ବାପୁଜୀନଗରରେ ଟ୍ରାଫିକ୍‌ ସମସ୍ୟା: ସୂଚନା ଫଳକରେ କାମ ସାରିଦେଲେ, ଟ୍ରକ୍‌ ମାଲିକଙ୍କୁ ଡରିଗଲେ କି?

ଭୁବନେଶ୍ୱର: ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ପ୍ରସ୍ତୁତ କରିଥିଲା କମିସନରେଟ୍‌ ପୁଲିସ। ଫେବ୍ରୁଆରି ୩ ତାରିଖଠାରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଇଥିଲା। ଯୋଜନା ଅନୁଯାୟୀ, ଅଡ୍‌-ଇଭିନ୍‌ ପାର୍କିଂ କରାଯାଇଥା’ନ୍ତା। ଅର୍ଥାତ୍‌ ଗୋଟିଏ ଦିନ ବାମପାର୍ଶ୍ବରେ ପାର୍କିଂ କରାଗଲେ, ତା’ ପରଦିନ ଅପରପାର୍ଶ୍ବରେ ଗାଡ଼ି ପାର୍କିଂ ହୋଇଥା’ନ୍ତା। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ନୂଆ ବ୍ୟବସ୍ଥା ସଂପର୍କରେ ଲୋକ ସଚେତନ ହେବା ପାଇଁ ୧୫ ଦିନର ମହଲତ ଦିଆଗଲା। ଗାଡ଼ି ପ୍ରବେଶ, ପ୍ରସ୍ଥାନ ଏବଂ ପାର୍କିଂସ୍ଥଳର ସୂଚନାଫଳକ ଲଗାଯିବା ସହ ସଚେତନତା ସୃଷ୍ଟି କରାଗଲା। ୧୫ ଦିନ ପରେ ଅର୍ଥାତ୍‌ ଫେବ୍ରୁଆରି ୧୮ ତାରିଖଠାରୁ ଯିଏ ନିୟମ ଉଲ୍ଲଙ୍ଘନ କରିବ, ତା’ଠାରୁ ଜରିମାନା ଆଦାୟ କରାଯିବାକୁ ଘୋଷଣା କରାଗଲା। କିନ୍ତୁ ୧୮ ତାରିଖ ପରେ ଆଉ କାହାରି ଦେଖାନାହିଁ। ନା ସଚେତନତା ଅଛି ନା ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। କମିସନରେଟ୍‌ ପୁଲିସର ଏମିତି ବେପରୁଆ କାର୍ଯ୍ୟ ଯୋଗୁଁ ଏଠାରେ ଟ୍ରାଫିକ୍‌ ଅବସ୍ଥା ପୂର୍ବଠାରୁ ଅଧିକ ବିଗିଡ଼ି ଯାଇଛି ବୋଲି ଅଭିଯୋଗ ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଠାରେ ଏକ ବିରାଟ ଜାଗାରେ ୨୦ରୁ ଊର୍ଦ୍ଧ୍ବ ମିନିଟ୍ରକ୍‌ ଓ ୧୦ରୁ ଊର୍ଦ୍ଧ୍ବ ଟାଟା ଏସ୍‌ ଗାଡ଼ି ପାର୍କିଂ ହେଉଛି। ଏହାକୁ ହଟାଇବା ପରେ ଯାଇ ଏଠାରେ ସର୍ବସାଧାରଣଙ୍କ ନିମନ୍ତେ ଗାଡ଼ି ପାର୍କିଂସ୍ଥଳ ହେବ। ନିକଟ ଅତୀତରେ ଏହି ଟ୍ରକ୍‌ ମାଲିକମାନଙ୍କୁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ସେଠାରୁ ଗାଡ଼ିଗୁଡ଼ିକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କେହି ହଟିଲେ ନାହିଁ। ଶେଷରେ ଏଗୁଡ଼ିକୁ କ୍ରେନ୍‌ ଜରିଆରେ ଉଠାଇ ନେବା ପାଇଁ ଟ୍ରାଫିକ୍‌ ପୁଲିସ ନିଷ୍ପତ୍ତି ନେଲା। ହେଲେ ବଡ଼ ଗାଡ଼ି ଉଠାଇବା ପାଇଁ କ୍ରେନ୍‌ ନଥିଲା। ଏଣୁ ବିଏମ୍‌ସିକୁ ଟ୍ରାଫିକ୍‌ ପୁଲିସ ଚିଠି ଲେଖିଛି।

ଏହାଛଡ଼ା ଏହାକୁ ୱାନ୍‌-ୱେ କରିବା ପାଇଁ ସ୍ଥିର ହୋଇଥିଲା। ବାପୁଜୀନଗର ଭିତରେ ‘ସବ୍‌-ମେନ୍‌ ରୋଡ୍‌-୧ ଓ ୨’ ଓ ଅନ୍ୟ ସମାନ୍ତରାଳ ରାସ୍ତାଗୁଡ଼ିକର ଉଭୟ କଡ଼ରେ ବାର ଅନୁସାରେ ଗାଡ଼ି ପାର୍କିଂ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବାପୁଜୀନଗର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିବା ପାଇଁ ଦୁଇଟି ରାସ୍ତା ସମର୍ପିତ ହୋଇଥିଲା। ପ୍ରସ୍ଥାନ ରାସ୍ତା ଦେଇ ପ୍ରବେଶ ଓ ପ୍ରବେଶ ରାସ୍ତା ଦେଇ ପ୍ରସ୍ଥାନ କରି ହେବ ନାହିଁ ବୋଲି ଘୋଷଣା ହେବା ସହ ସୂଚନାଫଳକ ଲଗା ଯାଇଥିଲା। ହେଲେ ଏହି ଯୋଜନା କେବଳ ଫଳକ ଲଗା‌ରେ ସୀମିତ ରହିଯାଇଛି। ଫଳକ ମଧ୍ୟ ଉଚିତ ସ୍ଥାନରେ ଲାଗିନାହିଁ। ଗଳି ଭିତରେ ପ୍ରବେଶ କରି ସାରିବା ପରେ ଏହି ଫଳକ ଦେଖାଯାଉଥିବାରୁ ଚାଳକ ଦ୍ବନ୍ଦ୍ବରେ ପଡ଼ୁଛି। ଏଣୁ ଫଳକରେ ଥିବା ସୂଚନାକୁ ମାନୁ ନାହାନ୍ତି। ଯେଉଁମାନେ ମାନୁଛନ୍ତି, ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରସ୍ଥାନ ଦେଇ ପ୍ରବେଶ ବାରଣ କରାଯାଇଥିବା ଭାବି ମୁଖ୍ୟ ରାସ୍ତାକୁ ଅଚିନ୍ତାରେ ବାହାରୁଥିବା ଚାଳକ ଦ୍ରୁତ ଗତିରେ ପ୍ରସ୍ଥାନ ଦେଇ ପ୍ରବେଶ କରୁଥିବା ଗାଡ଼ି ସହ ମୁହାଁମୁହିଁ ହେଉଛି। ସେହିଭଳି ପାର୍କିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ସନ୍ଧ୍ୟା ହେଲେ ରାସ୍ତା ଉପରେ ଗାଡ଼ି ଜମୁଛି। ସମସ୍ତ ସବ୍‌ ମେନ୍‌ରୋଡ୍‌ରେ ସମାନ ପରିସ୍ଥିତି। ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍‌ ଜମା ହୋଇଯିବା ପରେ ଆଉ କାର୍‌ ପଶି ପାରୁନାହିଁ। ଯଦି ଉଭୟପଟୁ କାର୍‌ ପଶିଗଲା, ତେବେ କଥା ସରିଲା। ପରସ୍ପରକୁ ସେମାନେ ଅତିକ୍ରମ କରିପାରୁ ନଥିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ବିଶୃଙ୍ଖଳା ହେଉଛି।

ଏ ସଂପର୍କରେ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ ଜାରି ରହିଛି। ପ୍ରବେଶ, ପ୍ରସ୍ଥାନ, ପାର୍କିଂ ସ୍ଥାନକୁ ହୋର୍ଡିଂ ଜରିଆରେ ଚିହ୍ନିତ କରାଯାଇଛି। ଲୋକମାନଙ୍କୁ ସଚେତନ କରାଯାଉଛି। ଏକ ବଡ଼ ଜାଗାରେ ମିନିଟ୍ରକ୍‌ ସବୁ ରହୁଥିବାରୁ ସାଧାରଣ ପାର୍କିଂ ପାଇଁ ଜାଗା ଅଭାବ ରହୁଛି। ଏହି ଜବରଦଖଲ ଉଚ୍ଛେଦ କରାଯିବ। ସେଥିପାଇଁ ବ୍ୟବସ୍ଥା ହୋଇଛି। ବିଏମ୍‌ସି ସହ ଯୋଗାଯୋଗ କରାଯାଇଛି। ଏହି ଜାଗା ଖାଲି ହେବା ପ‌ରେ ପରେ ହିଁ ଅମାନିଆ ଚାଳକଙ୍କ ଉପରେ ଧାର୍ଯ୍ୟ ଜରିମାନା ଆଦାୟ ହେବ। ଏହି ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥା ଶୃଙ୍ଖଳିତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର