ଭୁବନେଶ୍ବର: ଲିଙ୍କ୍ ରୋଡ୍... ବାଦାମବାଡ଼ି...। ବାଲେଶ୍ବର... ଭଦ୍ରକ...। ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଆଉ ଶୁଭୁନି ଏ ଅସହ୍ୟ କୋଳାହଳ। ପେଁ ପାଁରେ ଆଉ ଫାଟି ପଡ଼ୁନି ବସ୍ଷ୍ଟାଣ୍ଡ ପରିସର। ଚାରିଆଡ଼େି ଏକ ଅସମ୍ଭବ ନିରବତା। ଯୋଉ ବସଷ୍ଟାଣ୍ଡ୍ରୁ ଦିନେ ୬ଶହ ବସ୍ ଚଳାଚଳ କରୁଥିଲା, ଏବେ ସେଠି ୬ଜଣ ଲୋକଙ୍କୁ ଦେଖିବା ବି ସ୍ବପ୍ନ। ବଦଳି ଯାଇଛି ବରମୁଣ୍ଡା ବସଷ୍ଟାଣ୍ଡର ରୂପରେଖ। ରାଜ୍ୟର ସର୍ବବୃହତ୍ ଏହି ବସ୍ଷ୍ଟାଣ୍ଡ୍ର ସେଡ୍ ଏବେ ପାଲଟିଛି କୁକୁର ଓ ଗାଈ ଗୁହାଳ। ଏତେ ବାତ୍ୟା, ଝଡ଼ ତୋଫାନ ଆସିଛି। ପ୍ରାକୃତିକ ଦୁର୍ବିପାକରେ ବସ୍ଷ୍ଟାଣ୍ଡ ଧରାଶାୟୀ ହୋଇଛି, ମାତ୍ର ଏତେ ଦିନ ଧରି ବସଷ୍ଟାଣ୍ଡ୍ର ଏ ଅସହାୟ ଅବସ୍ଥା କେବେ ବି କେହି ଦେଖିନଥିଲେ।
ରାଜ୍ୟର ସର୍ବବୃହତ୍ ଏହି ବସ୍ ଜଙ୍କସନ୍ର ନକ୍ସା ବଦଳିବ ବୋଲି ସରକାର ଏଇ ନିକଟରେ ଘୋଷଣା କରିଥିଲେ। ସତକୁ ସତ ରୂପରେଖ ବିଲକୁଲ୍ ବଦଳି ଯାଇଛି। ବସ୍ଷ୍ଟାଣ୍ଡ୍ର ବୃହତ୍ ସେଡ୍ ଏବେ ବୁଲା କୁକୁର ଓ ଗୋରୁଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଛି। ବାହାରେ ଅସହ୍ୟ ଖରା, ପୁଣି ବେଳେବେଳେ ବର୍ଷା ଯୋଗୁଁ ଗାଈ, ଷଣ୍ଢ ଓ କୁକୁରମାନେ ଏହି ସେଡ୍କୁ ଆଦରି ନେଇଛନ୍ତି। ନା’ ତାଙ୍କୁ କେହି ଏବେ ସେଠାରୁ ହଟାଇବାର ଭୟ ଅଛି, ନା ମଳତ୍ୟାଗ କଲେ ଜଗିବାକୁ କିଏ ଅଛି। ଚାରିଆଡ଼ ଗୋବରମୟ ପାଲଟିଛି। ସେଡ୍ ଯୋଗୁଁ ଏହି ବୁଲା ଜୀବଜନ୍ତୁମାନେ ଆଶ୍ରୟ ପାଇଯିବା ପର୍ଯ୍ୟନ୍ତ ଠିକ୍ ଅଛି। ମାତ୍ର ବସ୍ଷ୍ଟାଣ୍ଡ୍ର ଏ ପ୍ରକାର କରୁଣ ଚିତ୍ର ଯେମିତି ବୟାନ କରୁଛି, ଦୀର୍ଘ ବର୍ଷ ହେବ ଏଠି ବସ୍ଷ୍ଟାଣ୍ଡଟିଏ ହିଁ ନଥିଲା।
ପୂର୍ବାହ୍ନରେ ବସ୍ଷ୍ଟାଣ୍ଡକୁ ପ୍ରବେଶ ମାତ୍ରେ ନଜର ପଡ଼ିଥିଲେ ଏକ ବୃକ୍ଷରେ ବିରାଜମାନ କରିଥିବା ଦାରୁଦିଅଁ ଜଗନ୍ନାଥ। ମାତ୍ର ବସଷ୍ଟାଣ୍ଡର ପ୍ରାୟ ୧୫ ଏକରର ପରିବେଶ ଥିଲା ଶୂନଶାନ। ଅଳ୍ପ କିଛି ବସ୍ ପରିସରରେ ଅଟକି ରହିଥିବା ବେଳେ ତା’ ମଧ୍ୟରେ ବସ୍ର କର୍ମଚାରୀମାନେ ରୋଷେଇ କରୁଥିଲେ। କେହି ଜଣେ ବ୍ୟକ୍ତି ଖେଚେଡ଼ି କରି ଆଣି ଗଦେଇ ଥିବାରୁ ତାକୁ କୁକୁରମାନେ ବିକଳ ହୋଇ ଖାଇ ଦେଉଥିଲେ। ଖାଇବା ଅଣ୍ଟୁ ନଥିବାରୁ ନିଜ ଭିତରେ ସଂଘର୍ଷ ବି କରୁଥିଲେ। ହେଲେ ବିଚାର ସେଇ ଜୀବମାନଙ୍କ ପାଇଁ କେଉଁଠାରେ ପାଣି ଟୋପେ ପିଇବାକୁ କୁଣ୍ଡଟିଏ ନଥିଲା।
ରାଜଧାନୀ ବସ୍ ମାଲିକ ସଂଘର ସମ୍ପାଦକ ତୁଷାରକାନ୍ତ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, ପ୍ରତିଦିନ ପ୍ରାୟ ୩୦ ହଜାର ଯାତ୍ରୀ ବରମୁଣ୍ଡା ବସଷ୍ଟାଣ୍ଡରୁ ଯାତାୟାତ କରନ୍ତି। ଲକ୍ଡାଉନ୍କୁ ପାଖାପାଖି ୪୦ଦିନ ବିତିବାକୁ ବସିଲାଣି। ଅଥଚ ବସ୍ ଚକା ଗଡ଼ି ନାହିଁ। ତେଣୁ ବସ୍ କର୍ମଚାରୀଙ୍କ ଭରଣପୋଷଣ ପାଇଁ ମଧ୍ୟ ବସ୍ ମାଲିକମାନେ ଯତକିଞ୍ଚିତ ସାହାଯ୍ୟ ଯୋଗାଇ ଦେଉଛନ୍ତି। କିଛି ବସ୍ କର୍ମଚାରୀ ଯେଉଁଠିକି ଯାଇଥିଲେ, ସେଇଠି ଅଟକି ଯାଇଛନ୍ତି। ସେଠାରେ ଖାଇ ପିଇ ଗାଡ଼ି ମଧ୍ୟରେ ଜୀବନ କାଟୁଛନ୍ତି।
ବରମୁଣ୍ଡା ବସ୍ଷ୍ଟାଣ୍ଡ ମଧ୍ୟରେ ଓଏସଆରଟିସି ପକ୍ଷରୁ କେବଳ ୧୩୦ ଦୋକାନ ଘର ବ୍ୟବସାୟୀଙ୍କୁ ଦିଆଯାଇଥିବା ବେଳେ ୧୫୦ରୁ ଅଧିକ ବ୍ୟବସାୟୀ ବସଷ୍ଟାଣ୍ଡର ଯାତ୍ରୀଙ୍କ ଉପରେ ନିର୍ଭର କରି ପରିବାର ଚଳାଉଥିଲେ। ମାତ୍ର ଏବେ ହାତ ବାନ୍ଧି ବସି ରହିଛନ୍ତି। ଫଳ ବେପାରୀଙ୍କ ପାଇଁ ଦୋକାନ ଖୋଲିବାକୁ ସୁଯୋଗ ଥିଲେ ବି ବସଷ୍ଟାଣ୍ଡ୍ରେ ଯାତ୍ରୀ ନଥିବାରୁ ଉପାୟଶୂନ୍ୟ ହୋଇ ବସି ରହିଛନ୍ତି। ପ୍ରବେଶ ଦାରୁଦିଅଁ ଓ କିଛି ଜୀବଜନ୍ତୁ ହିଁ ବସଷ୍ଟାଣ୍ଡର ଏହି ଅସହାୟ ଅବସ୍ଥାର ମୁକସାକ୍ଷୀ ପାଲଟିଛନ୍ତି।