ନୂଆ ରୂପ ପାଇବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ୍‌ ନୂଆ ରୂପ ପାଇବ। ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଥିବାବେଳେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଏହାର ଇଞ୍ଜିନିୟରିଂ ଡ୍ରଇଂ ଏବଂ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ଜୁନ୍‌ ମାସରୁ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ୨୦୧୯, ଏପ୍ରିଲ ସୁଦ୍ଧା ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ। ଦ୍ୱିତୀୟ ପର୍ଯ୍ୟାୟରେ ବାଣିଜ୍ୟିକ ଅଞ୍ଚଳ ନିର୍ମାଣ ହେବ। ଏହିପରି ୨ବର୍ଷରେ ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବସଷ୍ଟାଣ୍ଡ୍‌ରେ ପରିଣତ ହେବ। ଏଥିପାଇଁ ରାଜ୍ୟ ସରକାର ୧୮୦କୋଟି ଖର୍ଚ୍ଚ କରିବେ। ଏହି ସମସ୍ତ କାର୍ଯ୍ୟ ବିଡିଏ ତତ୍ତ୍ୱାବଧାନରେ ହେବ। ଦୈନିକ ୧୦୦୦ରୁ ଅଧିକ ବସ୍‌ ଚଳାଚଳ କରୁଥିବା ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସମ୍ପର୍କରେ ବିସ୍ତତ ଭାବେ ଆଲୋଚନା କରାଯାଇଛି। ରାଜ୍ୟ ପରିବହନ ବିଭାଗ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ପାଇଁ ବହୁଥର ଯୋଜନା କରି ଫେଲ୍‌ ମାରିବା ପରେ ଏବେ ବିଡିଏ ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସଷ୍ଟାଣ୍ଡ ଭାବେ ନିର୍ମାଣ କରିବା ସହ ସମସ୍ତ ପ୍ରକାରର ଅନ୍ତର୍ଜାତୀୟମାନର ସୁବିଧା ସୁଯୋଗ ଦେବାକୁ ଯୋଜନା କରିଛି। ପୂର୍ବରୁ ଏହି ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବନ୍ଦ ହୋଇଯାଇଥିବାବେଳେ ଏଥର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ ହେବ ବୋଲି ଜଣାପଡ଼ିବ। ବରମୁଣ୍ଡା ବସଷ୍ଟାଣ୍ଡ ନେଇ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟି ମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌) ଡିଜାଇନ୍‌ ପ୍ରସ୍ତୁତ କରିଛି। ଏଥିରେ ବସଷ୍ଟାଣ୍ଡକୁ ଟର୍ମିନାଲ ଅଞ୍ଚଳ ଏବଂ ବାଣିଜ୍ୟିକ ଅଞ୍ଚଳ ଦୁଇଟି ପୃଥକ ଭାବେ ବିକଶିତ କରିବାକୁ ଯୋଜନା ହୋଇଛି। ଡିଜାଇନ୍‌ ଅନୁଯାୟୀ, ପ୍ରାୟ ୧୫.୫ଏକର ଅଞ୍ଚଳରେ ଥିବା ବରମୁଣ୍ଡା ବସଷ୍ଟାଣ୍ଡର ୧୧ଏକର ଜାଗାରେ ବିକାଶ କରାଯିବ। ବାକି ୪.୫ଏକର ଜମି ଭବିଷ୍ୟତର ସମ୍ପ୍ରସାରଣ ପାଇଁ ସଂରକ୍ଷିତ ରହିବ।
ପ୍ରସ୍ତୁତ ହୋଇଥିବା ଡିଜାଇନ୍‌ ଅନୁଯାୟୀ, ବସ୍‌ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ୍‌ ଚଳାଚଳ କରିବ। ଏହି ବସଷ୍ଟାଣ୍ଡ୍‌ରେ ସିଟି ବସଷ୍ଟାଣ୍ଡ୍‌ ରହିବ। ନୂତନ ବସ୍‌ ଟର୍ମିନାଲରେ ଫୁଡ୍‌ କୋର୍ଟରୁ ଆରମ୍ଭ କରି ଆବଶ୍ୟକ ପାର୍କିଂ, ଏଲିଭେଟର ଓ ଏସ୍‌କାଲେଟର୍‌ ରହିବ। ପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳ ବିଶୋଧନ, ବସ୍‌ ଧୋଇବା ପାଇଁ ଆବଶ୍ୟକ ବ୍ୟବସ୍ଥା, ପୂରା ବସଷ୍ଟାଣ୍ଡରେ ଓ୍ଵାଇଫାଇ ସେବା ଉପଲବ୍ଧ ହେବ। ସୌରଶକ୍ତି ବ୍ୟବସ୍ଥାରେ ବିଦ୍ୟୁତ ସଂଯୋଗ ହେବ। ଏହି ବସଷ୍ଟାଣ୍ଡର ସ୍ୱତନ୍ତ୍ରତା ହେବ ଏଠାରୁ ବିଶାଖପାଟଣା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକତା, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍‌ ଚଳାଚଳ କରିବ। ଉଭୟ ଘରୋଇ ଓ ଓଏସ୍‌ଆରଟିସି ଏହି ବସ୍‌ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି।

