ଭୁବନେଶ୍ବର: ସଂଶୋଧିତ ଅବକାରୀ ନିୟମ ଅନୁସାରେ ବାର୍‌ଗାର୍ଲମାନେ ବାର୍‌ ଭିତରେ ନାଚିପାରିବେନି। ସେମାନଙ୍କୁ କେବଳ ଗାଇବାକୁ ଅନୁମତି ମିଳିଛି। କିନ୍ତୁ ଆଜି ବି କିଛି ବାର୍‌ରେ ଚାଲିଛି ବାର୍‌ଗାର୍ଲଙ୍କ ମତୁଆଲା ନୃତ୍ୟ। ଅବକାରୀ ନିୟମର ଗଳାବାଟ ଖୋଜି ସେଥିରେ ଚାଲିଛି ବାର୍‌ଗାର୍ଲଙ୍କ ନୃତ୍ୟ। ମଞ୍ଚରେ ନ ନାଚି ବାର୍‌ଗାର୍ଲମାନେ ଗ୍ରାହକଙ୍କ ନିକଟରେ ନାଚୁଛନ୍ତି। ଗାଇବା ବାହାନାରେ ସେମାନେ ଗ୍ରାହକଙ୍କ ପାଖରେ ନାଚୁଥିବା ଜଣାପଡ଼ିଛି। ଏନେଇ ଅବକାରୀ ବିଭାଗ ହାତରେ ଠୋସ୍ ପ୍ରମାଣ ନ ଲାଗିଥିଲେ ବି ଏହା ଚାଲିଛି ବୋଲି ଜଣାପଡ଼ିଛି। ଗତକାଲି ଏମିତି ଏକ ଅଭିଯୋଗ ଆଧାରରେ ରାଜଧାନୀର ପ୍ରାୟ ୧୭ ବାର୍‌ରେ ଚଢ଼ଉ କରାଯାଇଥିଲା। କଟକରୋଡ୍‌ସ୍ଥିତ ପେଣ୍ଟାଗନ୍‌ ବାର୍‌ରେ ବାର୍‌ଗାର୍ଲମାନେ ନାଚୁଥିବା ଦେଖିବାକୁ ମିଳିଥିଲା। ଅବକାରୀ ସ୍କ୍ବାଡ୍‌ ସେହି ବାର୍‌କୁ ସିଲ୍‌ କରିବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। 

Advertisment

ଅବକାରୀ କମିସନର ନରସିଂହ ଭୋଳଙ୍କ ସୂଚନାନୁସାରେ ଏପର୍ଯ୍ୟନ୍ତ ମାତ୍ର ୩ ବାର୍‌କୁ ବାର୍‌ଗାର୍ଲ ନିଯୁକ୍ତ କରିବାକୁ ଅନୁମତି ମିଳିଛି। ସେମାନେ କେବଳ ଗୀତ ଗାଇପାରିବେ। ନୃତ୍ୟ କରିବା ମନା। ଆହୁରି କିଛି ବାର୍‌ମାଲିକ ଅନୁମତି ମାଗିଛନ୍ତି ଏବଂ ସେମାନଙ୍କ ଆବେଦନ ବିଚାରାଧୀନ ରହିଛି। କିନ୍ତୁ ଏବେ କିଛି ବାର୍‌ରେ ବେଆଇନ ଭାବେ ବାର୍‌ଗାର୍ଲମାନଙ୍କୁ ନୃତ୍ୟ କରିବାକୁ ସୁଯୋଗ ଦିଆଯାଉଛି। ସ୍ବତନ୍ତ୍ର ମଞ୍ଚରେ ନ ହେଲେ ବି ସେମାନେ ଗ୍ରାହକଙ୍କ ନିକଟରେ ନାଚୁଛନ୍ତି। ତେଣୁ ଏହି ଅଭିଯୋଗ ଉପରେ କଡ଼ା ନଜର ରଖିବାକୁ ଅତର୍କିତ ଚଢ଼ଉ କରାଯିବ। ଯେଉଁଠି ଏଭଳି ବେଆଇନ କାର୍ଯ୍ୟ ନଜରକୁ ଆସିବ, ସେହି ବାର୍‌ର ମାଲିକଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।