ଖଣ୍ଡଗିରି : ବରମୁଣ୍ଡା ବସ୍ଷ୍ଟାଣ୍ଡରେ କରୋନା କଟକଣା ବୋଲି କିଛି ନାହିଁ। ଯାତ୍ରୀମାନେ ଖୁଲମ୍ଖୁଲା ବିନା କଟକଣାରେ ଚଳପ୍ରଚଳ ହେଉଛନ୍ତି। ରେଳଷ୍ଟେସନ ଓ ବିମାନବନ୍ଦରରେ ଯେମିତି କଡ଼ା କଟକଣା ରହିଛି, ଏଠାରେ ହଜାର ହଜାର ଯାତ୍ରୀଙ୍କ ସମାଗମ ହେଉଥିଲେ ମଧ୍ୟ ସେଭଳି କଟକଣାରୁ କାଣିଚାଏ ବି ନାହିଁ। ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି ନା ନାହିଁ, ତାହା କେହି ଦେଖିବାକୁ ନାହିଁ। ସେହିଭଳି ବସ୍ରେ ସାନିଟାଇଜର୍ ବ୍ୟବହାର ହେଉଛି କି ନାହିଁ, ତାହା ବି ତଦାରଖ କରିବାକୁ କେହି ନାହିଁ। ଏମିତିକି ବସ୍କୁ ପ୍ରତୀକ୍ଷା କରିଥିବା ଯାତ୍ରୀମାନଙ୍କ ଭିତରେ ବି ସାମାଜିକ ଦୂରତା ଆଦୌ ନାହିଁ। ସବୁ ମୁକୁଳା ଛାଡ଼ି ଦିଆଯାଇଛି। ତେଣୁ ଏଇଠୁ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟର ସବୁ ଅଞ୍ଚଳରୁ ପ୍ରତିଦିନ ରାଜଧାନୀକୁ ଲୋକମାନେ ଆସୁଛନ୍ତି ଓ ରାଜଧାନୀରୁ ଫେରୁଛନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ବସ୍ ଏଠାରୁ ବାହାରକୁ ଯାଉଛି ଓ ଏଠାକୁ ବାହାରୁ ଆସୁଛି। ହଜାର ହଜାର ଯାତ୍ରୀ ଏହି ବସ୍ଷ୍ଟାଣ୍ଡ ଦେଇ ରାଜଧାନୀକୁ ଆସୁଛନ୍ତି। ଏବେ ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣକୁ ନେଇ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ସେହିସବୁ ଅଞ୍ଚଳରୁ ମଧ୍ୟ ବହୁ ଯାତ୍ରୀ ରାଜଧାନୀକୁ ଆସୁଛନ୍ତି। ଏମିତିକି ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଭଳି ବହାର ରାଜ୍ୟରୁ ମଧ୍ୟ ବହୁ ଯାତ୍ରୀ ବରମୁଣ୍ଡା ବସ୍ଷ୍ଟାଣ୍ଡ ଦେଇ ରାଜଧାନୀକୁ ଆସୁଛନ୍ତି। କିନ୍ତୁ ଏତେ ସତ୍ତ୍ବେ ଏଠାରେ କରୋନା କଟକଣା ଲାଗୁ କରିବାକୁ କୌଣସି ବ୍ୟବସ୍ଥା ନାହିଁ। ଯାତ୍ରୀମାନେ ମନଇଚ୍ଛା ବସ୍ରେ ଆସୁଛନ୍ତି ଓ ବିନା ଯାଞ୍ଚରେ ରାଜଧାନୀରେ ଚଳପ୍ରଚଳ ହେଉଛନ୍ତି। ଏହି ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉନାହିଁ, ଅଥଚ ରାଜଧାନୀରେ ହାଟବଜାରରେ କଟକଣା ଓ ଯାଞ୍ଚ କଡ଼ାକଡ଼ି କରାଯାଉଛି। କିନ୍ତୁ ଯେଉଁଠି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି, ସେଠି କିଛି ନାହିଁ।
/sambad/media/post_attachments/wp-content/uploads/2021/04/m1-2.jpg)