ଆଜିର ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସ, ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଉଦୟଗିରି ପାହାଡ଼ ତଳେ ରହିବ ବସ୍‌


ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଆରମ୍ଭ ହେଲେ ବି ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍‌ ଯାତାୟାତ କରିବ। କିନ୍ତୁ ରାତିରେ ଏଠାରେ ବସ୍‌ ରହିବନି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବସ୍‌ ଟର୍ମିନାଲ ବିଲଡିଂ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ୮ଏକର ଜମିରେ ନିର୍ମାଣ ଆରମ୍ଭ ହେବ। ବର୍ଷକ ମଧ୍ୟରେ ଟର୍ମିନାଲ ବିଲଡିଂ ନିର୍ମାଣ ହେବ। ଏହାପରେ ରାସ୍ତା, ପାର୍କିଂ ଅଞ୍ଚଳ, ବାଣିଜ୍ୟିକ ଅଞ୍ଚଳ ନିର୍ମାଣ ହେବ। ଏହି ସମୟରେ ବସ୍‌ଗୁଡ଼ିକ କେବଳ ବସଷ୍ଟାଣ୍ଡ ଭିତରୁ ଯାତ୍ରୀ ଉଠାଇବେ ଓ ଛାଡ଼ିବେ। କିନ୍ତୁ ଯେଉଁ ବସ୍‌ ରାତ୍ରି ରହଣି କରିବେ ସେଗୁଡ଼ିକୁ ଉଦୟଗିରି ପାହାଡ଼ ତଳକୁ ଯିବାକୁ ହେବ। ପୂର୍ବରୁ ଏଠାକୁ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିବାବେଳେ ଏହାକୁ ଏବେ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସାଧାରଣ ପରିବହନ ଓ ବାଇସାଇକେଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ
ବସଷ୍ଟାଣ୍ଡକୁ ଯେପରି ସହଜରେ ଲୋକ ଯାତାୟତ କରପାରିବେ ସେଥିପାଇଁ ସମନ୍ଵିତ ପରିବହନ ବ୍ୟବସ୍ଥା ଉପଲବ୍ଧ ହେବ। ସିଟି ବସ୍‌, ବାଇସାଇକେଲ୍‌, ଅଟୋ ରିକ୍‌ସା, ଇ-ରିକ୍‌ସା ଭଳି ସମସ୍ତ ପ୍ରକାର ଯାନବାହନ ପାଇଁ ଏଠାରେ ଭିତ୍ତିଭୂମି ଉପଲବ୍ଧ ହେବ। ଏଠାରେ ଯାତ୍ରୀମାନେ ସାଧାରଣ ପରିବହନ ବ୍ୟବସ୍ଥାକୁ କିପରି ଗୁରୁତ୍ୱ ଦେବେ ସେନେଇ ଏଠାରେ ଆକର୍ଷଣୀୟ ବ୍ୟବସ୍ଥା ଉପଲବ୍ଧ ହେବ। ରେଳଯାତ୍ରା ସହ ବସ୍‌ ଯାତ୍ରା, ପିକ୍‌ ଅପ୍‌ ଆଣ୍ଡ୍‌ ଡ୍ରପ୍‌ ପ୍ରଭୃତି ସୁପରିକଳ୍ପିତ ସମନ୍ଵୟ ବ୍ୟବସ୍ଥା ରହିବ ଏହି ପ୍ରକଳ୍ପରେ।

ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ହେବ
୨୦୧୯, ଏପ୍ରିଲ୍‌ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ
ଦୁଇ ବର୍ଷରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ
ଖର୍ଚ୍ଚ ହେବ ୧୮୦କୋଟି

