ସମସ୍ୟା ଘେରରେ ବଡ଼ଗଡ଼ ଉପଡାକଘର: ୨୦ ଦିନ ହେଲା ଲିଙ୍କ୍‌ ନାହିଁ, କାମ ଠପ୍‌

ପୁରୁଣା ଭୁବନେଶ୍ୱର: ସମସ୍ୟା ଘେରରେ ବଡ଼ଗଡ଼ ବ୍ରିଟ୍‌ କଲୋନି ଚାରି ଛକରେ ଥିବା ଉପ ଡାକଘର। ଅଧିକାଂଶ ସମୟ ଡାକଘର ଅଚଳ ରହୁଛି। ଲିଙ୍କ୍‌ ନଥିବାରୁ କୌଣସି କାମ ହୋଇପାରୁନାହିଁ। ଫଳରେ ଦୈନିକ ଶତାଧିକ ଲୋକ ନିରାଶ ହୋଇ ଫେରୁଛନ୍ତି। ଏନେଇ ଆଜି ସେଠାରେ ସ୍ଥାନୀୟ ଲୋକ ହୋ ହଲ୍ଲା କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ ଉପଡାକଘରର ଲିଙ୍କ୍ ନଥିବାରୁ ୧୫ଦିନ ହେଲା କୌଣସି ଚିଠି ବଣ୍ଟା ହୋଇପାରୁ ନାହିଁ। କେବଳ ଏତିକି ନୁହେଁ, ଆଇପିଓ ବିକ୍ରି ବନ୍ଦ ସହ ଡାକଘରେ ଟଙ୍କା ନେଣଦେଣ ମଧ୍ୟ ହୋଇପାରୁନାହିଁ। ଏନେଇ ସ୍ଥାନୀୟ ଅଧିବାସୀ ରଞ୍ଜନ ଦାସ କୁହନ୍ତି, ଏଠାରେ ପୋଷ୍ଟ ମାଷ୍ଟର ଆସି ଶୀଘ୍ର ପଳାଉଛନ୍ତି। କୌଣସି କାମ ହେଉନାହିଁ। ଦୁଇ ସପ୍ତାହ ହେଲା କର୍ମଚାରୀ ହାତ ବାନ୍ଧି ବସିଛନ୍ତି। କୌଣସି ଲୋକ ଆସିଲେ ଲିଙ୍କ୍‌ ନଥିବାରୁ କାମ ହୋଇପାରୁନାହିଁ। ତେବ‌େ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ନାରୀନେତ୍ରୀ ଆଲ୍‌ଫା ରାୟ ଚେତାବନୀ ଦେଇଛନ୍ତି। ଏନେଇ ପୋଷ୍ଟମାଷ୍ଟର ସୀମାଞ୍ଚଳ ରଥ କୁହନ୍ତି ନେଟ୍‌ ବକ୍ସ ମେସିନ୍‌ ଖରାପ ଯୋଗୁଁ ଲିଙ୍କ୍‌ ନଥିବାରୁ ଏପରି ହେଉଛି। ପୋଷ୍ଟ ଅଫିସ୍‌କୁ ନେଟୱର୍କ ଯୋଗାଉଥିବା ସଂସ୍ଥା ଆସି ଏହାକୁ ମରାମତି କଲେ ହିଁ ଚାଲି ପାରିବ।

ସମ୍ବନ୍ଧିତ ଖବର