କ୍ରାଇମବ୍ରାଞ୍ଚ ଜାଲରେ ବ୍ୟାଙ୍କ ମ୍ୟାନେଜର: ୬୦ ଲକ୍ଷ ଠକେଇ ଅଭିଯୋଗରେ ଗିରଫ

କଟକ: ବ୍ୟାଙ୍କ୍ ଗ୍ରାହକଙ୍କ ଦସ୍ତଖତ ଜାଲ୍‌ କରି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ବରିଷ୍ଠ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଠକେଇ ଅଭିଯୋଗରେ ରାଉରକେଲା ଆଇସିଆଇସିଆଇ ପ୍ରୁଡେନସିଆଲର ବରିଷ୍ଠ ବ୍ୟାଙ୍କ୍ ମ୍ୟାନେଜର ଜ୍ଞାନେନ୍ଦ୍ର ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ଠକେଇ ମାମଲାରେ ଶାଖାର ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ସାମିଲ ଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି।

ସୂଚନା ଅନୁଯାୟୀ, ସଚ୍ଚିଦାନନ୍ଦ ପଟ୍ଟନାୟକ ରାଉରକେଲାରେ ଆଇସିଆଇସିଆଇର ମୁଖ୍ୟ ଶାଖାରେ ଏକ ସଞ୍ଚୟ ଖାତା ଖୋଲିବା ସହିତ ନିଜ ଝିଅ ନାଁରେ କୋଏଲ ନଗର ଶାଖାରେ ଆଉ ଏକ ଆକାଉଣ୍ଟ ଖୋଲିଥିଲେ। ଦୁଇଟି ଶାଖାରେ ୯ଟି ଫିକ୍ସଡ ଡିପୋଜିଟ୍ କରିଥିଲେ। ପ୍ରତି ଫିକ୍ସଡ ଡିପୋଜିଟରେ ୧ ଲକ୍ଷ ଟଙ୍କା ହିସାବରେ ୯ ଲକ୍ଷ ଟଙ୍କା ଜମା କରିଥିଲେ। ସେହି ସମୟରେ ଆଇସିଆଇସିଆଇ ବ୍ୟାଙ୍କର ରାଉରକେଲା ମୁଖ୍ୟ ଶାଖାରେ ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ଭାବେ ଜ୍ଞାନେନ୍ଦ୍ର ପଣ୍ଡା କାମ କରୁଥିଲେ। ତାଙ୍କର ସଚ୍ଚିଦାନନ୍ଦଙ୍କ ସହିତ ସମ୍ପର୍କ ଘନିଷ୍ଠ ହୋଇଥିଲା। ଏହି ସମୟରେ ସଚ୍ଚିଦାନନ୍ଦ ୯ଟି ଚେକ୍ ମ୍ୟୁଚୁଆଲ୍ ଫଣ୍ଡରେ ଜମା କରିବା ପାଇଁ ଜ୍ଞାନେନ୍ଦ୍ରଙ୍କୁ ଦେଇଥିଲେ। ପ୍ରଥମେ ପ୍ରଥମେ ଜ୍ଞାନେନ୍ଦ୍ର ୭ ଲକ୍ଷ ୫୦ ହଜାର ଟଙ୍କା ମ୍ୟୁଚୁଆଲ୍ ଫଣ୍ଡରେ ଜମା କରିଥିଲେ। କିନ୍ତୁ ପରେ ସଚ୍ଚିଦାନନ୍ଦଙ୍କ ଅଣାଣତରେ ସେହି ଟଙ୍କା ଉଠାଇ ନେଇଥିଲେ। ଦୁଇଟି ବ୍ୟାଙ୍କରେ ଥିବା ୯ଟି ଫିକ୍ସଡ୍‌ ଡିପୋଜିଟକୁ ବି ଜମାକାରୀଙ୍କ ନାଁରେ ଦୁଇଟି ଜାଲ ଦରଖାସ୍ତ ଦେଇ ଉଠାଇ ନେଇଥିଲେ। ସଚ୍ଚିଦାନନ୍ଦଙ୍କ ୧୪ଟି ଦସ୍ତଖତ ଥିବା ଚେକର ଅପବ୍ୟବହାର କରି ୩୪ ଲକ୍ଷ ୮୯ ହଜାର ୬୦୦ ଟଙ୍କା ଉଠାଇ ନେଇଥିଲେ। ଏଭଳି ଭାବେ ସଚ୍ଚିଦାନନ୍ଦ ୬୦ ଲକ୍ଷ ଟଙ୍କା ଚଞ୍ଚକତା କରି ବିଭିନ୍ନ ଜୀବନ ବୀମାକୁ ଟ୍ରାନସଫର କରିଦେଇଥିଲେ। ଏ ସଂକ୍ରାନ୍ତରେ ସଚ୍ଚିଦାନନ୍ଦ କ୍ରାଇମବ୍ରାଞ୍ଚରେ ଏତଲା ପରେ ଅତିରିକ୍ତ ଏସପି ଡିବି ମିଶ୍ର ମାମଲାର ତଦନ୍ତଭାର ଗ୍ରହଣ କରିଥିଲେ। ଜ୍ଞାନେନ୍ଦ୍ର ରାଉରକେଲା ଆଇସିଆଇସିଆଇ ମୁଖ୍ୟ ଶାଖାରୁ ରାଉରକେଲା ଆଇସିଆଇସିଆଇ ପ୍ରୁଡେନସିଆଲକୁ ବଦଳି ହୋଇଥିଲେ। ଅନ୍ୟପଟେ ମାମଲା ରୁଜୁ ପରେ ଜ୍ଞାନେନ୍ଦ୍ରଙ୍କୁ ଗିରଫ କରାଯାଇଛି। ତାଙ୍କୁ ପାନପୋଷ ଏସଡିଜେଏମଙ୍କ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଛି।

ସମ୍ବନ୍ଧିତ ଖବର