ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟଣା : ଅଗ୍ନି ନିର୍ବାପକ ନଥିଲେ ମିଳିବନି ପରମିଟ୍‌

ଭୁବନେଶ୍ୱର : ସବୁ ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବ। ବସ୍‌ କର୍ମଚାରୀମାନଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍‌ ବ୍ୟବହାର ପାଇଁ ବାଧ୍ୟତାମୂଳକ ପ୍ରଶିକ୍ଷଣ ଦିଆଯିବ। ଏହା ସୁନିଶ୍ଚିତ କରାଇବା ବସ୍‌ ମାଲିକଙ୍କ କାମ। ଏଥିରେ ଖିଲାପ ଦୃଷ୍ଟିକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବସ୍‌ର ଫିଟନେସ୍‌ ବାତିଲ କରି ଦିଆଯିବ ବୋଲି କହିଛନ୍ତି ଆର୍‌ଟିଓ-୧ ପ୍ରଦୀପ ମହାନ୍ତି। ବୁଧବାର ଦିନ ଦି’ ପହରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥୁଆ ହୋଇଥିବା ଶ୍ରୀଚକାଡୋଳା ବସ୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବା ପରେ ଆଜି ଯାତ୍ରୀଙ୍କ ସୁରକ୍ଷା ନେଇ ମାନସମନ୍ଥନ ହୋଇଛି। ଅପରାହ୍‌ଣ ୪ଟାରେ ଆର୍‌ଟିଓ-୧ ସମ୍ମିଳନୀ କକ୍ଷରେ ଆର୍‌ଟିଓଙ୍କ ଅଧ୍ୟକ୍ଷତାରେ ବସ୍‌ ମାଲିକ ଓ ଟ୍ରାଫିକ୍‌ ପୁଲିସକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜଳି ଯାଇଥିବା ଶ୍ରୀଚକାଡୋଳା ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ଥିଲା। କିନ୍ତୁ କଣ୍ଡକ୍ଟର୍‌ ତାହାର ବ୍ୟବହାର ଜାଣି ନଥିବାରୁ ଏତେବଡ଼ ଅଘଟଣ ଘଟିଗଲା। ତେଣୁ ପ୍ରତି ବସ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ଅପ୍‌-ଟୁ-ଡେଟ୍‌ ରହିବା ସହ ବସ୍‌ର କର୍ମଚାରୀ ଏହାର ବ୍ୟବହାର ଜାଣିବା ଆବଶ୍ୟକ। କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ମାଲିକ ନିଶ୍ଚିତ କରାଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହାବ୍ୟତୀତ ଗାଡ଼ିର ଫିଟ୍‌ନେସ୍‌, କେବୁଲ ୱେୟାରିଂ, ଓଭରଲୋଡିଂ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର