ବାଣୀବିହାରରେ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଘଟଣା, ରାଜଭବନର ତନାଘନା

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରିପୋର୍ଟ ତଲବ, ବରିଷ୍ଠ ପ୍ରଫେସରଙ୍କୁ ନେଇ କମିଟି ଗଠନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିର୍ଯାତନା ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି। କ୍ୟାମ୍ପସରେ ମହିଳା ପ୍ରଫେସର ଅସୁରକ୍ଷିତ ହୋଇପଡ଼ିଥିବାରୁ ରାଜଭବନ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ୭ ଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ କ’ଣ? କ୍ୟାମ୍ପସ ଭିତରେ ଏଭଳି ଘଟଣା କାହିଁକି ହେଲା? କାହାର ଭୁଲ୍‌ ରହିଛି? ସବିଶେଷ ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ କୁହାଯାଇଛି। ଚିଠି ପାଇବା ପରେ ବରିଷ୍ଠ ପ୍ରଫେସରଙ୍କୁ ନେଇ କମିଟି ଗଠନ ହୋଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦୁଇ ଦିନ ତଳେ ରାଜଭବନ ପକ୍ଷରୁ ତାଗିଦା ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ହଜି ଯାଇଛି। ଘଟଣାକୁ ରଫାଦଫା କରିବା ଲାଗି ସମସ୍ତେ ଲାଗି ପଡ଼ିଛନ୍ତି। ଉଚ୍ଚପଦସ୍ଥ ଅଧିକାରୀମାନେ ଘନଘନ ବୈଠକ କରିଛନ୍ତି। ନଭେମ୍ବର ୧୬ରୁ ମହିଳା ପ୍ରଫେସର ଜଣକ ଅଭିଯୋଗ କରିଥିଲେ ମଧ୍ୟ ତାହାକୁ ଚାପିବାକୁ କର୍ତୃପକ୍ଷ ଯେଉଁ ଉଦ୍ୟମ କରିଥିଲେ, ତାହା ଭଣ୍ଡୁର ହୋଇଛି। ମହିଳା ପ୍ରଫେସର ଜଣକଙ୍କୁ ବୁଝାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା, ବରଂ ରାଜଭବନ ପକ୍ଷରୁ ତନାଘନା ହେବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏକ କମିଟି ଗଠନ କରିଥିଲେ। ଏଥିରେ ବରିଷ୍ଠ ପ୍ରଫେସରଙ୍କୁ ସାମିଲ କରାଯାଇଛି। କମିଟିର ପ୍ରାରମ୍ଭିକ ବୈଠକରେ ଅଭିଯୋଗକାରୀ ମହିଳା ପ୍ରଫେସର ଓ ଅଭିଯୋଗ ଆସିଥିବା ଓଏଏସ୍‌ ଅଧିକାରୀଙ୍କୁ ଡକାଯାଇଥିଲା। ସେମାନେ ସାମିଲ ହୋଇ ନିଜର ପକ୍ଷ ରଖିଥିଲେ। କମିଟି ମଧ୍ୟ ଉଭୟଙ୍କ କଥା ଶୁଣିବା ପରେ ରିପୋର୍ଟ ପ୍ରସ୍ତୁତ କରି ପିଜି କାଉନସିଲ୍‌ ‌ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି। ରାଜ୍ୟର ପ୍ରଥମ ତଥା ପୁରାତନ ବିଶ୍ବବିଦ୍ୟାଳୟରେ ମହିଳା ପ୍ରଫେସର ଅସୁରକ୍ଷିତ ହୋଇପଡ଼ିଥିବାରୁ ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟ ବଦନାମ ହେବା ସହ ରାଜ୍ୟ ସରକାର ବି ହରଡ଼ଘଣାରେ ପଡ଼ୁଛନ୍ତି। ବିରୋଧୀ ଦଳଙ୍କ ଦ୍ବାରା ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଚିନ୍ତାର ବିଷୟ ହେଉଛି ଯେ କେଉଁ ପରିସ୍ଥିତିରେ ଜଣେ ଓଏଏସ୍‌ ଅଧିକାରୀ କ୍ୟାମ୍ପସ ଭିତରେ ମହିଳା ପ୍ରଫେସରଙ୍କୁ ଖରାପ ବ୍ୟବହାର କଲେ, କ୍ୟାମ୍ପସର କୌଣସି ପଦ ପଦବିରେ ନ ଥିଲେ ମଧ୍ୟ ସେ କାହା ସାହାସ ଓ ପ୍ରରୋଚନାରେ ଓଏଏସ୍‌ ଅଧିକାରୀଜଣକ ମହିଳା ପ୍ରଫେସରଙ୍କୁ ଧମକ ଦେଇଛନ୍ତି, ତାହା ଏବେ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି।

ରାଜଭବନ ପକ୍ଷରୁ ଘଟଣା ସମ୍ପର୍କରେ କୁଳପତିଙ୍କୁ ରିପୋର୍ଟ ମଗା ଯାଇଥିଲା। ଚିଠି ପାଇବା ପରେ କୁଳପତି ତାହାକୁ ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସେହି ଆଧାରରେ କମିଟି ଗଠନ କରାଯାଇ ତଦନ୍ତ ହୋଇଛି। ରିପୋର୍ଟ ତଲବ ନେଇ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚିଠି ମିଳିବା ପରେ ପଦକ୍ଷେପ ନିଆଯାଇଛି। ଗଠିତ ହୋଇଥିବା କମିଟି ରିପୋର୍ଟ ପ୍ରସ୍ତୁତ କରି ଦେଇଛି। ତାହାକୁ କୁଳପତିଙ୍କ ନିକଟକୁ ପଠାଯିବ। ସେ ଯାହା ପଦକ୍ଷେପ ନେବେ। ଏନେଇ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ।

ସୂଚନା‌ଯୋଗ୍ୟ ଯେ ମହିଳା ପ୍ରଫେସର ଜଣକ ନଭେମ୍ବର ୧୬ରେ ଅଭିଯୋଗ କରିଥିଲେ ଯେ ସେହି ମାସ ୧୪ତାରିଖ ଅପରାହ୍ଣ ୧ଟା ୪୫ରେ କୁଳସଚିବଙ୍କ କାର୍ଯ୍ୟାଳୟରେ କ୍ୟାମ୍ପସ ବାହାରର ଜଣେ ଓଏଏସ୍‌ ଅଧିକାରୀ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କ ଝିଅଙ୍କୁ ହଷ୍ଟେଲରେ କାହିଁକି ପର୍ଯ୍ୟାପ୍ତ ସୁବିଧା ମିଳିଲା ନାହିଁ, ସେନେଇ ପ୍ରଶ୍ନ କରିଥିଲେ। ଧମକ ଦେବା ସହ ବିଶ୍ବବିଦ୍ୟାଳୟକୁ ବଦନାମ କରିଦେବେ କହିଥିଲେ। ଯେଉଁଥିପାଇଁ ମହିଳା ପ୍ରଫେସରଜଣକ ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟ ପଦ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର