ଭୁବନେଶ୍ୱର: ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହେବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌(ଆଇଏସ୍‌ବିଟି)। ୫-ଟି ଓ ‘ନବିନ ଓଡିଶା’ ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଆଜି ଅପରାହ୍ନରେ ବସ୍‌ଷ୍ଟାଣ୍ଡ ପରିଦର୍ଶନ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ସୁବିଧାକୁ ଏଠାରେ ପ୍ରାଥମିକତା ‌ଦିଆଯାଇଛି। ସ୍ଥାନୀୟ କଳା ଓ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଏହାକୁ ଆକର୍ଷଣୀୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହା ରାଜଧାନୀରେ ଏକ ଗୁରୁତ୍ୱପୂର୍ଣ୍ଣ ଗମନାଗମନ ଭିତ୍ତିଭୂମି ହେବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ସମୀକ୍ଷା ସମୟରେ ଶ୍ରୀ ପାଣ୍ଡିଆନ୍ ଯାତ୍ରୀଙ୍କ ପ୍ରତୀକ୍ଷାସ୍ଥଳ, ଉତ୍ତମମାନର ପରିମଳ ବ୍ୟବସ୍ଥା, ଆହାର କେନ୍ଦ୍ର, ଉତ୍ତମ ଆଲୋକୀକରଣ, ​ଶୌଚାଳୟ ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ। ବସ୍‌ ଚାଳକଙ୍କ ପାଇଁ ଡର୍ମିଟୋରି, ଅଟୋ ରିକ୍ସା, ଦୁଇଚକିଆ ଯାନ ଓ ଟାକ୍ସି ପାଇଁ ଯଥେଷ୍ଟ ପାର୍କିଂ ବ୍ୟବସ୍ଥା ନିଶ୍ଚିତ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ବସ୍‌ ମାଲିକ ସଂଘ, ଟାକ୍ସି ମାଲିକ ସଂଘ ଓ ଓଏସ୍‌ଆର୍‌ଟିସି ପ୍ରଭୃତିଙ୍କୁ ଏଥିରେ ସମ୍ପୃକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂଙ୍କ ସମେତ ବିଏମସି, ବିଡିଏ, ନିର୍ମାଣ କରୁଥିବା ଏଜେନ୍ସି, ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୧୫.୫ ଏକରରୁ ଅଧିକ ଜମିରେ ବିଡିଏ ଆଇଏସ୍‌ବିଟି ପ୍ରତିଷ୍ଠା କରୁଛି। ଏଥିରେ ବାଣିଜ୍ୟିକ କମ୍ପ୍ଲେକ୍ସ, ଅଫିସ୍‌, ଫୁଡ୍‌ କୋର୍ଟ, ରେସ୍ତୋରାଁ ପ୍ରଭୃତି ରହିଛି। ରାଜ୍ୟର ଏହା ଏକ ପ୍ରମୁଖ ଗମନାଗମନ ଭିତ୍ତିଭୂମି ହେବାକୁ ଯାଉଛି।