ବାଙ୍କୀ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଗିରଫ ହେଲେଣି ୧୧

ଭୁବନେଶ୍ବର/ବାଙ୍କୀ: ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭ୍ରମରବର ପ୍ରଧାନ (୫୩)କୁ ଆଜି ପୁଲିସ ଭୁବନେଶ୍ବରରୁ ଗିରଫ କରିଛି। ଗତମାସ ୧୫ ତାରିଖରେ ସଂଘଟିତ ଉକ୍ତ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଏ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଥିବା ବାଙ୍କୀ ଥାନା ପୁଲିସ୍‌ ସୂଚନା ଦେଇଛି।

ପ୍ରକାଶଥାଉ କି, ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ (ଖଜୁରୀପଦା) ପଞ୍ଚାୟତରେ ସଂଘଟିତ ଉକ୍ତ ଡବଲ ମର୍ଡର ଘଟଣାକୁ ଇତିମଧ୍ୟରେ ମାସେ ପୂରି ଯାଇଛି। ଗତମାସ ୧୫ ତାରିଖ ଅପରାହ୍‌ଣ ସାଢ଼େ ୨ଟାରେ ଯୁବ ସାମ୍ବାଦିକ ଆଦିତ୍ୟ ରଣସିଂ, ନୂଆଗାଁ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଆଦିତ୍ୟଙ୍କ ସମ୍ପର୍କୀୟ ଭାଇ ମାନସ ବାଙ୍କୀରୁ ଏକ ବାଇକ୍‌ରେ ନୂଆଗାଁସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ବାଙ୍କୀ-କଳାପଥର ମୁଖ୍ୟରାସ୍ତାର ଯୋକଲାଞ୍ଜି ଠାରେ ଆଦିତ୍ୟ ଓ ଭଗବାନଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲେ। ତେବେ ସେମାନଙ୍କ ସାଥୀରେ ଥିବା ମାନସ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟସାରା ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଜଘନ୍ୟ ଘଟଣାର ମାଷ୍ଟରମାଇଣ୍ଡ ଭ୍ରମରବର ପ୍ରଧାନ ବୋଲି ଅଭିଯୋଗ କରାଯାଇଥିଲା। ଅପରପକ୍ଷରେ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ନିଆଯିବା ବାଟରେ ଭଗବାନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଆକ୍ରମଣକାରୀଙ୍କ ନାମ ଓ ଘଟଣା ସମ୍ପର୍କରେ ଆମ୍ବୁଲାନ୍ସରେ ଥିବା ନିଜ ସମ୍ପର୍କୀୟଙ୍କୁ କହିଥିଲେ। ଏହାର ଭିଡିଓ ରେକର୍ଡିଂ ମଧ୍ୟ ଭାଇରାଲ୍‌ ହୋଇଥିଲା। ଏ ସଂକ୍ରାନ୍ତରେ ବାଙ୍କୀ ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ୍‌ ତଦନ୍ତ ଚଳାଇଥିଲା। ଏହି ମାମଲାରେ ଗତକାଲି ଖୋର୍ଦ୍ଧା ଅଞ୍ଚଳରୁ ଦୁଇଜଣଙ୍କ ସମେତ ମୋଟ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ବାଙ୍କୀ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରଟ କୋର୍ଟରେ ଭ୍ରମରବରର ଜାମିନ ନାମଞ୍ଜୁର ହେବାରୁ ତାକୁ ବାଙ୍କୀ ଉପକାରାଗାର ପଠାଇ ଦିଆଯାଇଛି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ପ୍ରସନ୍ନ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର