ଭୁବନେଶ୍ବର: ଗତ ୩ ତାରିଖରୁ ବନ୍ଦ ଥିବା ବରମୁଣ୍ଡା ହାଇୱେ ସର୍ଭିସିଂ ପେଟ୍ରୋଲ୍ ପମ୍ପ୍ ଖୋଲିଛି। ଏଚ୍ପିସିଏଲ୍ ପାରାଦୀପସ୍ଥିତ ଇଣ୍ଡିଆନ୍ ଅଏଲ୍ ପ୍ରାଇଭେଟ୍ ଲିମିଟେଡ କ୍ଲିନ୍ଚିଟ୍ ଦେବା ପରେ ଏହାକୁ ଖୋଲିବା ପାଇଁ ଅନୁମତି ମିଳିଛି। ତେବେ ବିବାଦୀୟ ୨ ନମ୍ବର ଟ୍ୟାଙ୍କ୍କୁ ପୂର୍ବ ଭଳି ବନ୍ଦ ରଖାଯାଇଛି। ତେବେ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଯାଞ୍ଚ ରିପୋର୍ଟ ମିଳିଥିଲେ ବି ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍ ପକ୍ଷରୁ କୌଣସି ରିପୋର୍ଟ ମିଳିନାହିଁ। ତେଣୁ ଏବେ ବି ଗ୍ରାହକଙ୍କ ମଧ୍ୟରେ ସନ୍ଦେହ ରହିଛି ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ଏଚ୍ପିସିଏଲ୍ ପକ୍ଷରୁ କରାଯାଇଥିବା ପରୀକ୍ଷଣରେ ୨ ନମ୍ବର ଟ୍ୟାଙ୍କ୍ରେ କିଛି ବୈଷୟିକ ତ୍ରୁଟି ରହିଛି। ଫଳରେ ଏହି ଟ୍ୟାଙ୍କ୍ ଭିତରେ ପେଟ୍ରୋଲ୍ ଓ ଇଥାନଲ୍ ଅଲଗା ହୋଇ ଦୁଇଟି ପୃଥକ ସ୍ତର ସୃଷ୍ଟି ହୋଇଥିଲା। ଏହାକୁ ନେଇ ଗ୍ରାହକଙ୍କ ଭିତରେ ଜଳର ଭ୍ରମ ସୃଷ୍ଟି କରିଥିଲା। ତେବେ ଅନ୍ୟ ୫ଟି ଟ୍ୟାଙ୍କରେ କୌଣସି ତ୍ରୁଟି ନଥିଲା। ଭରତପୁର ଥାନା ପୁଲିସକୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ତେଣୁ ଭରତପୁର ଥାନା ପୁଲିସ୍ ଏହି ତଥ୍ୟକୁ ଆଧାର କରି ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଅନୁମତି ଦେଇଥିବା ବେଳେ ୨ନଂ ପେଟ୍ରୋଲ୍ ଟ୍ୟାଙ୍କ୍କୁ ଖୋଲିବାକୁ ଦେଇନାହିଁ।
ଏଣେ ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍ରୁ ମିଳିଥିବା ସୂଚନାନୁସାରେ ଏହି ଲ୍ୟାବ୍ରେ ଇଥାନଲ୍ଯୁକ୍ତ ପେଟ୍ରୋଲ୍ ପରୀକ୍ଷଣ ପାଇଁ ଆବଶ୍ୟକ ଜ୍ଞାନକୌଶଳ ନାହିଁ। କେଉଁ କାରଣରୁ ପେଟ୍ରୋଲ୍ ଓ ଇଥାନଲ୍ ଅଲଗା ହେଲା, ସେନେଇ କୌଣସି ପରୀକ୍ଷା ବ୍ୟବସ୍ଥା ନାହିଁ। ତେବେ ପେଟ୍ରୋଲ୍ରେ ପାଣି ମିଶିଥିଲେ, ପରୀକ୍ଷା କରି ଜାଣିହେବ ବୋଲି କୁହାଯାଇଛି। କିନ୍ତୁ ପରୀକ୍ଷା ପାଇଁ ଯାଇଥିବା ନମୁନାରେ ପାଣି ମିଶିଥିଲା କି ନାହିଁ, ସେ ରିପୋର୍ଟ ମଧ୍ୟ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍ରୁ ମିଳିନାହିଁ। ସୂଚନାଯୋଗ୍ୟ ଗତ ୩ ତାରିଖରେ ଏହି ପେଟ୍ରୋଲ ପମ୍ପରୁ ତେଲ ପକାଇବା ପରେ କିଛି ଗ୍ରାହକଙ୍କ ଗାଡ଼ି ରାସ୍ତାରେ ବନ୍ଦ ହୋଇ ଯାଇଥିଲା। ପାଣି ମିଶା ପେଟ୍ରୋଲ୍ ପାଇଁ ଏଭଳି ହୋଇଥିବା ଅଭିଯୋଗ କରି ଗ୍ରାହକମାନେ ଗଣ୍ଡଗୋଳ କରିଥିଲେ ଓ ପରେ ପୁଲିସ ଉକ୍ତ ପମ୍ପକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।