ଭୁବନେଶ୍ୱର: ବାଞ୍ଛା ନିଜ ରକ୍ତକୁ ପାଣି କରି ଫୁଲଫଳ ଭରା ବଗିଚା ସୃଷ୍ଟି କରିଥିଲା। ମାତ୍ର ସେହି ବଗିଚା ଉପରେ ଜମିଦାର ଛକଡ଼ି ମହାନ୍ତିଙ୍କର ନଜର ପଡ଼େ। ବହୁ ଚେଷ୍ଟା ସତ୍ତ୍ୱେ ବଗିଚାକୁ ହାତେଇବାରେ ଅସଫଳ ହୋଇ ସେ ମୃତ୍ୟୁବରଣ କରେ। ତାଙ୍କ ମୃତ୍ୟୁ ପରେ ବାବାଙ୍କ ଅପୂର୍ଣ୍ଣ ଇଛାକୁ ପୂରଣ କରିବାକୁ ଲାଗିପଡ଼େ ଜମିଦାର ନକଡ଼ି ମହାନ୍ତି। ମୋହରିର ସହ ମିଶି ଯୋଜନାବଦ୍ଧ ଭାବେ ୯୫ ବର୍ଷର ବୃଦ୍ଧ ବାଞ୍ଛାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଏକ ଚୁକ୍ତିପତ୍ର ସ୍ବାକ୍ଷର କରିବାରେ ସଫଳ ହୁଏ। ଚୁକ୍ତି ଅନୁସାରେ ବାଞ୍ଛା ବଞ୍ଚିଥିବା ପର୍ଯ୍ୟନ୍ତ ଜମିଦାରଙ୍କଠାରୁ ମାସକୁ ୨୦୦ ଟଙ୍କା ପାଇବ ଏବଂ ମଲା ପରେ ବଗିଚାର ମାଲିକାନା ଜମିଦାରଙ୍କର ହୋଇଯିବ। ମରଣ ଦ୍ୱାରରେ ଥିବା ବାଞ୍ଛା ଖୁବଶୀଘ୍ର ଆରପାରିକୁ ଚାଲିଯିବ ଓ ବଗିଚା ନିଜ ହାତକୁ ଆସିଯିବ ବୋଲି ଖୁସିରେ ଆତ୍ମହରା ହୋଇପଡ଼ନ୍ତି ଜମିଦାର। ହେଲେ ଘଟଣା ଭିନ୍ନ ମୋଡ଼ ନିଏ। ହଠାତ ଆବିର୍ଭାବ ହୁଅନ୍ତି ବାଞ୍ଛାଙ୍କ ନାତୁଣୀ ବୋହୂ ପଦ୍ମା। ତାଙ୍କ ସେବାରେ ସୁସ୍ଥ ହୋଇଉଠନ୍ତି ବାଞ୍ଛା। ଏହା ଜାଣିବା ପରେ ଛକଡ଼ି ମହାନ୍ତିଙ୍କର ହୃଦ୍ଘାତରେ ମୃତ୍ୟୁ ହୁଏ। ଧନବଳରେ ଜୀବନକୁ ନେଇ ଧନୀକ ଗୋଷ୍ଠୀର ଖେଳକୁ ଅଗ୍ରାହ୍ୟ କରି ବଞ୍ଚି ରହେ ବାଞ୍ଛା। କେବଳ ବଞ୍ଚି ରହେ ନାହିଁ ବରଂ ତାହାର ଉତ୍ତର ପୁରୁଷର ଅଧିକାରକୁ ପ୍ରତିଷ୍ଠା କରେ। ଏମିତି ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ‘ଶତାବ୍ଦୀର କଳାକାର’ ପକ୍ଷରୁ ନାଟକ ‘ବାଞ୍ଛାର ବଗିଚା’ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି।
ମନୋଜ ମିତ୍ର ନାଟ୍ୟ ରଚନା କରିଥିବାବେଳେ ଓଡ଼ିଆ ନାଟ୍ୟ ରୂପ ଦେଇଥିଲେ ଧୀର ମଲ୍ଲିକ। ନିର୍ଦ୍ଦେଶନା ଦେଇଥିଲେ ବୃନ୍ଦାବନ ବାରିକ। ବିଜୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ‘ସମୟ’ର ମୁଖ୍ୟ ସମ୍ପାଦକ ଗୁରୁ କଲ୍ୟାଣ ମହାପାତ୍ର, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏଥିକେ ବିଭିନ୍ନ ଭୂମିକାରେ ବୃନ୍ଦାବନ, ଧୀର, ସନ୍ତୋଷ, ଭାରତ, ସୌମ୍ୟ, ଫିତୁ, ସ୍ନେହ, ମଳୟ, ପ୍ରକାଶ, ଦେବାଶିଷ, ତୋଫାନ, କାଳୀ, ସକଳେଶ୍ୱର, ସଂଗ୍ରାମ, ସରୋଜ, ଜ୍ୟୋତି, ମୋନିଦୀପା, ଧାରା ପ୍ରମୁଖ ଅଭିନୟ କରିଥିଲେ।
Banka Bagichha' attracts: ଶୀତରେ ଦର୍ଶକଙ୍କୁ ବାନ୍ଧିରଖିଲା ‘ବାଞ୍ଛାର ବଗିଚା’
ବାଞ୍ଛା ନିଜ ରକ୍ତକୁ ପାଣି କରି ଫୁଲଫଳ ଭରା ବଗିଚା ସୃଷ୍ଟି କରିଥିଲା। ମାତ୍ର ସେହି ବଗିଚା ଉପରେ ଜମିଦାର ଛକଡ଼ି ମହାନ୍ତିଙ୍କର ନଜର ପଡ଼େ। ବହୁ ଚେଷ୍ଟା ସତ୍ତ୍ୱେ ବଗିଚାକୁ ହାତେଇବାରେ....
/sambad/media/media_files/2025/11/18/untitled-30-2025-11-18-08-06-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)