ଭୁବନେଶ୍ବର: କରୋନାରେ ଲୋକଙ୍କ ଯାତାୟାତ ବନ୍ଦ ହୋଇଯିବା ପରେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଗୁହାଳ ପାଲଟି ଯାଇଥିବା ଖବର ତ ପଢ଼ିଥିବେ, ମାତ୍ର ଏବେ ଭିତ୍ତିଭୂମି ଆହୁରି ବିଗିଡ଼ି ଯାଇଛି। ବସ୍ଷ୍ଟାଣ୍ଡ ପରିସରରେ ପରିସ୍ରାଗାର ଅଛି, କିନ୍ତୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଥିବାରୁ ଏବଂ ପରିଷ୍କାର କରାଯାଉ ନଥିବାରୁ ଯାତ୍ରୀମାନେ ବାହାରେ କାମ ଚଳେଇ ନେଉଛନ୍ତି। ଏଣେ ରାସ୍ତା ଖାଲଖମାରେ ଭର୍ତି ହୋଇ ପାଣି ଜମି ରହିଛି। ସେଡ୍ କାନ୍ଥରେ କେଉଁଠି ଗଛ ଉଠିଗଲାଣି ତ କେଉଁଠି କାନ୍ଥ ଫାଟି ପାଣି ଗଳୁଛି। ମହିଳା ବିଶ୍ରାମାଗାର ବି କୌଣସି ଭୂତ କୋଠିଠୁ କମ୍ ଦେଖାଯାଉନାହିଁ।
ରାସ୍ତା ଓ ଟଏଲେଟ୍ ସଜାଡ଼ିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ କୋଟିକୋଟି ଟଙ୍କା ବ୍ୟୟ ହୋଇଛି। ଏହା ସତ୍ତ୍ବେ ପୁନଃ ମରାମତିର କିଛି ଦିନ ପରେ ଭିତ୍ତିଭୂମି ପୁଣି ବିଗିଡ଼ି ଯାଇଛି। ୨୩ଲକ୍ଷ ଟଙ୍କା ବ୍ୟୟରେ ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ହୋଇଥିବା ପରିସ୍ରାଗାର ବି ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। କେବଳ ସେତିକି ନୁହେଁ, ପରିବହନ ବିଭାଗ ରକ୍ଷଣାବେକ୍ଷଣ କାର୍ଯ୍ୟ ଠିକ୍ ଭାବେ ତଦାରଖ କରୁ ନଥିବାରୁ ବସ୍ଷ୍ଟାଣ୍ଡ୍ର ରୁଗ୍ଣ ଚିତ୍ର ପଦାରେ ପଡ଼ିଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ୍କୁ ରାଜ୍ୟର ସର୍ବବୃହତ୍ ବସଷ୍ଟାଣ୍ଡ୍ ବୋଲି କୁହାଯାଉଛି। କରୋନା ଯୋଗୁଁ ସିନା ବସ୍ ଗଡ଼ୁନାହିଁ, କିନ୍ତୁ ସାଧାରଣ ସମୟରେ ଏଠାରେ ଦୈନିକ ୮ଶହରୁ ଅଧିକ ବସ୍ ଗଡ଼ୁଛି। ୩୦ ହଜାରରୁ ଅଧିକ ଯାତ୍ରୀ ଏହି ବସ୍ଷ୍ଟାଣ୍ଡ୍ରୁ ଯା’ ଆସ କରୁଛନ୍ତି। ଅଥଚ ବସ୍ଷ୍ଟାଣ୍ଡ୍ ପରିସରର ଭିତ୍ତିଭୂମିକୁ ସବୁବେଳେ ଅବହେଳା କରାଯାଇଛି। ଗତବର୍ଷରୁ ବସ୍ଷ୍ଟାଣ୍ଡ୍କୁ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୬୦ କୋଟି ୬୬ ଲକ୍ଷ ଟଙ୍କାରେ ୨ବର୍ଷ ଭିତରେ ଉନ୍ନତମାନର ବସ୍ଷ୍ଟାଣ୍ଡ୍ ସରିବ ବୋଲି କୁହାଯାଇଛି। ତେବେ ସଂପ୍ରତି ଏନେଇ କୌଣସି ପ୍ରକାର ନିର୍ମାଣ କିମ୍ବା ଉଚ୍ଛେଦ କାମ ହେଉନଥିବାରୁ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ସ୍ବପ୍ନ କେବେ ସାକାର ହେବ ତାହା କହିବା ମୁସ୍କିଲ୍।
ଏଣେ ବସ୍ଷ୍ଟାଣ୍ଡ୍ ଚତୁଃପାର୍ଶ୍ବରେ ଗଦା ହୋଇ ରହିଥିବା ଅଳିଆ, ଚତୁଃପାର୍ଶ୍ବରେ ଭାଙ୍ଗିରୁଜି ଯାଇଥିବା ପାଚେରି ଓ ନାଳ ଯୋଗୁଁ ବସ୍ଷ୍ଟାଣ୍ଡ୍ ପରିସର ରୁଗ୍ଣ ହୋଇପଡ଼ିଛି। ବସ୍ଷ୍ଟାଣ୍ଡର ନୂଆ ରୂପ ୨ବର୍ଷ କି ୫ବର୍ଷ ଲାଗୁଛି, ତାହା ସମୟ କହିବ। ତେଣୁ ଅନ୍ତତଃ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀମାନେ ଏଥିପ୍ରତି ଯତ୍ନ ଦେବାକୁ ବସ୍ଷ୍ଟାଣ୍ଡ୍ ପରିସରରେ ଥିବା ବ୍ୟବସାୟୀମାନେ ଓ ଅପେକ୍ଷାରତ ଯାତ୍ରୀମାନେ ଦାବି କରିଛନ୍ତି।