ଭୁବନେଶ୍ବର: ଅବକାରୀ ବିଭାଗର ନିର୍ଦ୍ଦେଶକୁ ଫୁ କରି ରାତି ସାରା ଖୋଲା ରଖିବା ଅଭିଯୋଗରେ ଆଜି ସହିଦନଗର ଭକ୍ସ ପପ୍ ବାର୍କୁ ସିଲ୍ କରାଯାଇଛି। ଗତକାଲି ଭୋର୍ ପ୍ରାୟ ୪ଟା ବେଳ ପର୍ଯ୍ୟନ୍ତ ବାର୍ ଖୋଲା ଥିବା ପ୍ରମାଣ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ରାତି ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅତିରିକ୍ତ ସମୟ ପାଇଁ ଅନୁମତି ନେଇଥିବା ଏହି ବାର୍ ଭୋର୍ ୪ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ସିସିଟିଭି ଯାଞ୍ଚରୁ ଜଣାପଡ଼ିଛି।
ସମ୍ପ୍ରତି ରାଜଧାନୀର ବାର୍ଗୁଡ଼ିକରେ ବାର୍ଗାର୍ଲଙ୍କ ନୃତ୍ୟକୁ ନେଇ କଟକଣା ଲାଗୁ କରାଯାଇଛି। ବାର୍ମାଲିକମାନେ ଲୁଚାଛପାରେ ବାର୍ଗାର୍ଲଙ୍କୁ ନଚାଉଥିବା ଅଭିଯୋଗ ହେବାରୁ ବାରମ୍ବାର ଚଢ଼ଉ କରାଯାଉଛି। ସେହିଭଳି ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅର୍ଥାତ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲା ରହୁଛି। ତେଣୁ ଅବକାରୀ ବିଭାଗ ମଝିରେ ମଝିରେ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଭକ୍ସ ପପ୍ ବାର୍ ବିଭାଗୀୟ ଅନୁମତି ପାଇ ରାତି ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହିବା କଥା। ଏହି ଅତିରିକ୍ତ ସମୟ ପାଇଁ ବାର୍ ମାଲିକଙ୍କୁ ବିଭାଗୀୟ ଅନୁମତି ମିଳିଥିଲା। କିନ୍ତୁ ଗତକାଲି ରାତି ପ୍ରାୟ ୪ଟା ପର୍ଯ୍ୟନ୍ତ ବାର୍ ଖୋଲାଥିଲା। ଆଜି କୌଣସି ସୂତ୍ରରୁ ଏହି ଅଭିଯୋଗ ଅବକାରୀ ବିଭାଗକୁ ମିଳିଥିଲା। ତେଣୁ ଭୁବନେଶ୍ବର ଅବକାରୀ ଏସ୍ପି ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍ ଆଜି ବାର୍ରେ ଚଢ଼ଉ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସତକୁ ସତ ବାର୍ ଭୋର୍ ୪ଟା ପର୍ଯ୍ୟନ୍ତ ଖୋଲାଥିବା ପ୍ରମାଣ ମିଳିଲା। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାର୍କୁ ସିଲ୍ କରାଯାଇଛି। ଏସ୍ପି ଶ୍ରୀ ପଟେଲ୍ କହିଛନ୍ତି ଯେ ପୂର୍ବରୁ ଏଭଳି ବେଆଇନ କାମ ପାଇଁ ବାର୍ଗୁଡ଼ିକ ଉପରେ କେବଳ ଜରିମାନା କରାଯାଉଥିଲା। କିନ୍ତୁ ଏଣିକି କଠୋର ପଦକ୍ଷେପ ନିଆଯିବ। ଆବଶ୍ୟକ ହେଲେ ବାର୍ର ଲାଇସେନ୍ସ ବାତିଲ କରାଯାଇପାରେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ବାର୍ରେ ବାର୍ଗାର୍ଲଙ୍କୁ ନଚାଇବା ଉପରେ ରୋକ୍ ଲଗାଯାଇଛି, କିନ୍ତୁ କିଛି ମାଲିକ ବାର୍ଗାର୍ଲଙ୍କୁ ଷ୍ଟେଜ୍ରେ ନ ନଚାଇ ଗ୍ରାହକଙ୍କ ନିକଟରେ ନଚାଉଥିବା ଜଣାପଡ଼ିଥିଲା। ତେଣୁ ଅବକାରୀ ବିଭାଗ ୪ଟି ବାର୍କୁ ସିଲ୍ କରିଥିଲା।