ପ୍ରତିଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, କଟକ, ସମ୍ବଲପୁର ଓ ଗଞ୍ଜାମ ଆଦି ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ଆସି ବରମୁଣ୍ଡାରେ ପହଞ୍ଚୁଛନ୍ତି। କିନ୍ତୁ ଯାତ୍ରୀମାନେ ଏଠାରେ ବସ୍ରୁ ଓହ୍ଲାଇବା ପରେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉନି। ବଡ଼ କଥା ହେଉଛି, ଯାତ୍ରୀ କି ବସ୍ କର୍ମଚାରୀ କେହି ମାସ୍କ ପିନ୍ଧୁ ନଥିବା ଦେଖିବାକୁ ମିଳୁଛି। ସେହିଭଳି ବରମୁଣ୍ଡା ବସ୍ଷ୍ଟାଣ୍ଡ ଭିତରେ କୌଣସି ଯାତ୍ରୀ ମୁହଁରେ ମାସ୍କ ପିନ୍ଧୁନଥିବା ଦେଖାଯାଉଛି। ବସ୍କୁ ଅପେକ୍ଷା କରିଥିବା ଯାତ୍ରୀମାନେ ବିଶ୍ରାମ ଚୌକିରେ ସାମାଜିକ ଦୂରତା ରଖୁନଥିବା ଦେଖିବାକୁ ମିଳୁଛି। ଏପରି ଅବସ୍ଥାରେ ସେମାନଙ୍କୁ କେହି ତାଗିଦ୍ କରିବାକୁ କି ସଚେତନ କରିବାକୁ ନାହାନ୍ତି। ବସ୍ରେ ଚଢ଼ିବା ସମୟରେ ମଧ୍ୟ ବସ୍ର କର୍ମଚାରୀ ଯାତ୍ରୀମାନଙ୍କୁ ମାସ୍କ ଲଗାଇବାକୁ ପରାମର୍ଶ ଦେଉନାହାନ୍ତି। ବସ୍ରେ ସାନିଟାଇଜର୍ ଥିଲେ ମଧ୍ୟ ଯାତ୍ରୀଙ୍କୁ ଦିଆଯାଉନାହିଁ।
ସେହିପରି ବସ୍ଷ୍ଟାଣ୍ଡ ନିକଟରେ ଥିବା ଦୋକାନଗୁଡ଼ିରେ ମଧ୍ୟ କରୋନା କଟକଣାକୁ ପାଳନ କରାଯାଉ ନ ଥିବା ପରିଲକ୍ଷିତ ହେଉଛି। ସେଠାରେ ବୁଲୁଥିବା ଯାଯାବରମାନେ ଯାତ୍ରୀମାନଙ୍କୁ ଛୁଇଁ ଭିକ୍ଷା ମାଗୁଥିବାର ଦେଖାଯାଉଛି। ସେମାନେ ମଧ୍ୟ ବିନା ମାସ୍କରେ ଛୋଟ ଛୁଆଙ୍କୁ ଧରି ଯାତ୍ରୀମାନଙ୍କୁ ଭିକ ମାଗୁଛନ୍ତି। ତେଣୁ ଏମିତିରେ ପୂରା ବସ୍ଷ୍ଟାଣ୍ଡ ମୁକୁଳା ପଡ଼ିଛି ଓ ସଂକ୍ରମଣକୁ ଆହ୍ବାନ କରୁଛି ବୋଲି ବହୁ ଯାତ୍ରୀ କଟାକ୍ଷ କରି କହିଛନ୍ତି। ତୁରନ୍ତ ଏଠାରେ କଟକଣା ଲାଗୁ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ବିମାନବନ୍ଦରରୁ ୪, ଷ୍ଟେସନରୁ ୪ ଆକ୍ରାନ୍ତ
ଭୁବନେଶ୍ବର : ସମସ୍ତ ମୁମ୍ବାଇ ଓ ପୁଣେ ଫେରନ୍ତା ଯାତ୍ରୀଙ୍କର ଭୁବନେଶ୍ବର ବିମାନବନ୍ଦରରେ କୋଭିଡ ରିପୋର୍ଟ ଦେଖାଯାଉଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେଉଁ ଯାତ୍ରୀମାନେ ୭୨ଘଣ୍ଟା ଭିତରେ ଆର୍ଟିପିସିଆର୍ ପରୀକ୍ଷା କରି ରିପୋର୍ଟ ଆଣିନାହାନ୍ତି ସେମାନଙ୍କୁ ବିମାନବନ୍ଦରରେ କୋଭିଡ ପରୀକ୍ଷା କରାଯାଉଛି। ଆଜି ୨୦୪ଜଣଙ୍କର ନମୁନା ପରୀକ୍ଷା ହୋଇଥିବାବେଳେ ୪ଜଣଙ୍କର ପଜିଟିଭ୍ ବାହାରିଛି। ସେହିପରି ଭୁବନେଶ୍ବର ରେଳ ଷ୍ଟେସନରେ ୧୦୦ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୪ଜଣଙ୍କର ପଜିଟିଭ୍ ବାହାରିଛି। ବିମାନବନ୍ଦରରେ ଆଜି ସୁଦ୍ଧା ୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରେଳ େଷ୍ଟସନରେ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/m2-4.jpg)