୩ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ବରଗଡ଼ ଏସ୍‌ଡିପିଓଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ

ମାନବାଧିକାର କମିସନଙ୍କ ଅସନ୍ତୋଷ

ଭୁବନେଶ୍ବର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିସନ୍‌ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ତଦନ୍ତ ସମ୍ପର୍କରେ ରିପୋର୍ଟ ଦେଇ ନ ଥିବାରୁ ତଦନ୍ତକାରୀ ଅଧିକାରୀ ତଥା ବରଗଡ଼ ଏସଡିପିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ମଧ୍ୟ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା ଯେ ‘ପ୍ରଜାକୋର୍ଟ’ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୦୧୬ ମସିହାରେ ଭେଡେନ୍ ଥାନାର କିଛି ପୁଲିସ୍ କର୍ମଚାରୀ ଘରୁ ପୁଲିସ୍ ଭ୍ୟାନ୍‌ରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ଗାଁ ଲୋକଙ୍କ ହାତରେ ଏହି ମହିଳାମାନଙ୍କୁ ସମର୍ପଣ କରିଦେଇ ଥିଲେ। ଗାଁର କିଛି ଲୋକ ମଧ୍ୟ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଖସି ଆସିଥିବା ମହିଳାଜଣଙ୍କ ମାନବାଧିକାର କମିସନରେ ଅଭିଯୋଗ କରିଥିଲେ। ମହିଳା ଜଣକ ତାଙ୍କ ବଡ଼ ଭାଇଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ। ୨୦୧୭ ମେ’ରେ ତାଙ୍କ ଭାଇ ବରଗଡ଼ ଏସ୍‌ପି ଓ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର କାର୍ଯାନୁଷ୍ଠାନ ବଦଳରେ ୧୯ ଜୁଲାଇ ୨୦୧୭ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ପୁଲିସ ଓ ଗାଁ ଲୋକଙ୍କ ସଂପୃକ୍ତି ରହିଥିବା ଆବେଦନକାରୀ କମିସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗକାରୀ ୨୦୧୭ ମେ’ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିସନ ଗତବର୍ଷ ଅକ୍ଟୋବରରେ ପୁଲିସକୁ ନିର୍ଦେଶ ଦେଇଥିଲେ। ମାତ୍ର ପୁଲିସ ଏତଲା ରୁଜୁ କରିପାରି ନ ଥିଲା। ପୁଲିସ ମାନବିକ ଅଧିକାର ଉଲ୍ଲଙ୍ଘନ କରିଥିବାରୁ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନ ଯିବ, ତାହା ଜଣାଇବାକୁ କମିସନ୍‌ ବରଗଡ଼ ଏସପିଙ୍କୁ ନୋଟିସ୍‌ କରିଥିଲେ। କିନ୍ତୁ ଏ ସମ୍ପର୍କରେ କମିସନଙ୍କୁ ପୁଲିସ ଜବାବ ଦେବାରେ ବିଫଳ ହୋଇଥିଲା। ଆସନ୍ତା ମାର୍ଚ୍ଚ ୩ ତାରିଖରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ପୀଡ଼ିତାଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର