ଭୁବନେଶ୍ୱର: ରାସ୍ତା ମଝିରେ ବଡ଼ବଡ଼ ଖାଲ। ଅଧିକାଂଶ ସ୍ଥାନରେ ପେଭର୍ବ୍ଲକ୍ ଦବି ବାଲି ଦେଖାଗଲାଣି। ଟିକେ ଅସାବଧାନ ହେଲେ ଝୁଣ୍ଟିବା ସୁନିଶ୍ଚିତ। ଅସରାଏ ବର୍ଷା ହେଲେ କିମ୍ବା ସ୍ଥାନୀୟ ବ୍ୟବସାୟୀ ଦୋକାନ ସଫେଇ କଲେ ରାସ୍ତାରେ ପାଣି ଜମାହୋଇ ରହୁଛି। ସେହିଭଳି ରାସ୍ତାକଡ଼କୁ ଲାଗି ପଡ଼ୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ବୁଲାଗୋରୁ ଓ କୁକୁର ରାସ୍ତା ଉପରକୁ ଟାଣି ଆଣୁଛନ୍ତି। ରାଜଧାନୀର ବ୍ୟସ୍ତବହୁଳ ତଥା ବ୍ୟାବସାୟିକ ଅଞ୍ଚଳ ବାପୁଜୀନଗରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମୋବାଇଲ କିମ୍ବା ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ପ୍ରତିଦିନ ଏଠାରେ ଶହ ଶହ ଲୋକଙ୍କ ଭିଡ଼ ଜମେ। ମାତ୍ର ରାସ୍ତାର ଏଭଳି ଦୁରବସ୍ଥା ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଏମ୍ସି ପକ୍ଷରୁ ଅଳିଆ ପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ରାଜଧାନୀର ଏହି ପ୍ରମୁଖ ଅଞ୍ଚଳରେ ଚାରିଆଡ଼େ ଆବର୍ଜନା ଗଦା ହୋଇ ରହୁଛି। ବିଶେଷ କରି କନ୍ଜର୍ଭାନ୍ସି ଲେନ୍ଗୁଡ଼ିକରେ ଆବର୍ଜନା ଭର୍ତ୍ତି ହୋଇରହିଛି। ବର୍ଜ୍ୟରେ ପାଣି ବହୁଦିନ ଧରି ଜମି ରହିବା କାରଣରୁ ଦୁର୍ଗନ୍ଧ ବାହାରୁଛି। ଫଳରେ ମୁହଁରେ ରୁମାଲ ବାନ୍ଧି ଯିବାକୁ ପଡ଼ୁଛି। ଏହି ଲେନ୍ଗୁଡ଼ିକ ଅସ୍ଥାୟୀ ଶୌଚାଳୟରେ ପରିଣତ ହୋଇଛି। କେବଳ ସେତିକି ନୁହେଁ କିଛି ଲେନ୍ ଜବରଦଖଲ ହୋଇଗଲାଣି। ଡ୍ରେନ୍ ଉପରେ ପଡ଼ିଥିବା ସ୍ଲାବ୍ ଖଣ୍ଡଖଣ୍ଡ ହୋଇ ଜଳ ନିଷ୍କାସନକୁ ଅବରୋଧ କରୁଛି। ସ୍ଥାନୀୟ ଅଞ୍ଚଳରେ ଥିବା ଵାଟର୍ଏଟିଏମ୍ଟି ଅଚଳ ପଡ଼ିଥିବାରୁ ଲୋକେ ମଧ୍ୟ ହଇରାଣ ହେଉଥିବା କହିଛନ୍ତି।
ଅନୁରୂପ ଭାବେ ଗାଡ଼ି ପାର୍କିଂ ସମସ୍ୟା ଜଟିଳ ସ୍ଥିତିରେ ପହଞ୍ଚିଛି। ପାର୍କିଂ ସ୍ଥାନରେ ଗାଡ଼ି ନରଖି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଗାଡ଼ି ରହିବା କାରଣରୁ ଜାମ୍ପରିସ୍ଥିତି ଉପୁଜୁଛି। ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୨୦ ଫେବ୍ରୁଆରି ୩ ତାରିଖରେ ବାପୁଜୀନଗରରେ କମିସନରେଟ୍ ପୁଲିସ ତରଫରୁ ନୂଆ ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ଗାଡ଼ି ପ୍ରବେଶ, ପ୍ରସ୍ଥାନ ଓ ପାର୍କିଂସ୍ଥଳର ସୂଚନା ଫଳକ ଲଗାଯାଇଥିଲା। ସେ ସୂଚନାକୁ ଏବେ କେହି ଖାତିର ମଧ୍ୟ କରୁନାହାନ୍ତି। ଦୁଇଟି ବଡ଼ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ୍ ହୋଇଯାଉଛି। ଏନେଇ କର୍ପୋରେଟର କବିତା ସ୍ୱାଇଁ କହନ୍ତି ‘ଆବର୍ଜନା ପ୍ରତିଦିନ ଉଠାଯାଉଛି, କିନ୍ତୁ କିଛି ଅମାନିଆ ଏହାକୁ ବେଖାତିର କରି ଆବର୍ଜନା ପକାଉଛନ୍ତି’। ସେହିପରି କିଛି କନ୍ଜର୍ଭାନ୍ସି ଲେନ୍ସଫା କରାଯାଉଛି। ପେଭର୍ବ୍ଲକ୍ଓ ଡ୍ରେନ୍ପାଇଁ ପ୍ରସ୍ତାବ ଦିଆଯାଇଛି। ଖୁବ୍ଶୀଘ୍ର କାମ ହେବ। ପାର୍କିଂ ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।