ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ପତିଆରା ଲଢ଼େଇ ଆରମ୍ଭ ହୋଇଗଲାଣି। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟର ତିନିଟି ଯାକ ଛାମୁଆ ଛାତ୍ର ସଙ୍ଗଠନ ମଧ୍ୟରେ ଏବେ ଏଠାରେ ଛକାପଞ୍ଝା ଚାଲିଛି। କିଏ କେଉଁଭଳି ଭାବେ କ୍ୟାମ୍ପସ୍ ଛାତ୍ରଛାତ୍ରୀଙ୍କ ନିକଟତର ହୋଇପାରିବ ସେନେଇ ଉଦ୍ୟମ କରୁଛନ୍ତି। ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଆଳରେ କଂଗ୍ରେସ ଲଗାଇଥିବା ବ୍ୟାନରକୁ ନେଇ ଆଜି କ୍ୟାମ୍ପସ୍ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶ୍ବବିଦ୍ୟାଳୟ ପ୍ରବେଶପଥରେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଶ୍ରଦ୍ଧାଞ୍ଜଳି ବ୍ୟାନର ଚିରିବାକୁ ନେଇ ଦୁଇଛାତ୍ର ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ବ୍ୟାନର୍ରୁ ସୌମ୍ୟାଶ୍ରୀଙ୍କ ଫଟୋ କିଏ ଚିରିଲା ତାହା ଜଣାପଡ଼ି ନଥିଲେ ମଧ୍ୟ ଉଭୟ ସଙ୍ଗଠନ ପରସ୍ପରକୁ ଦୋଷାରୋପ କରିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ଣରେ କ୍ୟାମ୍ପସ୍ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଯେଉଁଥିରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସାମିଲ ହେବାର ଯୋଜନା ରହିଥିଲା। ତେଣୁ ଗତକାଲି ରାତିରେ କ୍ୟାମ୍ପସ୍ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ବ୍ୟାନର୍ ଲଗାଯାଇଥିଲା। ତେବେ କାର୍ଯ୍ୟକ୍ରମ ପୂର୍ବରୁ କେହି ଦୃର୍ବୁତ୍ତ ଏହି ବ୍ୟାନର୍କୁ ଚିରି ଦେଇଥିଲେ। ସକାଳୁ କଂଗ୍ରେସ ନେତାମାନେ ସେଠାରେ ପହଞ୍ଚିଲା ବେଳକୁ କେବଳ ବ୍ୟାନର୍ ଥିଲା, ସେଥିରେ ସୌମ୍ୟାଶ୍ରୀଙ୍କ ଫଟୋ ନ ଥିଲା। ଏହାକୁ ନେଇ କଂଗ୍ରେସର ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ଯେଉଁଠି କଂଗ୍ରେସ ପକ୍ଷରୁ ବ୍ୟାନର୍ ଲଗାଯାଇଥିଲା ତାହାର ଠିକ୍ ନିକଟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଲଗାଯାଇଥିବା ସରସ୍ବତୀ ପୂଜା ଶୁଭେଚ୍ଛା ବ୍ୟାନର୍ ଅକ୍ଷତ ରହିଛି। କେବଳ ସୌମ୍ୟାଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ବ୍ୟାନର୍ ଚିରାଯାଇଥିବାରୁ ଏବିଭିପି ସଦସ୍ୟମାନେ ଏଭଳି କାର୍ଯ୍ୟ କରିଥିବା ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ତେବେ ଏବିଭିପି ପକ୍ଷରୁ ଏଭଳି ଘଟଣାକୁ ନିନ୍ଦା କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ବିଶ୍ବବିଦ୍ୟାଳୟ ଫାଟକ ନିକଟରେ ଲାଗିଥିବା ବ୍ୟାନର୍କୁ କେତେଜଣ ଅସାମାଜିକ ବ୍ୟକ୍ତି ଚିରି ଦେଇଛନ୍ତି। ବର୍ତ୍ତମାନ ଛାତ୍ର କଂଗ୍ରେସ ସଭାପତି ଗିରଫ ହୋଇଥିବାରୁ ଏହି ବିଷୟରୁ ନଜର ହଟାଇବାକୁ କଂଗ୍ରେସ ଗତକାଲିଠାରୁ ଏଭଳି ପୋଷ୍ଟର ଚିରା ଅଭିଯାନ ଆପଣାଇ ଏବିଭିପି ଉପରେ ଦୋଷ ଲଦୁଛି। ଏହା ଏକ ବ୍ୟାନରକୁ ନଷ୍ଟ କରିବା ନୁହେଁ, ବରଂ ମାନବିକତା, ନାରୀ ସମ୍ମାନ ଓ ଛାତ୍ର ସମାଜ ପ୍ରତି ଗଭୀର ଅପମାନ ସୃଷ୍ଟି କରିଛି। ଏଭଳି ଅସାମାଜିକ ଓ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା, ଭବିଷ୍ୟତରେ ଏପରି ଅପମାନଜନକ ଘଟଣା ଆଉ ଥରେ ନ ଘଟେ ତାହା ନିଶ୍ଚିତ କରିବାକୁ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି।
ବାଣୀବିହାରରେ ବ୍ୟାନର ଚିରା ରାଜନୀତି
ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ପତିଆରା ଲଢ଼େଇ ଆରମ୍ଭ ହୋଇଗଲାଣି। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟର ତିନିଟି ଯାକ ଛାମୁଆ...
/sambad/media/media_files/2025/07/25/banner-politics-2025-07-25-06-59-57.jpg)