ସିସିଟିଭି ନଜରରେ ରହିବ ବସ୍‌ଷ୍ଟାଣ୍ଡ


ବସ୍‌ଷ୍ଟାଣ୍ଡ୍‌ ନିର୍ମାଣରେ ସହରର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଏହାସହ ଆଧୁନିକ ସହରର ଛାପ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧା ସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବସ୍‌ଷ୍ଟାଣ୍ଡ୍‌ ପରିସରରେ ପ୍ରତି କୋଣଅନୁକୋଣରେ ସିସିଟିଭି ଲାଗିବ। ଏହାକୁ ପରିଚାଳନା କରିବାକୁ କଣ୍ଟ୍ରୋଲ ରୁମ୍‌ ରହିବ। ଭବିଷ୍ୟତରେ ଏଠାରେ ଏକ ପୁଲିସ ଫାଣ୍ଡି ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ।

ଶିଶୁ ଓ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ୱତନ୍ତ୍ର ସୁବିଧା
ଏହି ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌କୁ ସଂପୂର୍ଣ୍ଣ ଭାବେ ଭିନ୍ନକ୍ଷମ ଏବଂ ଶିଶୁଙ୍କ ଅନୁକୂଳ ଭଳି ବନାଯିବ। ଭିନ୍ନକ୍ଷମାନଙ୍କୁ ସୁବିଧାରେ ଚଳପ୍ରଚଳ, ଯାତାୟତ ପାଇଁ ର‍୍ୟାମ୍ପ୍‌ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଏହି ପ୍ରକଳ୍ପରେ ଅନ୍ତର୍ଜାତୀୟ ତଥା ଦେଶରେ ରହିଥିବା ସମସ୍ତ ନିୟମାବଳୀକୁ ପାଳନ କରାଯିବ।

ଟର୍ମିନାଲ ୪ମହଲା, ବାଣିଜ୍ୟିକ ଅଞ୍ଚଳ ୬ମହଲା ବିଶିଷ୍ଟ ହେବ
ବସ୍‌ ଟର୍ମିନାଲ୍‌ ୯,୮୩୯ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବାକୁ ଥିବାବେଳେ ତଳ ମହଲା ୪,୩୪୩ ବର୍ଗମିଟର, ପ୍ରଥମରୁ ତୃତୀୟ ମହଲା ପର୍ଯ୍ୟନ୍ତ ପ୍ରତ୍ୟେକ ମହଲା ୧୮୩୨ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ସେହିପରି ବାଣିଜ୍ୟିକ ଅଞ୍ଚଳ ୨୧,୩୫୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ତଳ ମହଲା ୧୮୫୦ବର୍ଗମିଟରର ହେବାକୁ ଥିବାବେଳେ ପ୍ରଥମରୁ ୫ମ ମହଲା ପର୍ଯ୍ୟନ୍ତ ପ୍ରତ୍ୟେକ ମହଲା ୩,୯୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ। ବେସ୍‌ମେଣ୍ଟ ପାର୍କିଂ ପାଇଁ ୯୦୦୦ ବର୍ଗମିଟର ରହିବ। ଏଠାରେ ଏକସଙ୍ଗେ ୩୦୦ଟି କାର୍‌ ପାର୍କିଂ କରିପାରିବ।

ମିଳିବ ଅନ୍‌ଲାଇନ୍‌ ବୁକିଂ, ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବରମୁଣ୍ଡାରେ ରାଜ୍ୟର ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ହେବ। ୧୫.୫ ଏକର ଜମିରେ ପରିବ୍ୟାପ୍ତ ଏହି ବସ୍‌୍‌ଷ୍ଟାଣ୍ଡ୍‌ରେ ବହୁ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ କେତେକ ସମନ୍ଵିତ ଯୋଜନା ସ୍ୱରୂପ ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସିଂ ବୁକିଂ ଏବଂ ଡ୍ରପିଂ ବ୍ୟବସ୍ଥା ରହିବ। ଅନ୍‌ଲାଇନ୍‌ରେ ବସ୍‌ ଟିକେଟ ବୁକିଂଠାରୁ ଅଟୋ ବୁକିଂ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ବହୁତଳ ବସ୍‌ ଓ କାର୍‌ ପାର୍କିଂ ସୁବିଧା ରହିବ। ଯାତ୍ରୀଙ୍କ ପାଇଁ ଏସି ଏବଂ ସାଧାରଣ ପ୍ରତୀକ୍ଷାଳୟ ରହିବ। ଏହାବ୍ୟତୀତ ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ହେବ।

 

ସମ୍ବନ୍ଧିତ ଖବର