ବ୍ୟାଙ୍କ୍‌ ଲୁଟ୍‌ ଘଟଣା: ଦାୟିତ୍ବ ନେଲା ସ୍ପେସାଲ ସ୍କ୍ବାଡ୍‌, ସୁରକ୍ଷା କଡ଼ାକଡ଼ି ପାଇଁ ବ୍ୟାଙ୍କ୍‌କୁ ଚିଠି

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବରିମୁଣ୍ଡ ଶାଖାରେ ଗୁଳି ଫୁଟାଇ ଜଣେ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିବା ଘଟଣାକୁ ୨୪ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ୍‌ ଏପର୍ଯ୍ୟନ୍ତ ଲୁଟେରାର ପତ୍ତା ପାଇ ପାରିନାହିଁ। ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ଆଜି ଏହି ମାମଲା ସ୍ପେସାଲ ସ୍କ୍ବାଡ୍‌କୁ ହସ୍ତାନ୍ତର କରାଯାଇଛି। ସ୍କ୍ବାଡ୍‌ର ସ୍ବତନ୍ତ୍ର ଟିମ୍‌ ସିସିଟିଭି ଫୁଟେଜ୍‌ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାକୁ ଆଧାର କରି ଲୁଟେରାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତେବ‌େ ଦୁର୍ବୃତ୍ତଜଣଙ୍କ ମୁଖା ଓ ହେଲମେଟ୍‌ ପିନ୍ଧିଥିବାରୁ ଫୁଟେଜ୍‌ରୁ ତାକୁ ଚିହ୍ନଟ କରିବା ସ୍କ୍ବାଡ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଗତ ୭ ତାରିଖ‌ରେ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ମଧ୍ୟ ସମାନ ଢଙ୍ଗରେ ଲୁଟ୍‌ ହୋଇଥିବାରୁ ଏହି ଦୁଇଟି ଘଟଣାର ଅପରାଧୀ ଜଣେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ସେହି ଦିଗରେ ସ୍ପେସାଲ ସ୍କ୍ବାଡ୍‌ ତଦନ୍ତ କରୁଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଅପରପକ୍ଷେ ବ୍ୟାଙ୍କ୍‌ଗୁଡ଼ିକର ସୁରକ୍ଷା ବଢ଼ାଇବାକୁ ଶ୍ରୀ ଦାଶ ଆଜି ସମସ୍ତ ବ୍ୟାଙ୍କ୍‌ଗୁଡ଼ିକୁ ଚିଠି ଲେଖିଛନ୍ତି। ଆର୍‌ବିଆଇର ନିର୍ଦ୍ଦେଶାବଳୀ ମୁତାବକ, ସୁରକ୍ଷାକର୍ମୀ ନିଯୁକ୍ତ କରିବା ପାଇଁ ତତ୍ପର ହେବାକୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେ କହିଛନ୍ତି, ଉପକଣ୍ଠ ତଥା ସହରତଳି ଅଞ୍ଚଳ‌ରେ ଥିବା ବ୍ୟାଙ୍କ୍‌ଗୁଡ଼ିକର ସୁରକ୍ଷା ପାଇଁ ନିୟମିତ ପୁଲିସ ପାଟ୍ରୋଲିଂ ପାଇଁ ସମ୍ପୃକ୍ତ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବ୍ୟାଙ୍କ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଅଦ୍ୟାବଧି ଯେତିକି ଲୁଟ୍‌ ହେଲାଣି, ସବୁଥିରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଥିବା ଦେଖାଯାଇଛି। ଉଚିତ ସମୟରେ ଆଲାର୍ମ ନ ବାଜିବା ଓ ସୁରକ୍ଷାକର୍ମୀ ନିୟୋଜିତ ନ ହେବା, ଉଭୟ ଧନ ଓ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ଏଣୁ ଲୋକମାନଙ୍କ ଟଙ୍କା ଓ ଜୀବନ କିଭଳି ସୁରକ୍ଷିତ ରହିବ, ସେ ନେଇ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ। ନିକଟ ଅତୀତରେ ଇନ୍‌ଫୋସିଟି ଥାନା ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରେ ଏଭଳି ଲୁଟ୍‌ ହୋଇଥିଲା। ଉଭୟ ମାମଲାରେ ଅପରାଧୀର ଲୁଟ୍‌ ତରିକା ସମାନ ରହିଛି। ଏଣୁ ଉଭୟ ମାମଲାରେ ଜଣେ ଅପରାଧୀର ହାତ ରହିଛି ବୋଲି ଅନୁମାନ କରାଯାଉଛି ଏବଂ ସେହି ଦିଗରେ ତଦନ୍ତ ହେଉଛି ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି।

ଉଭୟ ଲୁଟ୍‌ର ସମୟ ଗୋଟିଏ
ଗତ ୭ ତାରିଖରେ ନନ୍ଦନବିହାରସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ଲୁଟ୍‌ ହୋଇଥିଲା। ଗତକାଲି ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ବରିମୁଣ୍ଡ ଶାଖାରୁ ଲୁଟ୍‌ ହୋଇଛି। ଉଭୟ ଲୁଟ୍‌ର ସମୟ ଗୋଟିଏ। ଲୁଟେରା ମଧ୍ୟାହ୍ନ ଭୋଜନ ବିରତିକୁ ଟାର୍ଗେଟ୍‌ କରି ଲୁଟ୍‌ କରିଛି। ଏହି ସମୟରେ ଗ୍ରାହକ ଓ କର୍ମଚାରୀ ମଧ୍ୟ କମ୍‌ ଥାଆନ୍ତି। ଏଣୁ ଏହି ସମୟରେ ଲୁଟ୍‌ କରିବା ସୁବିଧା ହୋଇଥାଏ। ଗତକାଲି ବରିମୁଣ୍ଡ ବ୍ୟାଙ୍କର ଶାଖା ପରିଚାଳକ ନନ୍ଦନ କୁମାର ରାଉଳ ଫିଲ୍ଡକୁ ଯାଇଥିବା ବେଳେ ମାତ୍ର ତିନି ଜଣ କର୍ମଚାରୀ ଥିଲେ। ଏହି ସୁଯୋଗରେ ଲୁଟେରା ୯ ଲକ୍ଷ ୫୦ ହଜାର ନେଇ ଫେରାର୍‌ ହୋଇ ଯାଇଥିଲା।

ପୁଲିସ ସଂକ୍ରମିତ, ମାତିଛନ୍ତି ଲୁଟେରା
କମିସନରେଟ୍‌ ପୁଲିସରେ କରୋନା ସଂକ୍ରମଣ ଉଗ୍ରରୂପ ନେଇଛି। ୩ ଏସିପି, ୯ ଇନ୍‌ସ୍‌ପେକ୍ଟର ଓ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ୪ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟି ସାରିଲାଣି। କିଛି କର୍ମଚାରୀ ସୁସ୍ଥ ହେଉଛନ୍ତି, ହେଲେ ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ତୁଳନାରେ ବହୁତ କମ ରହିଛି। ଫଳରେ ଥାନା ଚଳାଇବା ସହ ଅନ୍ୟାନ୍ୟ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପ୍ରଭାବିତ ହୋଇଛି। ବଡ଼କଥା ହେଉଛି, କୋଭିଡ୍‌ କଟକଣାକୁ ସାଧାରଣ ଲୋକ ମାନୁ ନଥିବାରୁ କମିସନରେଟ୍‌ ପୁଲିସ୍‌ ଏହାକୁ ଏକ ମିସନ୍‌ ଭାବେ ନେଇଛି। ଏଣେ ଅପରାଧୀ ଉପରମୁହାଁ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର