଜଳିବ ବୋଲି ଛାତ୍ରନେତା ସୌମ୍ୟ ରଞ୍ଜନ ମହାପାତ୍ର, ରତନ୍‌ ଦିଗଲ୍‌, ସୌମ୍ୟରଞ୍ଜନ ଜେନା, ଅଶୋକ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ପାଠପଢ଼ା ବନ୍ଦ, କାର୍ଯ୍ୟାଳୟରେ ତାଲା
ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ
ନୈତିକ ସମର୍ଥନ ଦେଲେ ପ୍ରଫେସର, କର୍ମଚାରୀ

 

ଜମି ଚିହ୍ନଟ ହେଲାନି କାହିଁକି?
ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତମାନ କ୍ୟାମ୍ପସଠାରୁ ୨୦ କି.ମି ଦୂର ଦାସପୁରଠାରେ ୩୦ ଏକର ଜାଗା ଚିହ୍ନଟ କରି ସେଠାରେ ଦ୍ୱିତୀୟ କ୍ୟାମ୍ପସ କରିବାକୁ ରମାଦେବୀ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିଲା। ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ୨୦୧୬ ମେ’ ମାସରେ ଉଚ୍ଚଶିକ୍ଷା ବିଭାଗକୁ ବିକଳ୍ପ ଜମି ଯୋଗାଇ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଚିଠି ଲେଖିଥିଲେ। ୨୦୧୬ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋର୍ଧା ଜିଲ୍ଲା ପ୍ରଶାସନକୁ ପୁଣିଥରେ ଚିଠି ଲେଖାଯାଇ କଟକରୁ ଖୋର୍ଧା ସହର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜମି ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏପର୍ଯ୍ୟନ୍ତ କାହିଁକି ଜମି ଚିହ୍ନଟ ହେଲା ନାହିଁ ତାହାର ଉତ୍ତର କାହା ପାଖରେ ନାହିଁ।

ପ୍ରଫେସର ଦେଖାଇଲେ ଏକାଧିକ ସରକାରୀ ଜମି

ଜମି ଚିହ୍ନଟ ଲାଗି କମିଟି ଗଠନ ପରେ ବିରୋଧ ଜୋରଦାର ହୋଇଛି। ବିଶ୍ୱବିଦ୍ୟାଳୟ ପ୍ରଫେସରମାନେ କହିଛନ୍ତି ଯେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ସହରରେ ଏକାଧିକ ସରକାରୀ ଜମି ଖାଲି ରହିଛି। ଆଚାର୍ଯ୍ୟବିହାରସ୍ଥିତ ଆଇଏମ୍‌ଏମ୍‌ଟି ପାର୍ଶ୍ୱ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଲାଗି ଥିବା ରାସ୍ତାର ଅପରପାର୍ଶ୍ୱରେ ପ୍ରାୟ ୩୫ ଏକର ସରକାରୀ ଜମି ଜବରଦଖଲରେ ରହିଛି। ସେଠାରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ହୋଇପାରିବ। ସହରର ଅନେକ ସ୍ଥାନରେ ସରକାରୀ କ୍ୱାର୍ଟର ଭଙ୍ଗାଯାଇ ସ୍ମାର୍ଟ ସିଟି ହେଉଛି। ରମାଦେବୀ ବିଶ୍ୱବିଦ୍ୟାଳୟ ପଛପାର୍ଶ୍ୱରେ ଥିବା ସରକାରୀ କ୍ୱାର୍ଟରଗୁଡ଼ିକୁ ଭାଙ୍ଗି କ୍ୟାମ୍ପସର ସମ୍ପ୍ରସାରଣ କରାଯାଇପାରିବ। ଆଉ ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ନାହିଁ। କ୍ୟାମ୍ପସଠାରୁ ୧୦ରୁ ୧୫ କି.ମି ମଧ୍ୟରେ ୩୦ ଏକରର ୫ଟି ସରକାରୀ ଜମି ରହିଛି। ଭୁବନେଶ୍ୱରରେ ଆଇଆଇଏମ୍‌ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଥିବା ସମୟରେ ଗୋଠପାଟଣା ଓ ଜଟଣୀ ନିକଟରେ ୨୦୦ ଏକର ଲେଖାଏ ଦୁଇଟି ଜମି ଚିହ୍ନଟ ହୋଇଥିଲା। ସେଠାରେ ରମାଦେବୀର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ହୋଇପାରିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି।

କୁଳପତି ସମ୍ମିଳନୀରେ ହୋଇଥିଲା ବିରୋଧ
୨୦୧୭ ନଭେମ୍ବର ୧୬ରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଉତ୍କଳରେ ରମାଦେବୀକୁ ଜମି ଦେବା ଲାଗି ପ୍ରସ୍ତାବ ଥିଲା। ଏନେଇ ଆଲୋଚନା ହୋଇଥିବା ବେଳେ କେତେଜଣ କୁଳପତି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଭଳି ନ କରିବାକୁ ପରାମର୍ଶ ବି ଦେଇଥିଲେ। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନେ ଶୁଣି ନ ଥିଲେ। ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଛି ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ କୁଳପତି ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ଏନେଇ ମୁହଁ ଖୋଲି ନ ଥିଲେ।

ଉତ୍କଳ ଜମିରେ ନଜର
ଉତ୍କଳ ଜମି ଉପରେ ୧୫ ବର୍ଷ ହେଲା ଉଚ୍ଚଶିକ୍ଷା ବିଭାଗର ନଜର ରହିଛି। ୨୦୦୩ରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏହି କ୍ୟାମ୍ପସରେ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଆସିଥିଲା। ସେତେବେଳେ ଜୋରଦାର ବିରୋଧ ବି ହୋଇଥିଲା। ୨୦୧୬ରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ପ୍ରଥମ ଥର ପ୍ରସ୍ତାବ ଆସିଥିବା ବେଳେ ବି ବିରୋଧ ହୋଇଥିଲା।

ସମ୍ବନ୍ଧିତ ଖବର