ରାଜଧାନୀର ଦୁଇ ବ୍ୟାଙ୍କରୁ ଲୁଟ୍ ଘଟଣା : ୭୦ ହଜାର ଟଙ୍କାରେ ବନ୍ଧୁକ କିଣିଥିଲା ଲୁଟେରା

ବିକ୍ରି କରିଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏକୁଟିଆ ଦୁଇଟି ବ୍ୟାଙ୍କ ଲୁଟ୍ କରିଥିବା ଲୁଟେରା ସୌମ୍ୟରଞ୍ଜନ ଜେନା ୭୦ହଜାର ଟଙ୍କାରେ ବନ୍ଧୁକ କିଣିଥିଲା। ନିଜ ଗାଁ ଟାଙ୍ଗିବନ୍ତ ଅଞ୍ଚଳର ରଞ୍ଜନ ଭୋଇ ଓରଫ ରଣୁଠାରୁ ସେ ଏହି ବନ୍ଧୁକ କିଣିଥିଲା। ଇନ୍‌ଫୋସିଟି ଥାନା ନନ୍ଦନବିହାରରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଲୁଟ୍ କରିବା ପରେ ଗାଁ ପାଖ ବରିମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଟଙ୍କା ଲୁଟ୍ କରିବାକୁ ସେ ଯୋଜନା କରିଥିଲା। ରଞ୍ଜନ ପୁରୁଣା ଅପରାଧୀ ହୋଇଥିବାରୁ ତା’ ସହ ଯୋଗାଯୋଗ କରିଥିଲା। ରଞ୍ଜନ ୭୦ ହଜାର ଟଙ୍କା ପାଇବା ପରେ ବନ୍ଧୁକ ଦେଇଥିଲା। ଯାହାକୁ ସେ ବରିମୁଣ୍ଡ ବ୍ୟାଙ୍କ ଲୁଟରେ ବ୍ୟବହାର କରିଥିଲା। ଲୁଟେରାର ଫୋନ୍ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରିବା ପରେ ଏହି ତଥ୍ୟ ଜାଣିବାକୁ ପାଇଥିଲା ମଞ୍ଚେଶ୍ବର ଥାନା ପୁଲିସ। କିନ୍ତୁ ରଞ୍ଜନ ଏହି ବନ୍ଧୁକ କେଉଁଠୁ, କାହାଠାରୁ ଆଣିଥିଲା, ସେ ନେଇ ପୁଲିସ ସୂଚନା ପାଇ ପାରିନାହିଁ। ରଞ୍ଜନ ପୂର୍ବରୁ ଲୁଟ୍ ମାମଲାରେ ଜେଲ୍ ଯାଇଥିଲା। ଜେଲରେ ଥିବା ସମୟରେ ଅପରାଧୀଙ୍କ ସଂସ୍ପର୍ଶରେ ଆସି ବନ୍ଧୁକ ଆଣିଥିବା ପୁଲିସ ସନ୍ଦେହ କରୁଛି। ରିମାଣ୍ଡରେ ଆଣି ପଚରାଉଚରା କଲେ ରହସ୍ୟ ଖୋଲି ପାରିବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୭ ତାରିଖରେ ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ଲୁଟ୍ ହୋଇଥିଲା। ସମାନ ଢଙ୍ଗରେ ସେହି ମାସ ୨୮ ତାରିଖରେ ମଞ୍ଚେଶ୍ବର ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲୁଟ୍ ହୋଇଥିଲା। ଏହା ଜଣେ ଲୁଟେରାର କାମ ହୋଇଥିବା ଜଣାପଡ଼ିବା ପରେ ସ୍ପେସାଲ ସ୍କ୍ବାଡ୍ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅକ୍ଟୋବର ୫ ତାରିଖରେ ସୌମ୍ୟରଞ୍ଜନକୁ ପୁଲିସ ଗିରଫ କରିବା ସହ ତା’ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ବନ୍ଧୁକ, ବ୍ୟବହୃତ ଗାଡ଼ି, ମୋବାଇଲ ଫୋନ୍ ଜବତ କରିଥିଲା।

ସମ୍ବନ୍ଧିତ ଖବର