ବ୍ୟାଙ୍କ ଧର୍ମଘଟର ପ୍ରଥମ ଦିନ, ୧୮ହଜାର କୋଟିର କାରବାର ବନ୍ଦ

ନଗଦ ସଂକଟ ଆଶଙ୍କା

ଭୁବନେଶ୍ବର: ବେତନ ସଂଶୋଧନ ସମେତ ବିଭିନ୍ନ ଦାବି ପୂରଣ ପାଇଁ ୟୁଏଫବିୟୁ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ଆରମ୍ଭ ହୋଇଛି। ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ଧର୍ମଘଟର ଗୁରୁତର ପ୍ରଭାବ ବ୍ୟାଙ୍କିଙ୍ଗ୍ କାରବାର ଉପରେ ପଡ଼ିଛି। ରାଜ୍ୟରେ ଏହି ଧର୍ମଘଟ ଯୋଗୁ ସରକାରୀ ଏବଂ ଘରୋଇ ଆଦି ବ୍ୟାଙ୍କର ପ୍ରାୟ ସମସ୍ତ ଶାଖା ବନ୍ଦ ରହିଥିଲା। ଆଜି ଗୋଟିଏ ଦିନରେ ଏଥିଯୋଗୁଁ ରାଜ୍ୟରେ ପ୍ରାୟ ୧୫ ହଜାରରୁ ୧୮ ହଜାର କୋଟି ଟଙ୍କାର ବ୍ୟାଙ୍କିଙ୍ଗ୍ କାରବାର ପ୍ରଭାବିତ ହୋଇଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଗତକାଲି ସରସ୍ବତୀ ପୂଜା ପାଇଁ ବ୍ୟାଙ୍କଗୁଡ଼ିକ ବନ୍ଦ ଥିଲା। ଆଜି ଧର୍ମଘଟର ପ୍ରଥମ ଦିନରେ ବ୍ୟାଙ୍କ ବନ୍ଦ ରହିଛି। ଏଥିଯୋଗୁଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଧର୍ମଘଟର ସମାଧାନ କରିବା ପାଇଁ ଆଇବିଏ ପକ୍ଷରୁ ସଂଘ ସହ ଏ ପର୍ଯ୍ୟନ୍ତ କିଛି ପ୍ରସ୍ତାବ ଦିଆଯାଇନାହିଁ ବୋଲି ୟୁଏଫବିୟୁର ଆବାହକ ସମ୍ବିତ ମିଶ୍ର କହିଛନ୍ତି। ରାଜ୍ୟରେ ଧର୍ମଘଟର ପ୍ରଭାବ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଅନୁଭୂତ ହୋଇଛି। ପ୍ରାୟ ୪୦ ହଜାର ଅଫିସର ଏବଂ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ଏଥିଯୋଗୁଁ ରାଜ୍ୟରେ ପ୍ରାୟ ୪୯୦୦ ବ୍ୟାଙ୍କ ଶାଖା ବନ୍ଦ ରହିଛି। ସେହିଭଳି ରାଜ୍ୟରେ ଥିବା ପ୍ରାୟ ୩୦୦୦ ଏଟିଏମ୍ ମଧ୍ୟରୁ କେତେକ ଏଟିଏମ୍‌ରେ ଟଙ୍କା ନଥିବା ଅଭିଯୋଗ ମଧ୍ୟ ଆସିଛି। ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ କର୍ମଚାରୀମାନଙ୍କ ଦୁଇଦିନିଆ ଧର୍ମଘଟ ଯୋଗୁଁ ସରସ୍ବତୀ ପୂଜା ଏବଂ ରବିବାର କାରଣରୁ ଆଉ ଦୁଇ ଦିନ ମିଶି ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ‌ଏହାଦ୍ବାରା ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ପ୍ରଭାବିତ ହେବା ସହ ନଗଦ ଅର୍ଥର ମଧ୍ୟ ସଂକଟ ଦେଖାଦେବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର