ରାଜପଥ, ଛକ ବଜାରରୁ ହଟିଲା ବ୍ୟାନର୍‌, ପୋଷ୍ଟର୍‌

ବାଲିଅନ୍ତା: ତହସିଲଦାର ସରୋଜ ପଣ୍ଡାଙ୍କ ନେତୃତ୍ବରେ ଆଜି ଅପରାହ୍‌ଣରେ ବାଲିଅନ୍ତା ଥାନା ଅଧୀନ ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଛକ ବଜାରରେ ଲାଗିଥିବା ପ୍ରାର୍ଥୀମାନଙ୍କର ପ୍ରଚାରପତ୍ରକୁ ହଟାଇ ଦିଆଯାଇଛି। ଏଥିସହ ସରକାରୀ କାର୍ଯ୍ୟାଳୟ କାନ୍ଥ ପ୍ରାଚୀର, ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛରେ ଝୁଲୁଥିବା ପ୍ରଚାର ସାମଗ୍ରୀକୁ ମଧ୍ୟ ଉଚ୍ଛେଦ କରାଯାଇଛି। ତେବେ ବେଆଇନ ଭାବେ ମରାଯାଇଥିବା ଉପରୋକ୍ତ ପ୍ରଚାର ସାମଗ୍ରୀ ଉଚ୍ଛେଦ ସମୟରେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ତହସିଲ କାର୍ଯ୍ୟାଳୟ ନିକଟ କୁଆଖାଇ ନଦୀବନ୍ଧ ରାସ୍ତାର ହୀରାପୁର, ଉମାଦେଇ ବ୍ରହ୍ମପୁର, ନାଗପୁର, ଗଡ଼ା, ସୁଦର୍ଶନ ଦାରୁପୀଠ, ଭଗବତୀମନ୍ଦିର ରାସ୍ତା, ରଥିଜେମା ବଜାର, ପୁରୁଣାଜଗନ୍ନାଥ ରାସ୍ତାର ଗଞ୍ଜେଇ ଗୋଦାମ ଛକ, ବାଳକାଟି ଫାଣ୍ଡି ଅଧୀନ ବସନ୍ତ ପେଡ଼ି ଛକ, ପୁରୁଣା ଫାଣ୍ଡି ଛକ ଏବଂ ସମଗ୍ର ବାଳକାଟି ବଜାର, କଲେଜ ଗଡ଼ା , ମେଡିକାଲ ଛକ ଓ ମଦନମୋହନ ଗଡ଼ା ଆଦି ସ୍ଥାନରେ ଲାଗିଥିବା ବ୍ୟାନର , ପୋଷ୍ଟର ଏବଂ ହୋଡ଼ିଂଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ଟାଟାଏସ ଭର୍ତ୍ତି ପ୍ରଚାର ପତ୍ର ସାମଗ୍ରୀ ଜବତ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗାଁ ଗଳି କନ୍ଦି ଏବଂ ଛକ ବଜାରେ ମାଳ ମାଳ ପ୍ରଚାର ପତ୍ର ଝୁଲୁଥିଲେ ମଧ୍ୟ ପ୍ରଶାସନ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ନେଇ ନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତହସିଲଦାର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର