ବର-ଅଶ୍ୱତ୍‌ଥଙ୍କ ନିଆରା ବାହାଘର

ଚନ୍ଦ୍ରଶେଖରପୁର : ବାଜୁଥିଲା ସାହାନାଇ। ବନ୍ଧା ହୋଇଥିଲା ବେଦି। ପୁରୋହିତ ପଢ଼ୁଥିଲେ ଶୁଭ ମଙ୍ଗଳାଷ୍ଟକ। ଉପସ୍ଥିତ ଥିଲେ ବରପିତା ଓ କନ୍ୟାପିତାଙ୍କ ସମେତ ବରଯାତ୍ରୀ ଦଳ। ବାଜା ମାଇକ୍‌ ସାଙ୍ଗକୁ ସାଜସଜ୍ଜା ଆଉ ଯଥା କମଳସ୍ୟ କମଳିନୀ…ର ଉଚ୍ଚାରଣ ସୃଷ୍ଟି କରିଥିଲା ସତସତିକା ଏକ ବିଭାଘରର ଅପୂର୍ବ ପରିବେଶ। କିନ୍ତୁ ଏଠି ବରକନ୍ୟା ଥିଲେ ବର ଆଉ ଅଶ୍ୱତ୍‌ଥ ବୃକ୍ଷ। ଏପରି ଏକ ନିଆରା ବାହାଘର ଆଜି ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ। ନୀଳାଦ୍ରୀବିହାର ଲେବର ଷ୍ଟାଣ୍ଡ୍‌ ହନୁମାନ ମନ୍ଦିର ନିକଟସ୍ଥ ଭିଆଇଏମ୍‌-୬୯ରେ ଆଜି ମାର୍ଗଶିର ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ବର ଅଶ୍ୱତ୍‌ଥଙ୍କର ଶୁଭ ପରିଣୟ ଅନୁଷ୍ଠିତ ହୋଇଥିଲା। ଉମେଶ ଚନ୍ଦ୍ର ମିଶ୍ର ବରପିତା ସାଜିଥିବା ବେଳେ କନ୍ୟାପିତା ସାଜିଥିଲେ ପୟୋଜ କିଶୋର ମହାନ୍ତି। ବରର ଶୁଭ ନାମ କମଳ ଲୋଚନ ଥିବା ବେଳେ କନ୍ୟାଙ୍କର ନାମ ଥିଲା କମଳିନୀ। ବେଦପାଠର ପବିତ୍ର ବାତାବରଣରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିଭାଘର ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ବରପକ୍ଷ ଓ କନ୍ୟାପକ୍ଷଙ୍କ ନିମନ୍ତେ ଭୋଜନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ନିଆରା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର