ରାତି ସାଢ଼େ ୨ ବେଳେ ବି ଝୁମୁଥିଲା ବାର୍‌

ଭୁବନେଶ୍ବର: ରାତି ସାଢ଼େ ୨ଟା ବାଜିସାରିଥିଲା। ତଥାପି ବାର୍‌ରେ ଚାଲିଥିଲା ଆସର। ଗ୍ରାହକମାନଙ୍କୁ ମଦ ପରସା ଯାଉଥିଲା ଏବଂ ନାଚଗୀତ ବି ଧୂମ୍‌ ଚାଲିଥିଲା। ମ୍ୟୁଜିକ୍‌ର ତାଳେ ତାଳେ ନିଶାସକ୍ତ ଗ୍ରାହକମାନେ ଝୁମୁଥିଲେ। ନିୟମକୁ ଫୁ’ କରି ଏସବୁ ବେଧଡ଼କ ଚାଲିଥିଲା। ରାତି ୧୨ଟାରେ ବାର୍‌ ବନ୍ଦ ହେବା ନିୟମ ଥିଲେ ବି ରାତି ପାହିବା ପର୍ଯ୍ୟନ୍ତ ଚାଲିଥିଲା। ଗତକାଲି ରାତିରେ ଚଢ଼ଉ ବେଳେ ଏହି ବେଆଇନ କାମ ପୁଲିସ ନଜରକୁ ଆସିଛି। ତେଣୁ ପୁଲିସ ୨ଟି ବାର୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବକାରୀ ବିଭାଗକୁ ଚିଠି କରିଛି।

କମିସନରେଟ୍‌ ପୁଲିସ ଦେଇଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧ଟା ୪୫ରେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ରିବର୍ନ କ୍ଲବ୍‌ ଆଣ୍ଡ୍‌ କିଚେନ୍ ବାର୍‌ରେ ପ୍ରଥମେ ଚଢ଼ଉ କରାଯାଇଥିଲା। ମ୍ୟୁଜିକ୍‌ର ତାଳେତାଳେ ଧମା‌କାଦାର୍‌ ଡ୍ୟାନ୍ସ ଚାଲିଥିଲା। ଗ୍ରାହକମାନଙ୍କୁ ମଦ ଯୋଗାଇ ଦିଆଯାଉଥିଲା। ପୁଲିସ ଗ୍ରାହକମାନଙ୍କଠାରୁ ଜରିମାନା ଆଦାୟ କରିବା ସହିତ ବାର୍ ବନ୍ଦ କରାଇଥିଲା। ସେହିଭଳି ଆଉ ଏକ ଟିମ୍ ରାତି ପ୍ରାୟ ୨ଟା ୩୦ରେ ହୋଟେଲ୍ ଜୋରିସ୍ ବାଉଟିକ୍‌ର ଟାପ୍‌ନଚ୍ ବାର୍‌ରେ ଚଢ଼ଉ କରିଥିଲା। ସେଠି ମଧ୍ୟ ସମାନ ଢଙ୍ଗରେ ଶତାଧିକ ଗ୍ରାହକ ମଦ ନିଶାରେ ଚୁର୍‌ ହୋଇ ମ୍ୟୁଜିକ୍‌ ତାଳରେ ଝୁମୁଥିଲେ। ବଡ଼ କଥା ହେଉଛି ପୁଲିସ ଚଢ଼ଉ ବେଳକୁ ବି ଗ୍ରାହକଙ୍କୁ ମଦ ଯୋଗାଇ ଦିଆଯାଉଥିଲା। ପୁଲିସ ଗ୍ରାହକଙ୍କୁ ଜରିମାନା କରିବା ପରେ ବାର୍‌ ବନ୍ଦ କରାଇଥିଲା। ଏହି ବେଆଇନ କାମ ପାଇଁ ୨ ବାର୍‌କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।

ସମ୍ବନ୍ଧିତ ଖବର