ଭୁବନେଶ୍ବର : ଶେଷର ବିଏମ୍ସି ମୁଣ୍ଡରେ ଚେତା ପଶିଛି। ଭିକ୍ଷାବୃତ୍ତି କରି ଟ୍ରାଫିକ୍ ଛକ ଜାମ୍ କରୁଥିବା ବନ୍ଜାରାଙ୍କୁ ନିୟନ୍ତ୍ରଣ କରିବାକୁ ବିଏମ୍ସି ଓ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛନ୍ତି। ଆଜିଠୁ ବିଏମ୍ସି ଓ କମିସନରେଟ୍ ପୁଲିସର ମିଳିତ ଉଦ୍ୟମରେ ସେମାନଙ୍କୁ ଭିକ ନ ମାଗିବାକୁ ସଚେତନ କରାଯିବା ସହ ସମସ୍ୟାରେ ଥିବା ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ବିଭିନ୍ନ ଛକରେ ସ୍କ୍ବାଡ୍ ପହଞ୍ଚି ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରିଛି ଓ ୫ଜଣଙ୍କୁ ଉଦ୍ଧାର କରି ସହରାଞ୍ଚଳ ଆଶ୍ରୟକେନ୍ଦ୍ରରେ ଛାଡ଼ିଛି। ଏଣିକି ପୂରା ସହର ବଞ୍ଜାରା ଭିକାରି ମୁକ୍ତ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟ ବାହାରୁ ବିଶେଷକରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆସିଥିବା ବଞ୍ଜାରାମାନେ ରାଜଧାନୀର ବିଭିନ୍ନ ଟ୍ରାଫିକ୍ ଛକରେ ରହି ଭିକ ମାଗୁଥିଲେ। ଛକରେ ଗାଡ଼ି ଅଟକିବା ମାତ୍ରେ ସେମାନେ ପାଖକୁ ମାଡ଼ି ଆସୁଥିଲେ। ବିଶେଷକରି ମହିଳା ଓ ଶିଶୁମାନେ ଏମିତି କରୁଥିଲେ। ମହିଳାମାନେ କୋଳରେ କାଖରେ ଶିଶୁଙ୍କୁ ଧରି ହାତ ପତାଉଥିବା ବେଳେ ଶିଶୁମାନେ ଦଳଦଳ ହୋଇ ଭିକ ମାଗୁଥିଲେ। ସେହିଭଳି କିଛି ବନ୍ଜାରା କଲମ ବିକିବା ବାହାନାରେ ଟ୍ରାଫିକ୍ ଛକରେ ରହି ଗାଡ଼ି ଚାଳକମାନଙ୍କୁ ଅସୁବିଧାରେ ପକାଉଥିଲେ। ଟ୍ରାଫିକ୍ ଛକ ଜାମ୍ ହେବାରୁ ଗାଡ଼ିଚାଳକମାନେ ସମସ୍ୟାରେ ପଡ଼ୁଥିଲେ। ଏନେଇ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍ସି ଓ କମିସନରେଟ୍ ପୁଲିସ ଏଥିରେ ରୋକ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି।
ଗତକାଲି ବିଏମ୍ସି ଓ କମିସନରେଟ୍ ପୁଲିସର ମିଳିତ ବୈଠକ ବସିଥିଲା। ଏଥିରେ ସହରାଞ୍ଚଳ ଆଶ୍ରୟସ୍ଥଳୀ (ଏସ୍ୟୁଏଚ୍) ପରିଚାଳନା କରୁଥିବା ସଂସ୍ଥା ଯଥା: ଓଡ଼ିଶା ପତିତା ଉଦ୍ଧାର ସମିତି, ବିକାଶ, ଭିଜେଏସ୍ଏସ୍ ଇତ୍ୟାଦି ସଂଗଠନ ସାମିଲ ହୋଇଥିଲେ। ଏହାକୁ ଏକ ମିସନ୍ ଭାବରେ ନିଆଯାଇଥିଲା। ରାଜଧାନୀର ସବୁ ଟ୍ରାଫିକ୍ ଛକକୁ ଭିକାରିମୁକ୍ତ ଅଞ୍ଚଳ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଆଜି ପ୍ରଥମେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଡେପୁଟି କମିସନର୍ କମଳାକାନ୍ତ ବେହେରା ଓ ଏସିପି ଲଳିତେନ୍ଦୁ ମହାନ୍ତି ବନ୍ଜାରାମାନଙ୍କୁ ଭେଟି ସଚେତନ କରାଇଛନ୍ତି। ଭିକ ମାଗୁଥିବା ବନ୍ଜାରାମାନଙ୍କୁ ଭିକ୍ଷାବୃତ୍ତି ଛାଡ଼ିବାକୁ ପ୍ରବର୍ତ୍ତାଇଥିଲେ। ଏହା ପରେ ବି ଆଗକୁ ସେମାନେ ପୁଣି ଭିକ ମାଗିଲେ, ଉଠାଇ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ଆଜି ୫ଜଣଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଛି। ସେମାନେ ଅସହାୟ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/banjara.jpg)