ବାପୁଜୀନଗର ଟ୍ରାଫିକ ଶୃଙ୍ଖଳା ପ୍ରସଙ୍ଗ : ୧୫ଦିନ ସଚେତନତା ପରେ ଜରିମାନା

ଭୁବନେଶ୍ବର : ଟ୍ରାଫିକ୍‌ ଜାମ୍‌କୁ ଦୃଷ୍ଟିରେ ରଖି ବାପୁଜୀନଗରରେ ନୂଆ ଟ୍ରାଫିକ୍‌ ପ୍ଲାନ୍‌ ଆଜିଠାରୁ କାର୍ଯ୍ୟକ‌ାରୀ ହୋଇଛି। ପ୍ରସ୍ତୁତ ପ୍ଲାନ୍‌କୁ ନମାନିଲେ ହଜାରେ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି। ‌ହେଳେ ଲୋକଙ୍କ ପାଖରେ ସୂଚନା ପହଞ୍ଚିନାହିଁ। ସେଥିପାଇଁ ହଠାତ୍‌ କଟକଣା ଲୋକଙ୍କୁ ଅକଳରେ ପକାଇଛି। ଏଣୁ ଆଜିଠାରୁ କଟକଣା ଲାଗୁ ହୋଇଥିଲେ ମଧ୍ୟ ୧୫ ଦିନ ଯାଏ ଲୋକଙ୍କୁ ସଚେତନ କରିବା ପାଇଁ କମିସନରେଟ୍‌ ପୁଲିସ ନିଷ୍ପତ୍ତି ନେଇଛି। ଏହାପରେ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିaକା ନାଥ। ଆଜି ସେ ଘଟଣାସ୍ଥଳ ବୁଲିବା ସହ ଲୋକମାନଙ୍କୁ ସଚେତନ କରାଇଛନ୍ତି। କ୍ରମାଗତ ଭାବରେ କିଭଳି ଲୋକମାନଙ୍କୁ ସଚେତନ କରାଯିବ ସେ ନେଇ ବାପୁଜୀନଗର ଚାମ୍ବର ଅଫ୍ କମର୍ସର ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି।

ସୁରକ୍ଷାକର୍ମୀଙ୍କୁ ଏସ୍‌ପିଓ କ୍ଷମତା
ଖାଲି ଜରିମାନା କଷିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏଣୁ ସଚେତନତାର ଆବଶ୍ୟକତା ରହିଛି। ସେଥିପାଇଁ ବାପୁଜୀନଗର ଚାମ୍ବର ଅଫ୍ କମର୍ସ କେତେକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ଏମାନଙ୍କୁ ଏସ୍‌ପିଓମାନଙ୍କ ଭଳି ପୁଲିସ କ୍ଷମତା ଦିଆଯିବ। ସେମାନେ ଏହି ଜାଗାମାନଙ୍କରେ ରହି ଟ୍ରାଫିକ୍‌ ଓ ପାର୍କିଂ ଶୃଙ୍ଖଳିତ କରିବେ। ୧୫ ଦିନ ପର୍ଯ୍ୟନ୍ତ ସଚେତନତା ପାଇଁ ଏଠା‌ରେ ଟ୍ରାଫିକ୍‌ ପୁଲିସ ମୁତୟନ ରହିବା ପାଇଁ ନିଷ୍ପତ୍ତି ହୋଇଛି।

ପାର୍କିଂ ପାଇଁ ଜାଗା ନାହିଁ: ଏହି ମାର୍କେଟ୍‌ ଭିତରେ ରବୀନ୍ଦ୍ର ମେଡିସିନ୍‌ ଷ୍ଟୋର୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ଓ ଜଗନ୍ନାଥ ସେବା ସଦନ ସାମ୍ନାରେ ରହିଥିବା ଖାଲି ସ୍ଥାନକୁ ଗାଡ଼ି ପାର୍କିଂ ପାଇଁ ବ୍ୟବହାର କରାଯିବ। ବାସ୍ତବରେ ରବୀନ୍ଦ୍ର ମେଡିସିନ୍‌ ଷ୍ଟୋର୍‌ ସମ୍ମୁଖରେ ଗାଡ଼ି ରଖିବା ପାଇଁ ସ୍ଥାନାଭାବ ରହିଛି। ଏଠାରେ ଦୁଇଟି ଇ-ଟ‌ଏଲେଟ୍‌ ରହିଥିବା ବେଳେ ପାନୀୟଜଳ ଭେଣ୍ଡିଂ ମେସିନ୍‌ ରହିଛି। ଗୋଟିଏ ବଡ଼ ଡଷ୍ଟବିନ୍‌ ପଡ଼ିଛି। ଡଷ୍ଟବିନ୍‌କୁ ଲାଗି ଦୁଇଟି ବଡ଼ ବଡ଼ ଖାଲ ରହିଛି। ଆଉ ଗୋଟିଏ ବଡ଼ ଜାଗା ଅଟୋ ରଖିବା ପାଇଁ ସଂଘ ଲୁହାବାଡ଼ କରି ଘେରାଇ ରଖିଛି। ଫଳରେ ଏଠାରେ ଯଥେଷ୍ଟ ପରିମାଣର ଗାଡ଼ି ରହି ପାରିବ ନାହିଁ। ସେହିପରି ଜଗନ୍ନାଥ ସେବା ସଦନର ସାମ୍ନାରେ ଏକାଧିକ ଫାଷ୍ଟ ଫୁଡ୍‌ ଦୋକାନ ରହିଛି। ଏହ‌ି ଦୋକାନକୁ ଆସୁଥିବା ଗ୍ରାହକ ଓ ଜଗନ୍ନାଥ ସେବା ସଦନ ପଟେ ରହିଥିବା ଦୋକାନକୁ ଆସୁଥିବା ଗ୍ରାହକ ଗାଡ଼ି ରଖି ଦେବା ପରେ ପରିସ୍ଥିତି ଜଟିଳ ହେଉଛି।

ଲୋକ ମାନିଲେ ହେଲା
ସନ୍ଧ୍ୟା ସମୟରେ ଏହି ବଜାରରେ ପ୍ରବଳ ଗହଳି ହେଉଛି। ଏହାକୁ ଆଖି ଆଗରେ ରଖି ଟ୍ରାଫିକ୍‌ ପୁଲିସ ସହ ପୂର୍ବରୁ ଆଲୋଚନା ହୋଇଥିଲା। ଆଲୋଚନାରେ ଏହି ସବୁ ନିଷ୍ପତ୍ତି ହୋଇଥିଲା। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଥରେ ଅଭ୍ୟାସରେ ପଡ଼ିଗଲେ ସମସ୍ୟା ହେବନାହିଁ। ପୁଲିସକୁ ଆମେ ଯଥାସମ୍ଭବ ସହଯୋଗ କରିବୁ। କିନ୍ତୁ ଲୋକ ମାନିଲେ ହେଲା।
କ୍ରିଷ୍ଣା ଅଗ୍ରୱାଲ, ଯୁଗ୍ମ ସମ୍ପାଦକ, ବାପୁଜୀନଗର ଚାମ୍ବର ଅଫ୍‌ କମର୍ସ

ସବ୍‌-ମେନ୍‌ ରୋଡ୍‌ ନେଇ ଦ୍ବନ୍ଦ୍ବ
ସବ୍‌-ମେନ୍‌ ରୋଡ୍‌-୧ ପ୍ରବେଶ ଓ ସବ୍‌-ମେନ୍‌ ରୋଡ୍‌-୨ ପ୍ରସ୍ଥାନ ପଥ ଭାବରେ ଚିହ୍ନିତ ହୋଇଛି। କିନ୍ତୁ କେଉଁ ଦୁଇଟି ରାସ୍ତା ଏହି ସବ୍‌ମେନ୍‌ ରୋଡ୍‌ ବୋଲି କୁହାଯାଉଛି ସେ ନେଇ ଚାଳକଙ୍କ ପାଖରେ ଖବର ନଥିବାରୁ ସେମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବାସ୍ତବରେ ରାଜମହଲରୁ ଶିଶୁ ଭବନ ଯିବା ବେଳେ ପ୍ରଥମ ବାମପାର୍ଶ୍ବ ଗଳି ହେଉଛି ସବ୍‌ମେନ୍‌ ରୋଡ୍‌-୧। ଏହି ଗଳିରେ ଗଲେ ଲେନ୍‌ ୧୨ରେ ପହଞ୍ଚି ହେବ। ଏହା ପର ଗଳି ହେଉଛି ସବ୍‌ମେନ୍‌ ରୋଡ୍‌-୨। ଏହି ଗଳି ଦେଇ ବାପୁଜୀ ନଗର ଭିତରେ ପଶିଲେ ଲେନ୍‌-୧୧କୁ ଛୁଇଁବ। ଲେନ୍‌ ୧ରୁ ଲେନ୍‌ ୧୩ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଚିହ୍ନିତ ହୋଇଛି। ସବ୍‌ ମେନ୍‌ରୋଡ୍‌, ପ୍ରବେଶ, ପ୍ରସ୍ଥାନ, ପାର୍କିଂ ନେଇ ଖୁବ୍‌ଶୀଘ୍ର ବିଏମ୍‌ସି ପକ୍ଷରୁ ହୋର୍ଡିଂ ଲଗାଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା କହିଛନ୍ତି।

ସମ୍ବନ୍ଧିତ ଖବର