ନନ୍ଦନବିହାର ବ୍ୟାଙ୍କ ଲୁଟ୍ ମାମଲାକୁ ୨୦ ଦିନ : ଫେରାର୍‌ ଅପରାଧୀଙ୍କ ପତ୍ତା ପାଉନି ପୁଲିସ

ମହିଳାଙ୍କଠୁ ୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ବି ଫେଲ୍

ଭୁବନେଶ୍ୱର : ରାଜଧାନୀରେ ବ୍ୟାଙ୍କ ଲୁଟ୍, ରାହାଜାନି, ବନ୍ଧୁକ ବେପାର ଭଳି ଏକାଧିକ ମାମଲାର ଅପରାଧୀଙ୍କ ଟେର୍ ପାଉନି ପୁଲିସ। ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ଅପରାଧୀଙ୍କ ଟେର୍ ନ ମିଳିବା କମିସନରେଟ୍‌ ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଲୁଟେରା ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଏମ୍‌ସରୁ ଫେରୁଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଲୁଟ୍ କରି ଲୁଟେରା ସେମାନଙ୍କ ସ୍ଥିତି ଜାହିର କରିଛନ୍ତି।

ଗତ ଜୁଲାଇ ୭ ତାରିଖରେ ସ୍ପଷ୍ଟ ଦିବାଲୋକରେ ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାର ବ୍ୟାଙ୍କ ଲୁଟ୍ ମାମଲାକୁ ୨୦ଦିନ ବିତିଗଲାଣି। କିନ୍ତୁ ଲୁଟେରାର ଟେର୍ ପାଉନି ପୁଲିସ। ବଡ଼ କଥା ହେଲା, ମାତ୍ର ଜଣେ ଦୁର୍ବୃତ୍ତ ଏହି ଲୁଟ୍ କରିଥିଲା। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଭିତରେ ପଶି ମହିଳା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିଲା। ଲୁଟ୍ କରିବା ପରେ ଗାଡ଼ି ଧରି ସହର ଭିତର ଦେଇ ଖସି ଯାଇଥିଲା। ସିସିଟିଭିରେ ଲୁଟେରା ଚେହେରା ଓ କାରନାମା କଏଦ୍ ହୋଇ ରହିଥିଲେ ବି ଫେଲ୍ ମାରିଛି ପୁଲିସ। ଏହି ଘଟଣାକୁ ୨୪ଘଣ୍ଟା ନ ପୂରୁଣୁ ବାଲିଅନ୍ତା ଥାନା ଅଧୀନ ତ୍ରିନାଥ ବଜାରରେ ସୁନିତା ଜେନା ଲୁଟ୍‌ର ଶିକାର ହୋଇଥିଲେ। ଘର କାମ ପାଇଁ ବ୍ୟାଙ୍କରୁ ଉଠାଇଥିବା ୫ଲକ୍ଷ ଟଙ୍କା ଭ୍ୟାନିଟିରେ ପୂରାଇ ଛିଡ଼ା ହୋଇଥିବା ବେଳେ ଲୁଟେରା ବ୍ୟାଗ୍‌ ଧରି ଫେରାର୍‌ ହୋଇ ଯାଇଥିଲା। ଏହି ଲୁଟ୍ ଘଟଣାରେ ମଧ୍ୟ ସିସିଟିଭି ଫୁଟେଜର ଲୁଟେରାର ଚିତ୍ର କଏଦ ହୋଇ ରହିଛି। କିନ୍ତୁ କମିସନରେଟ ପୁଲିସ ଏହି ଘଟଣାରେ ମଧ୍ୟ ଫେଲ୍ ମାରିଛି। କେବେ ଲୁଟେରା ଧରାପଡ଼ିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର