ବରମୁଣ୍ଡା ବସ୍‌ଷ୍ଟାଣ୍ଡ : ୧୦ବର୍ଷ ତଳର ଯୋଜନା ବାସ୍ତବ ରୂପ ନେବ

୩୦୦ କୋଟିରୁ ୧୮୦କୋଟିକୁ ଖସିଲା, ଉଚ୍ଚତା ୨୮ମିଟରରୁ ୧୫ମିଟରକୁ କମିଲା

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୨୦୧୦ ମସିହାରୁ ଯୋଜନା ହେଲାଣି। ଏପରିକି ୨୦୧୧ ମସିହାରେ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲେ ବି ନିର୍ମାଣ କରିବାକୁ ଥିବା ସଂସ୍ଥା ଓହରି ଯିବାରୁ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ହୋଇପାରିନଥିଲା। ଏହାର ୯ ବର୍ଷ ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ଟେଣ୍ଡର ଡିଜାଇନ୍‌କୁ କ୍ୟାବିନେଟ ଅନୁମୋଦନ କରିଥିଲା। ଏହାର ବର୍ଷକ ପରେ କାମ ଆରମ୍ଭ ହୋଇଛି।

୨୦୧୦ରେ ଓଏସ୍‌ଆରଟିସି ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନକ୍ସା ପ୍ରସ୍ତୁତ କରିଥିଲା। ସବୁ ଯୋଜନା ମୁତାବକ ହୋଇଥିଲା। ଏଆରଏସ୍‌ଏସ୍‌ ଇନଫ୍ରାଷ୍ଟ୍ରକଚର୍‌ ପ୍ରୋଜେକ୍ଟସ ଲିମିଟେଡ (ଏଆଇପିଏଲ୍‌) ଟେଣ୍ଡର ପାଇଥିଲା। ସଂସ୍ଥା ସହ ରାଜ୍ୟ ସରକାର ମାର୍ଚ୍ଚ ୧୬, ୨୦୧୧ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ସେତେବେଳେ ୩୦୦କୋଟି ଟଙ୍କାରେ ଏଠାରେ ବସ୍‌ ଟର୍ମିନାଲ ଉନ୍ନତୀକରଣ ଯୋଜନା ହୋଇଥିଲା। ଏଥିରେ ଆବାସିକ ଗୃହରୁ ଆରମ୍ଭ କରି ସପିଂ ମଲ୍‌, ମଲ୍ଟିପ୍ଲେକ୍ସ ସହ ବହୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବା ନିଷ୍ପତ୍ତି ହୋଇଥିଲା। କିନ୍ତୁ ହଠାତ ପ୍ରକଳ୍ପ ବନ୍ଦ ହୋଇଗଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଆଇପିଏଲ୍‌ ପ୍ରସ୍ତୁତ କରିଥିବା ଡିଜାଇନ୍‌ ବହୁ ଉଚ୍ଚର ହୋଇଥିବାରୁ ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଲେନି। ଫଳରେ ନିର୍ମାଣକାରୀ ସଂସ୍ଥ‌ା କାମ ଛାଡ଼ି ପଳାଇଥିଲା। ଦୀର୍ଘ ୮ବର୍ଷ କାଳ ଅନିଶ୍ଚିତତା ଭିତରେ ରହିବା ପରେ ବିଡିଏ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଥିଲା। ଓଏସ୍‌ଆରଟିସି ଏହି ବସଷ୍ଟାଣ୍ଡ ନିର୍ମାଣ କାମ କରି ନପାରିବାରୁ ବିଡିଏ ଏହାକୁ ହାତକୁ ନେଇଥିଲା। ଜାନୁଆରି, ୨୦୧୮ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ‌େହଲା ଯେ ବରମୁଣ୍ଡା ବସଷ୍ଟା‌ଣ୍ଡ ଉନ୍ନତୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜୁନ୍, ୨୦୧୮ ‌ସୁଦ୍ଧା ଶେଷ ହେବ। ପ୍ରଥମ ପର୍ଯ୍ୟାୟ କାମ ଏପ୍ରିଲ, ୨୦୧୯ ସୁଦ୍ଧା ସରିବ। ୨ବର୍ଷ ଭିତରେ ବରମୁଣ୍ତା ବସଷ୍ଟାଣ୍ତ ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବସଷ୍ଟାଣ୍ତ୍‌ରେ ପରିଣତ ହେବ। ଏନେଇ ବିଡିଏ ପକ୍ଷରୁ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ସଂସ୍ଥାକୁ ଡିଜାଇନ୍ ପ୍ରସ୍ତୁତ କରିବାକୁ ନିୟୋଜିତ କରାଗଲା। ପ୍ଲାନ୍ ଅନୁମୋଦନ ପାଇଁ ବିଡିଏ ବିଭିନ୍ନ ସଂସ୍ଥାରୁ ଏନ୍‌ଓସି ମାଗିଥିଲା। କିନ୍ତୁ ଏହି ଡିଜାଇନ୍‌ରେ ବସଷ୍ଟାଣ୍ଡରେ ନିର୍ମାଣ ହେବାକୁ ଥିବା ବିଲଡିଂର ଉଚ୍ଚତା ୨୮ମିଟର ଥିବାରୁ ଏହାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏନ୍‌ଓସି ଦେଇ ନଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ, ଏହି ବସ୍‌ ଟର୍ମିନାଲ ଉପର ଦେଇ ବିମାନଗୁଡ଼ିକ ରନ୍‌ୱେକୁ ଯାଉଥିବାରୁ ସୁଉଚ୍ଚ ବିଲଡି˚ ବିମାନ ଅବତରଣରେ ବାଧକ ସାଜିବାର ଆଶଙ୍କା ଅଛି। ତେଣୁ ଡିଜାଇନ୍ ବଦଳାଯାଉ। ଏହାପରେ ବିଡିଏ ପୁଣି ଡିଜାଇନ୍ ବଦଳାଇବାକୁ ଡିଆଇଏମ୍‌ଟିଏସ୍‌ କହିଥିଲା।

ପୁଣି ତିନି ମାସର କସରତ ପରେ ଡିଜାଇନ୍ ବି ବଦଳିଲା। ଏଥିରେ ଟର୍ମିନାଲ ବିଲଡିଂର ଉଚ୍ଚତା ୧୫ ମିଟର ରଖାଗଲା। ଏହି ନୂଆ ଡିଜାଇନ୍‌କୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ବିଡିଏ ସମସ୍ତ ସଂସ୍ଥାରୁ ଏନ୍‌ଓସି ଆଣି ଏହାର ପ୍ଲାନ୍ ଅନୁମୋଦନ କରିଲା। ଏହାପରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି (ଇଣ୍ଡିଆ) ଲିମିଟେଡ ସଂସ୍ଥାକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଛି। ବଜେଟ୍‌ ୧୮୦କୋଟିକୁ ଖସି ଯାଇଛି।

ସମ୍ବନ୍ଧିତ ଖବର