ବ୍ୟାଙ୍କ୍ ଲୁଟ୍‌ ଉଦ୍ୟମ ବିଫଳ, ନେଇଗଲେ ସିସି କ୍ୟାମେରା ଓ ଇଣ୍ଟରନେଟ୍‌ ସର୍ଭର ମେସିନ୍

ବ୍ୟାଙ୍କ୍ ଲୁଟ୍‌ ଉଦ୍ୟମ ବିଫଳ, ନେଇଗଲେ ସିସି କ୍ୟାମେରା ଓ ଇଣ୍ଟରନେଟ୍‌ ସର୍ଭର ମେସିନ୍

ବାଲିପାଟଣା : ଗୁରୁବାର ରାତିରେ ବନମାଳୀପୁର ମଝିହରାସ୍ଥିତ ଲକ୍ଷ୍ମୀବିଳାସ ବ୍ୟାଙ୍କ୍‌ରୁ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ଝରକା କାଟି ଭିତରେ ପଶିବା ପରେ ସମସ୍ତ ଚେଷ୍ଟା ସତ୍ତ୍ବେ ଷ୍ଟ୍ରଙ୍ଗରୁମ୍‌ ଭାଙ୍ଗି ପାରିନଥିଲେ। ଶେଷରେ ହତାଶ ହୋଇ ସେମାନେ ସିସି କ୍ୟାମେରା ଓ ଇର୍ଣ୍ଟନେଟ୍‌ ସର୍ଭର ମେସିନ୍‌ ଉଠାଇ ପଳାଇ ଯାଇଥିଲେ। ଆଜି ସକାଳୁ ବାଲିପାଟଣା ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତଦ୍ବୟଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ଏହି ବ୍ୟାଙ୍କ୍‌ ଶାଖାଟି ମଝିହରା ପଞ୍ଚାୟତ କାର୍ଯ୍ୟାଳୟର ପରିସରରେ ରହିଛି। ଗତକାଲି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ଶାଖା ଖୋଲା ରହିଥିଲା ଓ ଭଲ କାରବାର ମଧ୍ୟ ହୋଇଥିଲା। ସିସିଟିଭି ଫୁଟେଜ୍‌ ଅନୁସାରେ ରାତି ପ୍ରାୟ ୨ ଟାରେ ଝରକା ଗ୍ରିଲ୍‌କୁ କାଟି ଗାମୁଛାରେ ମୁହଁକୁ ଢ଼ାଙ୍କିଥିବା ଦୁର୍ବୃତ୍ତଦ୍ବୟ ଭିତରେ ପଶିଥିଲେ। ଷ୍ଟ୍ରଙ୍ଗ୍‌ରୁମ ସଟର ତାଲା ମଧ୍ୟ କାଟିବାରେ ସଫଳ ହୋଇଥିଲେ। ମାତ୍ର ଷ୍ଟ୍ରଙ୍ଗରୁମ ଏବଂ ପାଖରେ ଥିବା ଏକ ଆଲ୍‌ମିରାକୁ ଭାଙ୍ଗି ପାରିନଥିଲେ। ପ୍ରାୟ ଘଣ୍ଟାଏ କାଳ ଶାବଳରେ ତାଡ଼ିବାକୁ ଚେଷ୍ଟା କରିବା ପରେ ବି ସେମାନେ ସଫଳ ହୋଇପାରିନଥିଲେ। ଶେଷରେ ଗଲା ବେଳକୁ ସେମାନେ ସିସି କ୍ୟାମେରା ଓ ହାର୍ଡ ଡିସ୍କ ଭାବି ଇଣ୍ଟରନେଟ୍‌ ମେସିନ୍‌କୁ ଉଠାଇ ନେଇଥିଲେ। ଆଜି ସକାଳୁ ପଞ୍ଚାୟତର ଜଣେ କର୍ମଚାରୀ ଝରକା ତଡ଼ା ହୋଇଥିବା ଦେଖି ସରପଞ୍ଚ ନାରାୟଣ ସାହୁଙ୍କୁ ଜଣାଇବା ପରେ ସେ ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe