ଭୁବନେଶ୍ୱର: ବାଣୀବିହାରରେ ଛାତ୍ର ପରିଷଦ ଗଠନ କରିବା ଦାବିରେ ଅଡ଼ି ବସିଛି ଛାତ୍ର ବିଜେଡି। ସଙ୍ଗଠନର ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ସମର୍ଥକମାନେ ୩୬ ଘଣ୍ଟା ହେଲା କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନି। ଏହାରି ଭିତରେ ଅନଶନରେ ବସିଥିବା ଛାତ୍ର ଅଚ୍ୟୁତ ବେହେରା ଆଜି ସନ୍ଧ୍ୟାରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଧ୍ୟରାତ୍ରି ଯାଏ ବି ଆନ୍ଦୋଳନ ଜାରି ରହିଥିବାରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବେ ନାଚାର ହୋଇପଡ଼ିଛନ୍ତି। କ’ଣ କରିବେ? କିଭଳି ପିଲାଙ୍କୁ ଅନଶନରୁ ହଟାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ଆଗ ପଛ ବିଚାର ନ କରି ଛାତ୍ର ପରିଷଦ ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ କରି ଅସୁବିଧାରେ ପଡ଼ିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକ ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ। ଶିକ୍ଷକ ପରିଷଦର ବିନା ଅନୁମତିରେ ବିଜ୍ଞପ୍ତି ଜାରି କରିବା ଦ୍ୱାରା ଯେଉଁ ଛାତ୍ର ଆନ୍ଦୋଳନ ଦାନା ବାନ୍ଧିଛି ତାହାକୁ ରୋକିବାରେ ବିଫଳ ହୋଇଛନ୍ତି। ନିଷ୍ପତ୍ତିକୁ ବିରୋଧ କରି ପ୍ରଥମେ ଏବିଭିପି ଏବଂ ଛାତ୍ର କଂଗ୍ରେସ ମୌନବ୍ରତରେ ବସିବା ଫଳରେ କୁଳପତି ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ଶିକ୍ଷକ ପରିଷଦ ବୈଠକ ଡାକି ସମାଧାନର ବାଟ ବାହାର କରିଥିଲେ। ଯେଉଁ ବାଟ ବାହାରିଲା ତାହାକୁ ନେଇ ଏବେ ଛାତ୍ର ବିଜେଡି ସିଧାସଳଖ କୁଳପତିଙ୍କୁ ଟାର୍ଗେଟ କରିଛି। କୁଳପତି ଓ ପିଜି କାଉନସିଲ୍ ଅଧ୍ୟକ୍ଷ କାହିଁକି ବିଜ୍ଞପ୍ତିି ପ୍ରକାଶ କରିଥିଲେ? କାହା ସ୍ୱାର୍ଥ ଏବଂ ଚାପରେ ଏଭଳି ନିଷ୍ପତ୍ତିି ନେଇ ପୁଣି ପରିବର୍ତନ କଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଛାତ୍ରଛାତ୍ରୀ ସମେତ ବିଶ୍ୱବିଦ୍ୟାଳୟ ପ୍ରଫେସର, ଅଧ୍ୟାପକଙ୍କୁ ଭୁଆଁ ବୁଲାଉଥିବା ଏଭଳି କୁଳପତି ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ତୁରନ୍ତ ଇସ୍ତଫା ଦିଅନ୍ତୁ। ନ ହେଲେ ଆଗାମୀ ଦିନରେ କ୍ୟାମ୍ପସରେ ଯେଉଁ ଆନ୍ଦୋଳନ ହେବ ସେଥିପାଇଁ କର୍ତୃପକ୍ଷ ହିଁ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି।
କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ଲାଗି ଗାନ୍ଧୀଗିରି କରି ପିଲାଙ୍କୁ ଆନ୍ଦୋଳନର ନୂଆ ତରିକା ଶିଖାଇଥିବା କୁଳପତି ପ୍ରଫେସର ପଟ୍ଟନାୟକ ୫ ଦିନ ହେଲା ବିବାଦରେ ଫସିଛନ୍ତି। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଅନଶନରେ ବସିଥିବାରୁ ପୁଲିସ ସେମାନଙ୍କୁ ଘଉଡ଼ାଇ ପାରୁନି କି କର୍ତୃପକ୍ଷ ବୁଝାଇପାରୁ ନାହାନ୍ତି। କେବଳ ଯାହା ଦେଖି ବସି ରହୁଛନ୍ତି। ପିଲାମାନେ ମଧ୍ୟ ମୁଣ୍ଡ ଉପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ରଖି ଶାନ୍ତିପୂର୍ଣ୍ଣ ଅନଶନରେ ବସିଛନ୍ତି। ଅନଶନ ସ୍ଥଳରେ ୬ ଜଣ ପୁଲିସ ଅଧିକାରୀ ସେମାନଙ୍କ ଉପରେ ନଜର ରଖିଛନ୍ତି। ଆଜି ଦିନ ସାରା ପିଜି କାଉନସିଲ୍ ଅଧ୍ୟକ୍ଷ ଏବଂ କୁଳପତି ଏକାଧିକ ଥର ଧାରଣାସ୍ଥଳକୁ ଆସି ପିଲାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/BANI-BIHAR.jpg)